ନୂଆଦିଲ୍ଲୀ: କଂଗ୍ରେସ ନେତା ଜୟବୀର ଶେରଗିଲ ବୁଧବାର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି । ଜୟବୀର ଶେର୍ଗିଲ ପେସାରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ଜଣେ ଓକିଲ। ସୋନିଆ ଗାନ୍ଧୀଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଶେରଗିଲ କହିଛନ୍ତି ଯେ, ‘ମୁଁ ଦୁଃଖିତ ଯେ ବର୍ତ୍ତମାନ ଲୋକ ତଥା ଦେଶର ସ୍ୱାର୍ଥରେ ନିଷ୍ପତ୍ତି ନିଆଯାଉ ନାହିଁ । କିନ୍ତୁ ଯେଉଁମାନେ ଚାଟୁକାରିତାରେ ଲିପ୍ତ ଅଛନ୍ତି ଏବଂ କ୍ରମାଗତ ଭାବରେ ଦଳକୁ ଅବହେଳା କରୁଛନ୍ତି ସେମାନଙ୍କ ସ୍ୱାର୍ଥ ପାଇଁ ନିଷ୍ପତ୍ତି ନିଆଯାଉଛି ।’
ଏହି ନେତାମାନେ ତୃଣମୂଳ ସ୍ତରର ସମସ୍ୟା ବାବଦରେ ଅବଗତ ନଥିବାବେଳେ ସେମାନଙ୍କ ସପକ୍ଷରେ ନିଷ୍ପତ୍ତି ନିଆଯାଉଛି । ସୂଚନା ଥାଉ କି ଇସ୍ତଫା ଦେବା ପୂର୍ବରୁ ସେ କଂଗ୍ରେସର ସର୍ବ କନିଷ୍ଠ ଜାତୀୟ ମୁଖପାତ୍ର ଥିଲେ। ତେବେ ତାଙ୍କୁ ଗତ କିଛି ମାସ ଧରି ସାମ୍ବାଦିକ ସମ୍ମିଳନୀ କରିବାକୁ ଅନୁମତି ଦିଆଯାଇନଥିଲା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଜୟବୀରଙ୍କୁ କୌଣସି ମତାମତ ଦେବାକୁ ମଧ୍ୟ ମନା କରାଯାଇଥିଲା । ଆଉ ଏସବୁ ଘଟଣାକୁ ନେଇ ସେ ଇସ୍ତଫା ଦେଇଥିବା ଜଣାପଡିଛି ।