fbpx

ଆଖି ପିଛୁଳାକେ ଭୁଷୁଡି ପଡିଲା ୪ ମହଲା କୋଠା: ଘଟଣାର ଭୟାନକ ଭିଡିଓ ଭାଇରାଲ

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଘଟିଯାଇଛି ଏକ ବିରାଟ ଅଘଟଣ । ଆଖି ପିଛୁଳାକେ ଭୁଷୁଡି ପଡିଛି ଏକ ୪ ମହଲା କୋଠା । ଚାହୁଁ ଚାହୁଁ ମାତ୍ର କେଇ ସେକେଣ୍ଡରେ ଏକ ବିରାଟକାୟ କୋଠା ମାଟିରେ ମିଶିଯାଇଥିବା ଦେଖାଯାଇଛି । ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ତେବେ ଏହି କୋଠାଟି ଖାଲି ପଡିଥିବା ନେଇ ସୂଚନା ଦେଇଛନ୍ତି ବୃହ-ମୁମ୍ବାଇ ନଗର ନିଗମର ଅଧିକାରୀ ।

ପଶ୍ଚିମ ବୋରିବଲୀର ସାଇବାବା ନଗରରେ ବାବାଙ୍କ ମନ୍ଦିର ନିକଟରେ ଏହି ଅଘଟଣ ଘଟିଯାଇଛି । ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ଗୀତାଞ୍ଜଳି ବିଲଡିଂ ଭୁଷୁଡି ପଡିଥିବା ଦେଖିବାକୁ ମିଳିଛି । ଚାହୁଁ ଚାହୁଁ ଏହି ୪ ମହଲା ବିଶିଷ୍ଟ କୋଠା ମାଟିରେ ମିଶିଯାଇଥିଲା । ଖବର ପାଇ ଘଟାସ୍ଥଳରେ ପ୍ରାୟ ୮ଟି ଦମକଳ ବାହିନୀ ଗାଡି ପହଞ୍ଚିଛି । ଏହାସହିତ ଉଦ୍ଧାରକାରୀ ଭ୍ୟାନ ଏବଂ ଅନ୍ୟାନ୍ୟ ଗାଡି, ପୋଲିସ ଏବଂ ନଗର ନିଗମର ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ତେବେ ଉଦ୍ଧାରକାରୀ ଦଳ ଏବଂ ଦମକଳ ବାହିନୀର କର୍ମଚାରୀମାନେ ଖୋଜାଖୋଜି ଜାରି ରଖିଛନ୍ତି । ଭୁଷୁଡି ପଡିଥିବା ଏହି କୋଠା ତଳେ କେହି ଚାପି ହୋଇ ରହି ଯାଇଛନ୍ତି କି ନାହିଁ, ସେ ନେଇ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । ସେପଟେ ଏହି ଘଟଣାରେ କୌଣସି ମୃତାହତ ନେଇ ଖବର ସାମନାକୁ ଆସିନି । କିନ୍ତୁ ନଗର ନିଗମର ଅଧିକାରୀମାନଙ୍କ ସୂଚନା ଅନୁଯାୟୀ, କୋଠାଟି ଅବ୍ୟବହୃତ ଥିବାରୁ ଏହାକୁ ଖାଲି କରି ଦିଆଯାଇଥିବା ବୃହ-ମୁମ୍ବାଇ ନଗର ପାଳିକାର ଆର-ସେଣ୍ଟ୍ରାଲ ବୋର୍ଡ ଦ୍ୱାରା ମିଳିଥିବା ତଥ୍ୟରୁ ଜଣାଯାଇଛି ।

Get real time updates directly on you device, subscribe now.