fbpx

ହାଡ ଯୋଡା ଠାକୁର, କୋଣାର୍କର ପ୍ରସିଦ୍ଧ ଶୈବପୀଠ ବାବା ବାଲି କପିଳେଶ୍ୱର

ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ବାବା ବାଲି କପିଳେଶ୍ୱର ମହାଦେବଙ୍କ ମନ୍ଦିର । ଭକ୍ତି ଏବଂ ବିଶ୍ଵାସର ପୀଠ ଭାବରେ ସାରା ଓଡ଼ିଶାରେ  ପ୍ରସିଦ୍ଧ । ପୁରୀରୁ କୋଣାର୍କ ଅଭିମୁଖେ ୩୦ କିଲୋମିଟର ଗଲା ପରେ ମୁଖ୍ୟ ସଡ଼କରୁ ବାମ ପଟକୁ ୨ କିଲୋମିଟର ଦୂରରେ ଅବସ୍ଥିତ ଏହି ପ୍ରସିଦ୍ଧ ମନ୍ଦିର । ବାବା ବାଲି କପିଳେଶ୍ଵର ହାଡ଼ ଭଙ୍ଗା ଠାକୁର ଭାବରେ ଘରେ ଘରେ ପରିଚିତ । କିମ୍ବଦନ୍ତୀ ଅନୁସାରେ ବାଲି କୁଦ ଭିତରୁ ଆବିର୍ଭାବ ହୋଇଥିବାରୁ ବାବାଙ୍କ ନାମ ବାଲି କପିଳେଶ୍ଵର ରଖାଯାଇଛି। ଆଜକୁ ପ୍ରାୟ ୭୦ ବର୍ଷ ତଳେ ସ୍ଥାନୀୟ ଭକ୍ତ ଏବଂ ସେବାୟତଙ୍କ ସହଯୋଗ ରୁ ବାବାଙ୍କ ମନ୍ଦିର ନିର୍ମାଣ ହୋଇଛି । ପାର୍ଶ୍ଵ ଦେବା ଦେବୀ ଭାବରେ ମା ପାର୍ବତୀ, ଗଣେଶ ,କାର୍ତ୍ତିକଙ୍କ ମୂର୍ତ୍ତି ପୂଜା ପାଉଛନ୍ତି।

ବିଶ୍ବାସ ରହିଛି ଶରୀରର କୌଣସି ଅଂଶର ହାଡ଼  ଭାଙ୍ଗିଗଲେ ବାବାଙ୍କ ନାମରେ ୨୧ ଦିନ ନିଷ୍ଠାର ସହିତ  ମାନସିକ ରଖି ଉପଚାର କଲେ ହାଡ଼ ଯୋଡ଼ି ହୋଇଯାଏ। ଅନେକ ଲୋକଙ୍କ ମାନସିକ ପୂରଣ ହୋଇଥିବାରୁ ଦିନକୁ ଦିନ ମାନସିକ ଧାରି ଭକ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କିଛି ରୋଗୀ ଏଠାରେ ବାବାଙ୍କ ପୀଠ ରେ ରହି ମାସମାସ ଧରି ହୁକୁମ ନେଇ ଭଲ ହୋଇ ଘରକୁ ଫେରୁଛନ୍ତି।

କଥାରେ ଅଛି ବିଶ୍ଵାସର ମୂଳେ ଭଗବାନ, ବିଶ୍ବାସ ଯେଉଁଠି ଭଗବାନ୍ ସେଇଠି।ବାବା ବାଲି କପିùkଶ୍ୱରଙ୍କ ମହିମା ଯେତିକି ପ୍ରସିଦ୍ଧ ମନ୍ଦିରରେ ବାବାଙ୍କ ପ୍ରସାଦ ମଧ୍ୟ ସ୍ଵାଦିଷ୍ଟ ରେ ପ୍ରସିଦ୍ଧ ଅଟେ । ପ୍ରତିଦିନ ୮୦୦ ରୁ ୧୦୦୦  ଲୋକଙ୍କ ରୋଷେଇ ମନ୍ଦିରରେ ହୋଇଥାଏ। ଭକ୍ତ ମାନେ ନିକଟତମ ଅଞ୍ଚଳରୁ ଆସି ପୀଠରେ ଚୁଡ଼ାଘଷା , କଦଳୀ ଚକଟା, ଡାଲମା ,ଅର୍ଣ୍ଣ,ବେସର, ଖଟା,ଖିରି ପ୍ରସାଦ ଖାଇ ଖୁସି ମନରେ ଘରକୁ ଫେରିଥାନ୍ତି। ଅନ୍ୟ ମନ୍ଦିର ପରି ଏଠାରେ ସମସ୍ତ ପର୍ବ ପାଳନ ହୋଇଥାଏ କିନ୍ତୁ ଜାଗର ଯାତ୍ରା ଏଠାର ସବୁଠାରୁ ବଡ଼ ପର୍ବ ଭାବେ ପାଳନ ହୁଏ। ଭକ୍ତଙ୍କ ଅନୁଦାନରୁ ମନ୍ଦିରର କିଛି ସୌନ୍ଦର୍ଯ୍ୟକରଣ କାର୍ଯ୍ଯ  ହୋଇଛି , ସେବାୟତ ମାନଙ୍କ କହିବା ଅନୁସାରେ ପ୍ରଶାସନ ର ଦୃଷ୍ଟି ପଡ଼ିଲେ ପୀଠର ଆହୁରି ଉନ୍ନତିକରଣ ହୋଇପାରନ୍ତା।

Get real time updates directly on you device, subscribe now.