ନୂଆଦିଲ୍ଲୀ: ଟପ୍ପର ରହିଥିବା ଦେଶର ଚର୍ଚ୍ଚିତ ଭାରତୀୟ ପ୍ରଶାସନିକ ଅଧିକାରୀ ଶାହ ଫୈସଲଙ୍କୁ ଶେଷରେ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ପର୍ଯ୍ୟଟନ ମନ୍ତ୍ରଣାଳୟରେ ଉପ ସଚିବ ଭାବେ ନିଯୁକ୍ତ କରାଯାଇଛି । ଜାମ୍ମୁ-କାଶ୍ମୀର କ୍ୟାଡରର ୨୦୧୦ ବ୍ୟାଚର ଆଇଏସ ଅଧିକାରୀଙ୍କ ନିଯୁକ୍ତି ଆଦେଶକୁ ପୂର୍ବରୁ ମଞ୍ଜୁର ଦିଆଯାଇଥିଲା ଏବଂ ଏବେ ତାଙ୍କୁ ଡ୍ୟୁଟିରେ ନିୟୋଜିତ କରାଯାଇଛି । ସରକାରଙ୍କ ପକ୍ଷରୁ ତାଙ୍କର ଇସ୍ତଫା ପତ୍ରକୁ ଫେରାଇ ନିଆଯିବା ସଂପର୍କିତ ଆବେଦନକୁ ସ୍ୱୀକାର କରାଯିବା ପରେ ତାଙ୍କୁ ପୁନର୍ବାର ଡ୍ୟୁଟିରେ ନିୟୋଜିତ କରାଯାଇଛି ।
କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗର ନିର୍ଦ୍ଦେଶକ ରଞ୍ଜିତ କୁମାର ଦ୍ୱାରା ଏହି ଆଦେଶ ଜାରି କରାଯାଇଛି । ଶାହ ଫୈସଲ ୨୦୧୦ରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଟପ୍ପର ରହିଥିଲେ । ସେ ୨୦୧୯ରେ ଦେଶରେ ବଢୁଥିବା ଅସହିଷ୍ଣୁତାର ଦ୍ୱାହି ଦେଇ ଚାକିରିରୁ ଇସ୍ତଫା ଦେଇଥିଲେ । ଏପରିକି ସେ ରାଜନୀତିରେ ମଧ୍ୟ ପାଦ ଦେଇଥିଲେ । ହେଲେ ସେଥିରେ ମୋହଭଙ୍ଗ ହେବା ପରେ ପୁଣି ଥରେ ପ୍ରଶାସନିକ ସେବାରେ ଯୋଗ ଦେବାକୁ ଆବେଦନ କରିଥିଲେ ।
ଫୈସଲ ନିଜ ଇସ୍ତଫାର ପ୍ରାୟ ତିନି ବର୍ଷ ପରେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି କହିଥିଲେ ଯେ, ସେ ପୁଣି ଥରେ ପ୍ରଶାସନିକ ସେବାରେ ଯୋଗଦାନ ଦେବା ନେଇ ଉତ୍ସାହିତ । ମୋ ଜୀବର ଆଠ ମାସ(୨୦୧୯ ଜାନୁଆରୀରୁ ୨୦୧୯ ଅଗଷ୍ଟ) ଏତେ ଭାରି ରହିଥିଲା ଯେ, ମୁଁ ପ୍ରାୟତଃ ସମାପ୍ତ ହୋଇ ଯାଇଥିଲି । ଗୋଟିଏ କଳ୍ପନା ପଛରେ ମୁଁ ପାଖାପାଖି ସବୁ କିଛି ହରାଇ ଦେଲି ଯାହାକୁ ମୁଁ ବର୍ଷ ବର୍ଷ ଧରି ତିଆରି କରିଥିଲି ।