fbpx

ଦୁର୍ଗାପୂଜା ପୂର୍ବରୁ ବଢ଼ିଲା ବେଆଇନ ଦାଦାବଟି ଆଦାୟ, ସଜାଗ କମିଶନରେଟ ପୋଲିସ୍

ଭୁବନେଶ୍ୱର: ରାଜ୍ୟରେ ଗଣେଶ ପୂଜା ଶେଷ ହେବାପରେ ଆରମ୍ଭ ହୋଇଯାଇଛି ପାର୍ବଣର ଆଗମନ । ଯାହାକୁ ନେଇ ରାଜଧାନୀବାସୀଙ୍କ ସମେତ ରାଜ୍ୟର ବିଭିନ୍ନ ସହରର ବାସିନ୍ଦାଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳିଯାଇଛି । ପ୍ରାୟ ଦୁଇ ବର୍ଷର ବିରତି ପରେ ଧୁମଧାମରେ ହେବ ମାଙ୍କ ଆଗମନ । କିନ୍ତୁ ଏଥି ମଧ୍ୟରେ ପୂଜା ଉତ୍ସବ ନାଁରେ ଦାଦାବଟି ଆଦାୟ ଓଡ଼ିଶା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ଭୁବନେଶ୍ୱର ଠାରୁ କଟକ ପର୍ଯ୍ୟନ୍ତ, ଏପରିକି ପଶ୍ଚିମ ଓଡ଼ିଶା ଜିଲ୍ଲା ନୁଆପଡା ଅଞ୍ଚଳରେ ମଧ୍ୟ ଦାଦାବଟି ଆଦାୟ କାରଣରୁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଖବର ଅନୁଯାୟୀ, ନୁଆପଡା କୋମନା ପୋଲିସ୍ ସୀମା ଅନ୍ତର୍ଗତ ଥୁଟିବର ଗାଁର ଜଣେ ମହିଳାଙ୍କୁ ଜିଲ୍ଲା ମହୋତ୍ସବ କମିଟି ତରଫରୁ ୧୦,୦୦୦ ଟଙ୍କା ମାଗି ଜଣେ ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ତାଙ୍କ ସ୍ୱାମୀ ଶରତ ଚନ୍ଦ୍ର ସାହୁଙ୍କ ଅଭିଯୋଗ ଅନୁଯାୟୀ ବୁଧବାର ରାତିରେ ଦୁର୍ବୃତ୍ତ ଜଣକ ତାଙ୍କୁ ଟଙ୍କା ମାଗିଥିଲା। ହେଲେ ସେ ଏନେଇ ପ୍ରତିବାଦ କରିବାରୁ ଦୁର୍ବୃତ୍ତ ଜଣକ ତାଙ୍କୁ ବନ୍ଧୁକ ଦେଖାଇଥିଲା। କିନ୍ତୁ ଘଟଣାରେ ଶରତଙ୍କ ପତ୍ନୀ କୁମୁଦିନି ଶବର ତାଙ୍କୁ ଠେଲି ଦେଇ ନିଜେ ଆକ୍ରମଣର ଶିକାର ହୋଇଥିଲେ। ଯାହାଫଳରେ ସେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ନୁଆପଡା ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ କହିଛନ୍ତି, “ଦମ୍ପତ୍ତି ରାତିରେ ଶୋଇଥିବା ବେଳେ ସେହି ଗାଁର ନୀଲମ୍ବର ସୁନା ନାମକ ଜଣେ ଦୁର୍ବୃତ୍ତ କବାଟ ବାଡେଇ ଟଙ୍କା ମାଗିଥିଲା। ଯେତେବେଳେ ଦମ୍ପତି କବାଟ ଖୋଲିଥିଲେ, ସେ ସେମାନଙ୍କୁ ବନ୍ଧୁକ ଦେଖାଇବା ସହିତ ଧମକ ଦେଇଥିଲା ଏବଂ ଶେଷରେ ଶରତଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲା।

ସେହିଭଳି ଭୁବନେଶ୍ୱରର ଭରତପୁରର କାଲିଙ୍ଗନଗରରେ ଜଣେ ଫଳ ବିକ୍ରେତା ମଙ୍ଗଳବାର ଦିନ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏହି ଘଟଣାରେ ପୋଲିସ ଚାରିଜଣଙ୍କୁ ଗିରଫ କରିଛି। ଦୁର୍ଗା ପୂଜା ପାଇଁ ପ୍ରସିଦ୍ଧ ସିଲଭର ସିଟି କଟକରେ ମଧ୍ୟ ସହରର ବାସିନ୍ଦା ଅତ୍ୟଧିକ ପୂଜା ଚାନ୍ଦା ମାଗିବା ନେଇ ଅଭିଯୋଗ ଆଣିଛନ୍ତି | ମାଙ୍କ ଆଗମନ ପାଇଁ ଅନେକ ପୂଜା କମିଟି ପ୍ରସ୍ତୁତ ହେଉଥିବାବେଳେ ପୂଜା ନାଁରେ ଦାଦାବଟି ଆଦାୟ କରୁଥିବା ଲୋକଙ୍କ ଧରପଗଡ଼ ପାଇଁ କଟକ ପୋଲିସ ମଧ୍ୟ ପ୍ରସ୍ତୁତ ହୋଇଛି। ଏତଦ୍‌ବ୍ୟତୀତ, କମିଶନର ପୋଲିସ ଏନେଇ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି; କଟକ ପାଇଁ ୬୩୭୦୭୦୧୫୫୦, ୮୭୬୩୦୬୮୪୬୪ ଏବଂ ଭୁବନେଶ୍ୱର ପାଇଁ ୭୬୩୦୬୮୪୬୪, ୭୦୭୭୧୯୮୧୧୧ ନମ୍ବରରେ ଦାଦାବଟି ଆଦାୟକାରୀଙ୍କ ରିପୋର୍ଟ କରିବାକୁ ପରାମର୍ଶ ଦିଆଯାଇଛି | କଟକ ଡିସିପି ପିନାକ ମିଶ୍ର କହିଛନ୍ତି, “ଆମେ କିଛି ଲୋକଙ୍କଠାରୁ ଜବରଦସ୍ତ ଟଙ୍କା ମାଗୁଥିବା ଖବର ପାଇଛୁ। ଏହା ମଧ୍ୟ ଚୋରୀର ଏକ ରୂପ | ଆମକୁ ଏଭଳି ଘଟଣା ବିଷୟରେ ଜଣାଇବା ପାଇଁ ଆମେ ଏକ ଫୋନ୍ ନମ୍ବର ଜାରି କରିଛୁ। ”

ବେଆଇନ ଦାଦାବଟି ଆଦାୟ ଦାବିରେ ଜାନୁଆରୀ ୨୦୨୨ ପରଠାରୁ ଚାଲିଥିବା ଅପରେସନ୍ ‘ଦାଦାବଟି କୁ ନା’ (No To Extraction) ରେ କମିଶନରରେଟ ପୋଲିସ୍ ଏପର୍ଯ୍ୟନ୍ତ ୩୩ ଜଣଙ୍କୁ ଗିରଫ କରିଛି। ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ଆଠଟି ମାମଲା ସଂପର୍କରେ ସେପ୍ଟେମ୍ବର ମାସରେ ଏପର୍ଯ୍ୟନ୍ତ ୧୩ ଜଣଙ୍କୁ ଗିରଫ କରାଯାଇଛି।

Get real time updates directly on you device, subscribe now.