fbpx

ମାରିବା ଅପେକ୍ଷା ଭଲ ହେବ କାହାକୁ ଦେଇ ଦିଅ, ଗର୍ଭପାତର ମଞ୍ଜୁରୀ ଦିଆଯାଇ ପାରିବନି: ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ୨୫ ବର୍ଷୀୟ ଅବିବାହିତ ଯୁବତୀଙ୍କୁ ଗର୍ଭପାତର ମଞ୍ଜୁରୀ ଦେବାକୁ ମନା କରି ଦେଇଛନ୍ତି। ମାମଲାର ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ, ଆମେ ଶିଶୁକୁ ହତ୍ୟା କରିବାର ଅନୁମତି ଦେଇ ପାରିବୁ ନାହିଁ। ଶିଶୁକୁ ମାରିବା ପରିବର୍ତ୍ତେ କାହାକୁ ପୋଷ୍ୟ ଭାବେ ଗ୍ରହଣ କରିବାର ବିକଳ୍ପ ଦେଇ ପାରିବେ। ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା କହିଛନ୍ତି, ଶିଶୁକୁ ମାରିବାକୁ କାହିଁକି ଚାହୁଁଛ ? ଆମେ ଆପଣଙ୍କୁ ଏକ ବିକଳ୍ପ ଦେଉଛୁ। ଦେଶରେ ବହୁ ସଂଖ୍ୟାରେ ଲୋକେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ପ୍ରସ୍ତୁତ। ଆପଣ ନିଜ ଶିଶୁକୁ କାହାକୁ ଦାନ କରି ପାରିବେ। କୋର୍ଟ କହିଛନ୍ତି ଆମେ ଯୁବତୀଙ୍କୁ ପିଲାର ଲାଳନପାଳନ ପାଇଁ ବାଧ୍ୟ କରି ପାରିବୁ ନାହିଁ। ମାତ୍ର ଯୁବତୀ ଏକ ଭଲ ହସ୍ପିଟାଲ୍ ଯାଇ ଶିଶୁକୁ ଜନ୍ମ ଦେଇ ପାରିବେ।

ବିଚାରପତି କହିଛନ୍ତି, ଆମେ ଯୁବତୀଙ୍କ ଉପରେ ଶିଶୁର ଲାଳନ ପାଳନ କରିବା ପାଇଁ ଚାପ ପକାଇ ପାରିବୁ ନାହିଁ। ଆମେ ଏହା ସୁନିଶ୍ଚିତ କରିବୁ ଯେ, ସେ କେମିତି ଏକ ଭଲ ହସ୍ପିଟାଲ୍ ଯିବେ। ଏହି ବିଷୟରେ କେହି କିଛି ଜାଣି ପାରିବେ ନାହିଁ ସେହି ବ୍ୟବସ୍ଥା କରାଯିବ। କେବଳ ଶିଶୁକୁ ଜନ୍ମ ଦେଇ ହସ୍ପିଟାଲରୁ ଚାଲି ଆସିବେ। କେବଳ ଏତିକି ନୁହେଁ ମୁଖ୍ୟ ବିଚାରପତି କହିଛନ୍ତି, ଯଦି ସରକାର ହସ୍ପିଟାଲ୍ ଖର୍ଚ୍ଚ ବହନ କରିବେ ନାହିଁ ତେବେ ମୁଁ ଉକ୍ତ ଖର୍ଚ୍ଚ ଦେବାକୁ ପ୍ରସ୍ତୁତ। ଯୁବତୀ ଓକିଲଙ୍କୁ କହିଛନ୍ତି ଯେ, ସେ ୨୩ ସପ୍ତାହ ୪ ଦିନର ଗର୍ଭବତୀ ଏବଂ ସେ ଅବିବାହିତା। ଏମିତି ସ୍ଥିତିରେ ଯଦି ସେ ଶିଶୁକୁ ଜନ୍ମ ଦିଅନ୍ତି ତେବେ ତା ପାଇଁ ବହୁତ ମୁସ୍କିଲ ହୋଇଯିବ। ସମାଜ ଦୃଷ୍ଟିରୁ ଏହା ଠିକ୍ ହେବ ନାହିଁ।

ଓକିଲ କହିଛନ୍ତି, ଯୁବତୀ ଶାରୀରିକ, ମାନସିକ ଏବଂ ଆର୍ଥିକ ଭାବେ ଶିଶୁକୁ ଜନ୍ମ ଦେବାକୁ ଫିଟ୍ ନାହାନ୍ତି। ପୁଣି ସମାଜରେ ଚଳିବା ମୁସ୍କିଲ ହୋଇଯିବ । ଅପରପକ୍ଷେ ସରକାରୀ ଓକିଲ କହିଛନ୍ତି, ଗର୍ଭପାତର ଅନୁମତି ଦେବା ଠିକ୍ ନୁହେଁ। କାରଣ ଭ୍ରୁଣ ପାଖାପାଖି ଶରୀରର ରୂପ ନେଇ ସାରିଛି। ଶିଶୁ ଦୁନିଆକୁ ଦେଖିବା ପାଇଁ ପ୍ରସ୍ତୁତ। ଏହା ଉପରେ ଅଦାଲତ ମଧ୍ୟ ସହମତି ପ୍ରକାଶ କରିଛନ୍ତି। ଏହି ଅବସ୍ଥାରେ ଗର୍ଭପାତ ପାଇଁ ଅନୁମତି ଦେବା ଏକ ପ୍ରକାର ଶିଶୁର ହତ୍ୟା କରିବା ପରି ହେବ।

Get real time updates directly on you device, subscribe now.