ନୂଆଦିଲ୍ଲୀ: କରୋନା ମହାମାରୀ ପୁଣି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ସରକାରୀ ପରାମର୍ଶଦାତା ସଂସ୍ଥା ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରୀ ଗ୍ରୁପ୍ (ଏନଟିଏଜିଆଇ)ର ଷ୍ଟାଣ୍ଡିଂ ଟେକ୍ନିକାଲ ସବ୍-କମିଟି(ଏସଟିଏସସି) ୫ରୁ ୧୨ ବର୍ଷ ବୟସର ପିଲାମାନଙ୍କ ପାଇଁ Corbevax ଓ ଭାରତ ବାୟୋଟେକର କୋଭାକ୍ସିନ ବ୍ୟବହାର କରିବାକୁ ପରାମର୍ଶ ଦେଇଛି । ୫ରୁ ୧୨ ବର୍ଷ ବୟସର ପିଲାଙ୍କ ପାଇଁ Corbevax ଟିକା ବ୍ୟବହାର କରିବାକୁ ସୁପାରିଶ ହୋଇଛି । ସେହିପରି ୬ରୁ ୧୨ ବର୍ଷର ପିଲାଙ୍କୁ କୋଭାକ୍ସିନ୍ ଦେବା ପାଇଁ ସୁପାରିଶ ହୋଇଛି ।
ତେବେ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା (ଡିସିଜିଆଇ) ୨୬ ଏପ୍ରିଲରେ ଭାରତ ବାୟୋଟେକକୁ ୬ରୁ ୧୨ ବର୍ଷ ବୟସର ପିଲାଙ୍କ ପାଇଁ କୋଭାକ୍ସିନ୍ ବ୍ୟବହାର କରିବାକୁ ଅନୁମତି ଦେଇଥିଲା । ଏହା ସହ ଏପ୍ରିଲରେ ଡିସିଜିଆଇର ବିଶେଷଜ୍ଞ ପ୍ୟାନେଲ ୫ରୁ ୧୨ ବର୍ଷ ବୟସର ପିଲାଙ୍କ ପାଇଁ ବାୟୋଲୋଜିକାଲ କୋଭିଡ ଟିକା Corbevaxର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ କରିବାକୁ ସୁପାରିଶ କରିଥିଲା ।
ଏହା ସହ କୋଭିଡ୍ ବୁଷ୍ଟର ଡୋଜର ସମୟସୀମା ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଏଣିକି ସମସ୍ତେ ୯ ମାସ ବଦଳରେ ୬ ମାସରେ ଟିକା ନେଇପାରିବେ । ଏନଟିଏଜିଆଇର ଷ୍ଟାଣ୍ଡିଂ ଟେକ୍ନିକାଲ ସବ-କମିଟି (ଏସଟିଏସସି) ପକ୍ଷରୁ ଗତ ମାସରେ ଏହି ସମୟସୀମା ହ୍ରାସ ନେଇ ସୁପାରିଶ କରାଯାଇଥିଲା । ତେବେ ଉକ୍ତ ସୁପାରିଶ ଜାତୀୟ ବୈଷୟିକ ପରାମର୍ଶଦାତା ଗ୍ରୁପ ଦ୍ୱାରା ଅନୁମୋଦନ ଲାଭ କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଏଣିକି ୧୮ରୁ ୫୯ ବର୍ଷ ପର୍ଯ୍ୟନ୍ତ ସମସ୍ତ ବର୍ଗର ବ୍ୟକ୍ତି ପ୍ରିକସନ ଡୋଜ୍ ନେଇପାରିବେ । ଘରୋଇ ଭ୍ୟାକ୍ସିନ ସେଣ୍ଟରରେ ଦ୍ୱିତୀୟ ଡୋଜ୍ ଟିକା ନେବାର ଛଅ ମାସ କିମ୍ବା ୨୬ ସପ୍ତାହ ପରେ ଉପଭୋକ୍ତାମାନେ ପ୍ରିକସନ ଡୋଜ୍ ନେଇପାରିବେ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି । ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଅଧିକ ବୟସ୍କମାନେ ସରକାରୀ ଭ୍ୟାକ୍ସିନ ସେଣ୍ଟରରେ ମାଗଣାରେ ଟିକା ନେଇ ପାରିବେ । ପୂର୍ବରୁ ବିଦେଶ ଯାତ୍ରା କରୁଥିବା ଲୋକମାନେ ୯ ମାସ ପରେ ଟିକା ନେଇପାରିବେ ବୋଲି ନିୟମ ରହିଥିଲା ।