fbpx

ଜିଏସଟି ଅତିରିକ୍ତ କମିଶନର ନା’ କୁବେର! ନାଁରେ ରହିଛି ୧୧ ପ୍ଲଟ୍, ଆହୁରି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ପଡ଼ିଥିବା ଖୋଦ୍ ଜିଏସଟି ଅତିରିକ୍ତ କମିଶନର ପୀୟୂଷକାନ୍ତ ପାଣିଙ୍କ ଅଚଳାଚଳ ସମ୍ପତ୍ତି ଠାବ ହୋଇଛି । କଟକ ସିଟି ଓ ଜିଏସଟି ଅତିରିକ୍ତି କମିଶନର ଥିବା ପୀୟୂଷଙ୍କୁ ଘରେ ଆଜି ଭିଜିଲାନ୍ସ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଛି । ପୀୟୂଷଙ୍କ ଯାଜପୁର ଘର ସହ କଟକ ଓ ଭୁବନେଶ୍ୱରରେ ଏକକାଳୀନ ରେଡ୍ କରିଛି । ତେବେ ରେଡ୍ ସମୟରେ ପୀୟୂଷଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଭିଜିଲାନ୍ସ ।

ଏପର୍ଯ୍ୟନ୍ତ ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ପୀୟୂଷ ପାଣିଙ୍କର ଭୁବନେଶ୍ୱରରେ ବିଭିନ୍ନ ପ୍ରମୁଖ ଅଞ୍ଚଳରେ ରହିଛି ୧୧ ଟି ପ୍ଲଟ୍ । ଏହି ପ୍ଲଟ୍ ଗୁଡ଼ିକର ମୂଲ୍ୟ ୩ କୋଟି ୭୦ ଲକ୍ଷ ହେବ, କନ୍ତୁ ମୂଲ୍ୟ ଅଣ୍ଡରଭ୍ୟାଲୁ କରାଯାଇ ରେଜିଷ୍ଟ୍ରେସନ କରାଯାଇଥିବା ସନ୍ଦେହ କରାଯାଉଛି । ଭୁବନେଶ୍ୱର ଚକେଇସିଆଣିରେ ଗୋଟିଏ ୩ ମହଲା କୋଠା, ଯାଜପୁର ଚୋର୍ଦ୍ଦାରେ ୩ ଟି ତିନି ମହଲା, ଗୋଟିଏ ୧ ମହଲା କୋଠା, ଭୁବନେଶ୍ୱର ଅନ୍ଧାରୁଆରେ ଆଉଟହାଉସ ସହ ଫାର୍ମ ହାଉସ୍, ଚକେଇସିଆଣିରେ ଗ୍ୟାରେଜ୍ ସହ ୧ ମହଲା କୋଠା ଠାବ ହୋଇଛି । ଆହୁରି ମଧ୍ୟ ବ୍ୟାଙ୍କ୍ ଜମା ଓ ବୀମା ୫୩.୬୩ ଲକ୍ଷ, ୩୮୭ ଗ୍ରାମ ସୁନା ଗହଣା ଠାବ ହୋଇଛି । ପୀୟୂଷଙ୍କର ୬ ଟି ଦାମୀ ଗାଡ଼ି, ୧୧ ଲକ୍ଷର ସ୍କୋଡା ଅକ୍ଟାଭିଆ, ୧୫ ଲକ୍ଷର ଭୋକ୍ସୱାଗନ୍ ଟାଇଗନ. ୮.୫ ଲକ୍ଷର ଭୋକ୍ସୱାଗନ ପୋଲୋ, ୯ ଲକ୍ଷ ସ୍କୋଡା ଫାଭିଆ, ୧୦.୫ ଲକ୍ଷର ସ୍କୋଡା ସୁପର୍ବ, ୭.୨୫ ଲକ୍ଷର ସ୍କୋଡା ଆମିଓ କାର୍ ଠାବ ହୋଇଛି ।

ଏହି ଚଢାଉରେ ୫ ଜଣ ଡିଏସପି, ୧୧ ଇନ୍ସପେକ୍ଟର ଓ ଏକାଧିକ ଭିଜିଲାନ୍ସ ଅଧିକାରୀ ସାମିଲ ଅଛନ୍ତି । ପୀୟୂଷଙ୍କ ବ୍ୟାସନଗର, କଟକ, ଭୁବନେଶ୍ୱର, ପାରାଦ୍ୱୀପ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି । କଟକ ଭିଜିଲାନ୍ସ ସୋମନାଥ ବାରିକଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ ବିଭିନ୍ନ କାଗଜ ପତ୍ର, ଜମି, ସମ୍ପତ୍ତିବାଡି ତଥ୍ୟ ଆଦି ଯାଞ୍ଚ କରିଥିଲେ ।

Get real time updates directly on you device, subscribe now.