fbpx

ପ୍ରଥମ ଥର ଲସ୍କର ଆତଙ୍କବାଦୀକୁ ନିଜର ବୋଲି ମାନିଲା ପାକିସ୍ତାନ, ଗ୍ରହଣ କଲା ମୃତଦେହ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ଏବଂ ଆତଙ୍କଙ୍କ ଅନୁଗତ ଭାବେ ପରିଚିତ ପାକିସ୍ତାନ। ତେବେ ଆମର ଏହି ପଡୋଶୀ ଦେଶ ଏହି କଥାକୁ ବାରମ୍ବାର ଏଡାଇ ଆସିଛି। ବିଶ୍ଵର ଅନେକ ସ୍ଥାନରେ ଆତଙ୍କବାଦ ଘଟଣା ଘଟି ଆସିଛି। ଅଧିକାଂଶ ଘଟଣାରେ ପାକିସ୍ତାନ ଆତଙ୍କବାଦୀଙ୍କ ସଂପୃକ୍ତି ପ୍ରମାଣିତ ହୋଇ ଆସିଛି। ହେଲେ ପାକିସ୍ତାନ ଏହି କଥାକୁ ମାନିବାକୁ ଜମାରୁ ପ୍ରସ୍ତୁତ ନୁହେଁ। ତେବେ ଆଶ୍ଚର୍ଯ୍ୟକର ଘଟଣାକ୍ରମେ ପ୍ରଥମ ଥର ଜଣେ ଆତଙ୍କବାଦୀଙ୍କୁ ନିଜ ନାଗରିକ ବୋଲି ସ୍ଵୀକାର କରିଛି ପାକିସ୍ତାନ। ଏପରିକି ଆତଙ୍କବାଦୀଙ୍କ ମୃତଦେହକୁ ମଧ୍ୟ ଗ୍ରହଣ କରିଛି। ଏହି ଆତଙ୍କବାଦୀ ନିୟନ୍ତ୍ରଣ ରେଖା(ଏଲଓସି)ରେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଭାରତୀୟ ସେନା ହାତରେ ଧରା ପଡିଥିଲା। ସେନାର ହେପାଜତରେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟର ଖୁଲାସା କରିଥିଲା, ଯାହା ପାକିସ୍ତାନର ଅସଲ ମୁଖା ଖୋଲିବାକୁ ପର୍ଯ୍ୟାପ୍ତ ଥିଲା।

ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ ପାକିସ୍ତାନ ସୋମବାର ଲସ୍କର ଏ ତୋଇବାର ପ୍ରଶିକ୍ଷିତ ଆତଙ୍କବାଦୀର ଶବକୁ ସ୍ଵୀକାର କରିଛି। ଆତଙ୍କବାଦୀଜଣକ ଅଗଷ୍ଟ ୨୧ରେ ରାଜୋରୀ ଜିଲ୍ଲାର ନୌସେରା ସେକ୍ଟରରେ ଏଲଓସି ରାସ୍ତାରେ ଅନୁପ୍ରବେଶ କରିଥିଲା। ଭାରତୀୟ ଯବାନଙ୍କ ହାତରେ ଧରା ପଡିବା ସହ ତା ଶରୀରରେ ଗୁଳି ବାଜିଥିଲା। ହେଲେ ଚିକିତ୍ସାଧୀନ ସମୟରେ ତାର ମୃତ୍ୟୁ ଘଟିଛି।

ମୃତ ଆତଙ୍କବାଦୀର ନାମ ତବାରକ ହୁସେନ(୩୨)। ସେ ପାକିସ୍ତାନ ଅଧିକୃତ କାଶ୍ମୀରର ସବଜାକୋଟର ବାସିନ୍ଦା। ଭାରତୀୟ ସେନା ପୁଞ୍ଝ ଜିଲ୍ଲାରେ ନିୟନ୍ତ୍ରଣ ରେଖାରେ ଚାକନ ଦା ବାଗ କ୍ରସିଂ ପଏଣ୍ଟରେ ପୋଲିସ୍ ଏବଂ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ପାକିସ୍ତାନକୁ ମୃତଦେହ ହସ୍ତାନ୍ତର କରିଛନ୍ତି। ରାଜୋରୀର ଏକ ସେନା ହସ୍ପିଟାଲରେ ଚିକିତ୍ସାଧୀନ ସମୟରେ ହୃଦଘାତ ଯୋଗୁଁ ଆତଙ୍କବାଦୀର ମୃତ୍ୟୁ ଘଟିଥିଲା।

ଉକ୍ତ ହସ୍ପିଟାଲରେ ତାର ସର୍ଜରୀ ଚାଲିଥିଲା। କେବଳ ଏତିକି ନୁହେଁ ଭାରତୀୟ ଯବାନ ମାନବିକତାର ଉଦାହରଣ ଦେଇ ତାର ଜୀବନ ବଞ୍ଚାଇବା ପାଇଁ ତିନି ୟୁନିଟ୍ ରକ୍ତ ମଧ୍ୟ ଦେଇଛନ୍ତି। ହୁସେନ ଖୁଲାସା କରିଥିଲା ଯେ, ତାକୁ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ନୌସେରା ସେକ୍ଟରରେ ଆଗୁଆ ପୋଷ୍ଟ ଉପରେ ନଜର ରଖିବାର କାମ ଦେଇଥିଲା। ଏପରିକି ଭାରତୀୟ ସେନା ଉପରେ ଆକ୍ରମଣ କରିବାକୁ ପାକିସ୍ତାନ ଗୁଇନ୍ଦା ବିଭାଗର ଜଣେ କର୍ଣ୍ଣେଲ ୩୦ ହଜାର ଟଙ୍କା ଦେଇଥିଲେ ବୋଲି ହୁସେନ ଖୁଲାସା କରିଥିଲା।

Get real time updates directly on you device, subscribe now.