ସୂର୍ଯ୍ୟକୁମାର ଯାଦବଙ୍କ ମ୍ୟାଚ୍ ବିଜୟୀ ଇନିଂସ ପରେ ବି ଥମୁନି ବ୍ୟାଟିଂ ଅର୍ଡରକୁ ନେଇ ବିତର୍କ

ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଜାରି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ତିନୋଟି ମୁକାବିଲାରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଓପନିଂ କରିଛନ୍ତି। ପ୍ରଥମ ଦୁଇଟି ମୁକାବିଲାରେ ସୂର୍ଯ୍ୟକୁମାର ବିଫଳ ହୋଇଥିଲେ ହେଁ ତୃତୀୟ ମ୍ୟାଚରେ ସେ ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ଏହା ପରେ ବି ବ୍ୟାଟିଂକ୍ରମକୁ ନେଇ ବିତର୍କ ଥମୁନାହିଁ। ପୂର୍ବତନ କ୍ରିକେଟର ସବା କରିମଙ୍କ ମତରେ ସୂର‌୍ୟ୍ୟଙ୍କ ପାଇଁ ବ୍ୟାଟିଂ କ୍ରମ ହେଉଛି ନମ୍ବର ୪।

ସେ କହିଛନ୍ତି, ମୋତେ ଏବେ ମଧ୍ୟ ଲାଗୁଛି ଯେ, ତାଙ୍କ ପାଇଁ ଶ୍ରେଷ୍ଠ ବ୍ୟାଟିଂ କ୍ରମ ହେଉଛି ନମ୍ବର ୪। ବିଶେଷ କରି ଦୁନିଆର ଶ୍ରେଷ୍ଠ ବୋଲିଂ ଆକ୍ରମଣରେ ସୂର୍ଯ୍ୟଙ୍କ ପାଇଁ ଏହି କ୍ରମ ବେଶ ଗୁରୁତ୍ଵପୂର୍ଣ୍ଣ। ଆଇସିସି ଟୁର୍ଣ୍ଣାମେଣ୍ଟରେ ନମ୍ବର-୪ରେ ବ୍ୟାଟିଂ କରିବା ବହୁତ ମହତ୍ଵ ରହିଥାଏ। ଆପଣଙ୍କୁ ଏମିତି ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କ ପରି ଖେଳାଳିଙ୍କ ଆବଶ୍ୟକତା ରହିଛି। ସେ ଦ୍ରୁତ ବୋଲରଙ୍କ ସହିତ ସ୍ପିନ ବୋଲରଙ୍କୁ ମଧ୍ୟ ବେଶ୍ ଭଲ ଭାବେ ଖେଳି ପାରୁଛନ୍ତି ଏବଂ ଷ୍ଟ୍ରାଇକରେଟ୍ ମଧ୍ୟ ବଜାୟ ରଖିଥାନ୍ତି।

ପୂର୍ବତନ କ୍ରିକେଟର ରିତେନ୍ଦର ସିଂହ ସୋଢି ମଧ୍ୟ କହିଛନ୍ତି, ସୂର୍ଯ୍ୟକୁମାର ଯାଦବ ଜଣେ ଅଦ୍ଭୁତ ଖେଳାଳି। ସେ ଅନ୍ତର୍ଜାତୀୟସ୍ତରରେ ନିଜକୁ ପ୍ରମାଣିତ କରି ସାରିଛନ୍ତି। ମଧ୍ୟକ୍ରମରେ ସେ ଜଣେ ଚମତ୍କାର ବ୍ୟାଟସମ୍ୟାନ। ତାଙ୍କୁ ବେଶ ଭଲ ଭାବେ ଜଣା ଯେ, କେମିତି ଗେମ୍ ଖେଳାଯାଏ। ତାଙ୍କୁ ଏହା ମଧ୍ୟ ଜଣା ଯେ, କେମିତି ଷ୍ଟ୍ରାଇକ୍ ରେଟ୍ ବଦଳାଯାଏ। ସେ ସ୍କୋର ବୋର୍ଡକୁ ଅଟକିବାକୁ ଦିଅନ୍ତି ନାହିଁ। ସୂର୍ଯ୍ୟକୁମାର ଯାଦବଙ୍କୁ ଓପନିଂ କରାଇବା ନେଇ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ସେ ଚାହାନ୍ତି ଯେ, ସମସ୍ତ ବ୍ୟାଟସମ୍ୟାନ ପ୍ରତିଟି ବ୍ୟାଟିଂ କ୍ରମରେ ଯେମିତି ବ୍ୟାଟିଂ କରି ପାରିବେ। ଇଂଲଣ୍ଡ ବିପକ୍ଷ ସିରିଜରେ ରୋହିତଙ୍କ ସହିତ ଋଷଭ ପନ୍ତ ଓପନିଂ କରିଥିଲେ।