ତୃତୀୟ ପକ୍ଷର ହସ୍ତକ୍ଷେପ ପଡିଲା ମହଙ୍ଗା: ଭାରତୀୟ ଫୁଟବଲ ଫେଡେରେସନକୁ ନିଲମ୍ବନ କଲା ଫିଫା

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ମହାସଂଘ କାର୍ଯ୍ୟକଳାପରେ ତୃତୀୟ ପକ୍ଷର ହସ୍ତକ୍ଷେପ ଶେଷରେ ମହଙ୍ଗା ପଡିଲା । ଏହି ଘଟଣାରେ ଫିଫା କ୍ଷୁବ୍ଧ ହୋଇ ମଙ୍ଗଳବାର ଦିନ ଅଲଇଣ୍ଡିଆ ଫୁଟବଲ ଫେଡେରେସନ (ଏଏଫଏଫଆଇ)କୁ ନିଲମ୍ବନ କରିଛି । ଫିଫାର ଏହି ନିଷେଧାଜ୍ଞା ଯଦି ଆଗମୀ ସମୟରେ ବଳବତ୍ତର ରହିବ,ତେବେ ଭାରତ ଆଗାମୀ ଅକ୍ଟୋବର ମାସରେ ଫିଫା ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ ଆୟୋଜନ କରି ପାରିବ ନାହିଁ ।

ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଯେ ଭାରତୀୟ ଫୁଟବଲର ୮୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଫିଫା ଦ୍ୱାରା ନିଲମ୍ବିତ ହୋଇଛି । ଏଏଫଏଫଆଇର କର୍ମକର୍ତ୍ତା ନିର୍ବାଚନରେ ଅହେତୁକ ବିଳମ୍ବ ନେଇ ଫିଫା ନିଲମ୍ବନ କରିବା ପାଇଁ ବାରମ୍ବାର ଧମକ ଦେଇ ଆସୁଥିଲା । ମାତ୍ର ଭାରତୀୟ ଫୁଟବଲ ମହାସଂଘ ଏଥ୍ରିତି କର୍ଣ୍ଣାତ ନ କରିବା ଫଳରେ ବର୍ତ୍ତମାନ ଏହି ଦଶା ଭୋଗିବାକୁ ପଡିଛି । ମୁଖ୍ୟତଃ ଏଫଏଫଆଇର କାର୍ଯ୍ୟକଳାପରେ ତୃତୀୟ ପକ୍ଷର ହସ୍ତକ୍ଷେପ ନେଇ ଫିଫା ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ କର୍ମକର୍ତ୍ତା ନିର୍ବାଚନ କରିବା ସହିତ କାର୍ଯ୍ୟଧାରାକୁ ଶୃଙ୍ଖଳିତ କରିବା ପାଇଁ ତାଗିଦ କରି ଆସୁଥିଲା । ମାତ୍ର ତୃତୀୟ ପକ୍ଷର ହସ୍ତକ୍ଷେପ ନେଇ ବ୍ୟୁରୋ ଅଫ ଦି ଫିଫା କାଉନସିଲ ସର୍ବସମ୍ମତି ନିଷ୍ପତ୍ତି କ୍ରମେ ଭାରତୀୟ ଫୂଟବଲକୁ ବାସନ୍ଦ କରିଛି । ତେବେ ଫିଫାର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଭାରତୀୟ ଫୁଟବଲ ମହାସଂଘର କାର୍ଯ୍ୟନିର୍ବାହୀ କମିଟି ପୂର୍ଣ୍ଣ କ୍ଷମତା ପ୍ରାପ୍ତ ହୋଇ ସମସ୍ତ କାର୍ଯ୍ୟ ପରିଚାଳନା ଦାୟିତ୍ୱ ଗ୍ରହଣ କରିବା ପରେ ଫିଫା ଏହି ନିଲମ୍ବନ ପ୍ରତ୍ୟାହାର କରିବା ନେଇ ବିଚାର କରିବ ।

ସୂଚନା ଯୋଗ୍ୟ ଯେ ୨୦୧୦ରୁ ଭାରତୀୟ ଫୁଟବଲ ମହାସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇ ନ ଥିବା ବେଳେ ପୂର୍ବତନ ଏଫଏଫଆଇ ସଭାପତି ପ୍ରଫୁଲ ପଟେଲଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇ ଥିଲା । ତେଣୁ ଗତ ମେ ୧୮ ତାରିଖ ଦିନ ସ୍ରୁିମ କୋର୍ଟ କଠୋର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପ୍ରଫୁଲ ପଟେଲଙ୍କୁ ସଭାପତି ପଦରୁ ବହିଷ୍କାର କରିଥିଲେ । ସେହି ରି ଭାରତୀୟ ଫୁଟବଲର କାର୍ଯ୍ୟ ପରିଚାଳନା କରିବା ପାଇଁ ସୁ ୍ରିମ କୋର୍ଟର ପୂର୍ବତନ ବିଚାରପତି ଏଆର ଡାଭେଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଅଫ ଆଡମିନଷ୍ଟ୍ରେଟର୍ସ ଗଠନ କରିଥିଲେ ।

ତେଣୁ ଏହି କମିଟି ନ୍ୟାସନାଲ ସ୍ପୋର୍ଟ୍ସ କୋଡ୍‌ ଓ ମଡେଲ ଗାଇଡ ଲାଇନ ଅନୁଯାୟୀ ଚଳିତ ଅଗଷ୍ଟ ମାସ ୨୮ ତାରିଖ ଦିନ ଏଏଫଏଫଆଇର କର୍ମକର୍ତ୍ତା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଥିଲା । ତେବେ ସ୍ରୁିମ କୋର୍ଟଙ୍କ ତାଗିଦ ସତ୍ତେ୍ୱ ସଭାପତି ପଦରୁ ହଟି ଯାଇଥିବା ପ୍ରଫୁଲ ପଟେଲ ଏଏଫଏଫଆଇର ସମସ୍ତ କାର୍ଯ୍ୟକଳାପରେ ଅଯଥା ହସ୍ତକ୍ଷେପ କରିବା ଫଳରେ ବିଭ୍ରାଟ ସୃଷ୍ଟି ହୋଇ ଥିଲା । ତେଣୁ ଫିଫା ଏଥିରେ ଅସନ୍ତୁଶ୍ଟ ହୋଇ ଏଏଫଏଫଆଇକୁ ଆଜି ବାସନ୍ଦ କରିଛି । ତେବେ ଫିଫା ଭାରତୀୟ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହିତ ଏହି ପ୍ରସଙ୍ଗ ନେଇ ଯୋଗାଯୋଗ ରଖିଛି । କାରଣ ଏଏଫଏଫଆଇର କାର୍ଯ୍ୟଧାରାରେ ଶୃଙ୍ଖଳା ନ ଆସିଲେ ଭାରତ ଆଗାମୀ ଫିଫା ୧୭ ବର୍ଷରୁ କମ ଫୁଟବଲ ବିଶ୍ୱକପ ଆୟୋଜନ କରିବାରୁ ବଞ୍ଚିତ ହେବା ନିଶ୍ଚିତ ।