fbpx

ଗୁରପ୍ରୀତଙ୍କ ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ, ପିତା ସାଜିଲେ ଅରବିନ୍ଦ କେଜ୍ରିଓ୍ଵାଲ

ଚଣ୍ଡିଗଡ: ବିବାହ ବନ୍ଧନରେ ବାନ୍ଧି ହେଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ। ଗୁରୁବାର ଡ.ଗୁରପ୍ରୀତ କୌର ସହିତ ସାତ ଫେରା ନେଇଛନ୍ତି ମାନ। ଚଣ୍ଡିଗଡ ସ୍ଥିତ ବାସଭବନରେ ବିବାହ ସମାରୋହ ଆୟୋଜିତ ହୋଇଛି। ଏଥିରେ ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଯୋଗ ଦେଇଛନ୍ତି।

ଗୁରୁବାର ୧୨ଟାରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ପିତାଙ୍କ ଦାୟିତ୍ଵ ତୁଲାଇ ପରମ୍ପରା ନିଭାଇଛନ୍ତି। ବିବାହ ସମାରୋହରେ ଅନେକ ମାନ୍ୟଗଣ ବ୍ୟକ୍ତି ସାମିଲ୍ ହେବେ। କାର‌୍ୟ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହିଁ ରଖାଯାଇଛି।

ସୂଚନାଯୋଗ୍ୟ, ୩୨ ବର୍ଷୀୟ ଗୁରପ୍ରୀତ କୌର ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ(୪୮)ଙ୍କଠୁ ବୟସରେ ୧୬ ବର୍ଷ ସାନ। ଉଭୟଙ୍କ ଭେଟ ପ୍ରାୟ ଚାରି ବର୍ଷ ପୂର୍ବେ ହୋଇଥିଲା। ମାନଙ୍କ ଏହା ଦ୍ଵିତୀୟ ବିବାହ। ପ୍ରଥମ ପତ୍ନୀଙ୍କଠୁ ସେ ୨୦୧୫ରେ ଛାଡପତ୍ର ନେଇ ସାରିଥିଲେ। ପ୍ରଥମ ପତ୍ନୀଙ୍କ ଔରସରୁ ଉଭୟଙ୍କ ଦୁଇଟି ପିଲା ରହିଛି। ହେଲେ ସେମାନେ ସମସ୍ତେ ଆମେରିକାରେ ରହୁଛନ୍ତି।

କମେଡିୟାନରୁ ରାଜନେତା ହୋଇଥିବା ଭଗଓ୍ଵନ୍ତ ମାନ ୨୦୧୪ରେ ପ୍ରଥମ ଥର ସଙ୍ଗରୁରରୁ ସାଂସଦ ହୋଇଥିଲେ। ସେହି ସମୟରେ ତାଙ୍କର ପ୍ରଥମ ପତ୍ନୀ ଇନ୍ଦ୍ରଜିତ କୌର ତାଙ୍କ ପାଇଁ ପ୍ରଚାର କରିଥିଲେ। ହେଲେ ୨୦୧୬ରେ ପରସ୍ପର ଉଭୟଙ୍କୁ ଛାଡପତ୍ର ଦେଇଥିଲେ। ୨୦୧୯ରେ ମାନ ପୁଣି ଥରେ ସଙ୍ଗରୁର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଜିତିଥିଲେ। ୨୦୨୨ରେ ଆପ୍ ପକ୍ଷରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଇଥିଲା। ତାଙ୍କ ନେତୃତ୍ଵରେ ପାର୍ଟିକୁ ପ୍ରଚଣ୍ଡ ବହୁମତ ମିଳିଛି। ଭଗଓ୍ଵନ୍ତ ମାନ ୨୦୨୨ ମାର୍ଚ୍ଚ ୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

Get real time updates directly on you device, subscribe now.