ନୂଆଦିଲ୍ଲୀ: ସୁପର ୩୦ର ପ୍ରତିଷ୍ଠାତା ଆନନ୍ଦ କୁମାର ଏକ ବଡ଼ ଘୋଷଣା କରିଛନ୍ତି । ସୁପର ୩୦ରେ ଏଣିକି ଅନ୍ୟ ରାଜ୍ୟର ଛାତ୍ରମାନେ ଆଡମିସନ କରିପାରିବେ । ଏଥିସହିତ ସୁପର ୩୦ର ସିଟ ସଂଖ୍ୟା ୧୦୦କୁ ବୃଦ୍ଧି କରାଯାଇଛି । ସୁପର ୩୦କୁ ଆଗକୁ ବଢ଼ାଇବା ଲକ୍ଷ୍ୟରେ ଆନନ୍ଦ ଏହି ନିଷ୍ପତ୍ତି ନେଇଛନ୍ତି ।
ପୂର୍ବରୁ ସୁପର ୩୦ କୋଚିଂ ସେଣ୍ଟରରେ କେବଳ ବିହାର ଛାତ୍ରମାନଙ୍କୁ ଆଡମିସନ ପାଇଁ ସୁଯୋଗ ମିଳୁଥିଲା । ମାତ୍ର ଏବେ ଅନ୍ୟ ରାଜ୍ୟର ଛାତ୍ରମାନେ ମଧ୍ୟ ଏଥିରେ ନାମ ଲେଖାଇବାର ସୁବିଧା ପାଇବେ । ପାଟନା ସ୍ଥିତ ସୁପର ୩୦ କୋଚିଂ ସେଣ୍ଟର ଆସନ୍ତା ବର୍ଷଠାରୁ ପୂର୍ବ ଭାରତରେ ନିଜର ବିଜିନେସକୁ ବିସ୍ତାର କରିବା ସହ ଅନଲାଇନ ଉପରେ ଫୋକସ୍ କରିବ ।
ଏକ ରିପୋର୍ଟ ମୁତାବକ, ସମୟ ଅନୁସାରେ ସୁପର ୩୦ର ଚାହିଦା ବଢ଼ିବାରେ ଲାଗିଛି । ଆସନ୍ତା ବର୍ଷଠାରୁ ସୁପର ୩୦ କୋଚିଂ ସେଣ୍ଟରରେ କେବଳ ବିହାର ଛାତ୍ରମାନେ ସାମିଲ ହେବେ ନାହିଁ, ଅନ୍ୟ ରାଜ୍ୟର ଛାତ୍ରମାନେ ମଧ୍ୟ ଏଥିରେ ଆଡମିସନ କରିବା ସହିତ ପ୍ରବେଶ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ । ପ୍ରବେଶ ପ୍ରକ୍ରିୟା ପୂର୍ବ ଭଳି ବଳବତ୍ତର ରହିବ ବୋଲି ଜଣାପଡ଼ିଛି । କୋଚିଂ ସେଣ୍ଟରକୁ ଆଗକୁ ବଢ଼ାଇବା ସହିତ ସାରା ଭାରତ ବର୍ଷର ପିଲାଙ୍କ ନିକଟରେ ଏହାର ସୁଫଳ ପହଞ୍ଚାଇବା ଲକ୍ଷ୍ୟରେ ଆନନ୍ଦ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।