ପୁଣି ଭାଙ୍ଗିବ ମଠ-ଦୋକାନ ବଜାର: ଚଉଡ଼ା ହେବ ସିଂହଦ୍ୱାରରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ରାସ୍ତା

ପୁରୀ: ସିଂହଦ୍ୱାର ଆଗରେ ଛି଼ଡ଼ା ହେଲେ ଏବେ ସିଧା ଦିଶିବ ସ୍ୱର୍ଗଦ୍ୱାର । ପୁଣି ଶ୍ରୀକ୍ଷେତ୍ରରେ ହେବ ପ୍ରଶସ୍ତିକରଣ ପ୍ରକ୍ରିୟା । ଉଠିବ ସବୁ ମଠ, ପୁଣି ଭଙ୍ଗା ହେବାକୁ ଯାଉଛି ଘର ଆଉ ଦୋକାନ, ବଜାର । ଶ୍ରୀମନ୍ଦିର ସିଂହଦ୍ୱାରରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ହେବ ଚଉଡା ରାସ୍ତା । ୪୦ ଫୁଟ୍ ଚଉଡ଼ା ହେବ ବାଲିସାହି-ସମୁଦ୍ରକୂଳ ରାସ୍ତା । ଏଥିପାଇଁ କାକୁଡ଼ିଖାଇ ଛକରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ମଠ, ଘର ଓ ଦୋକାନ ଉଚ୍ଛେଦ କରାଯିବ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅଧିକ ସଶକ୍ତ କରିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ । ତେବେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି । ଏହା ଭିତରେ ବାଲି ସାହି ଅଞ୍ଚଳର କିଛି ମୁରବୀ ଶ୍ରେଣୀୟ ଲୋକଙ୍କୁ ଡାକି ପ୍ରଥମ ପର୍ଯ୍ୟାୟ ଆଲୋଚନା ବି ସାରିଛି ଜିଲ୍ଲା ପ୍ରଶାସନ । ପ୍ରଥମେ ଏହି ରାସ୍ତା ୬୦ ଫୁଟ୍ ଚଉଡ଼ା କରିବାକୁ ପ୍ରଶାସନ ଯୋଜନା କରିଥିଲା, ହେଲେ କଡ଼ା ଆପତ୍ତି ଉଠିବାରୁ ଏହାକୁ କମାଇ ୪୦ ଫୁଟ୍ ରଖିବାକୁ ସ୍ଥିର କରାଯାଇଛି । କିନ୍ତୁ ଅଞ୍ଚଳବାସୀ ୩୦ ଫୁଟ୍ ଭିତରେ ରାସ୍ତା ପ୍ରଶସ୍ତିକରଣ ସୀମିତ ରଖିବାକୁ ପ୍ରସ୍ତାବ ଦେଇଛନ୍ତି । ଯଦି ଏଥିରେ ବ୍ୟତିକ୍ରମ ଘଟେ, ତାହାଲେ ଏହାକୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ । ସେପଟେ ରାସ୍ତା ପ୍ରଶସ୍ତିକରଣ ପାଇଁ ପର୍ଯ୍ୟାୟକ୍ରମେ ସମସ୍ତ ପକ୍ଷଙ୍କ ସହ ସବିଶେଷ ଆଲୋଚନା ହେଉଛି ଏବଂ କାମ ଖୁବଶୀଘ୍ର ଆଗେଇବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ନିକଟ କାକୁଡ଼ିଖାଇ ଛକ ପାଖରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଯାଇଥିବା ବାଲିସାହି ରାସ୍ତା ବେଶ୍ ଜନଗହଳିପୂର୍ଣ୍ଣ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ସମୁଦ୍ରକୂଳକୁ ଯାତ୍ରୀମାନେ ଏହି ବାଟ ଦେଇ ଯାଇଥାନ୍ତି । ତେବେ ଏ ରାସ୍ତା କେଉଁଠି ଓସାରିଆ ତ କେଉଁଠି ଅଣ ଓସାରିଆ । ଚାରି ଚକିଆ ଯାନଟିଏ ଆଦୌ ଯାଇପାରିବ ନାହିଁ । କାରଣ ରାସ୍ତା ସାରା ଛୋଟବଡ଼ ଦୋକାନ ସହ ମଠ ଓ ମନ୍ଦିରର ଜାଗା ମଧ୍ୟ ରହିଛି । ଶ୍ରୀମନ୍ଦିର-ସ୍ୱର୍ଗଦ୍ୱାର ରାସ୍ତା ପ୍ରଶସ୍ତିକରଣ ଭଳି ଶ୍ରୀମନ୍ଦିର-ଲୋକନାଥ ମନ୍ଦିର ରୋଡକୁ ମଧ୍ୟ ଚଉଡ଼ା କରିବାକୁ ଯୋଜନା ରଖିଛି ପୁରୀ ଜିଲ୍ଲା ପ୍ରଶାସନ । ଏଥିପାଇଁ ବି ଆନୁସଙ୍ଗିକ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।