fbpx

ଲମ୍ପି ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କଲେ ଓଡ଼ିଶା ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲମ୍ପି ରୋଗ ନେଇ ଆଜି ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର । ଗାଈ ଓ ମଇଁଷିଙ୍କ ଦେହରେ ଲମ୍ପି ବ୍ୟାପିବା ଆଶଙ୍କା ନେଇ ରାଜ୍ୟ ସରକାର ଖୁବ ତତ୍ପର ଅଛନ୍ତି । ୧୪ ଜିଲ୍ଲାର ଚାଷୀଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି ।

ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନମ୍ବର ହେଉଛି- ୦୬୭୧-୨୪୧୪୩୧୦, ୭୨୦୫୫୯୮୧୨୫ । ପଶୁଙ୍କ ଦେହରେ ରୋଗର ଲକ୍ଷଣ ଦେଖାଦେଲେ ଆପଣ ଏହି ନମ୍ବରରେ ଫୋନ୍ କରି ଜଣାଇପାରିବେ ।

ଅନ୍ୟପଟେ ରାଜ୍ୟରେ ଆଜିଠାରୁ ଗୋରୁହାଟ ବନ୍ଦ ରହିଛି । ଏନେଇ କୃଷି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଥିଲେ । ପଡ଼ୋଶି ରାଜ୍ୟ ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗରେ ଗୋରୁମାନଙ୍କ ପାଖରେ ଲମ୍ପି ସ୍କିନ୍‌ ରୋଗ ଦେଖା ଯିବା ପରେ ଏହି ସତର୍କ ମୂଳକ ପଦକ୍ଷେର ନିଆଯାଇଛି । ଲମ୍ପି ସ୍କିନ୍‌ ରୋଗ ପାଇଁ ରାଜ୍ୟରେ ଏବେ ୧ ଲକ୍ଷ ଟିକା (ଗୋଟ ପକ୍ସ) ମହଜୁଦ ରହିଛି। ପ୍ରଥମେ ସୀମାନ୍ତ ଜିଲ୍ଲାଗୁଡ଼ିକରେ ଏହି ଟୀକାକରଣ କରାଯିବ ବୋଲି ଜଣାପଡ଼ିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଓଡିଶାରେ ଗୋଟିଏବି ଲମ୍ପି ସ୍କିନ୍‌ ରୋଗ ଚିହ୍ନଟ ହୋଇନାହିଁ।

ପ୍ରାଣୀ ସମ୍ପଦ ବିଭାଗ ଲମ୍ପି ସ୍କିନ୍ ରୋଗକୁ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛି। ସୀମାନ୍ତ ଜିଲ୍ଲାଗୁଡିକରେ ବ୍ଲକ ଓ ଗ୍ରାମଗୁଡିକୁ ଚିହ୍ନଟ କରି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ସହ ୫ କିମି ପରିଧି ଉପରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି।ଏହାଛଡ଼ା ଆବଶ୍ୟକୀୟ ପରିମାଣର ଔଷଧ ମହଜୁଦ ରଖିବାକୁ ନିର୍ଦେଶ ରହିଛି। ଆନ୍ତରାଜ୍ୟ ଗୋ ମଇଁଷି ପରିବହନ ଉପରେ କଟକଣା, ପ୍ରାଣୀମେଳା ଓ ପ୍ରଦର୍ଶନୀ ଉପରେ ରୋକ ଲଗାଯାଇଛି। ଗୋ ମଇଁଷି ରହୁଥିବା ସ୍ଥାନରେ ନିୟମିତ ବିଶୋଧନ କରିବାକୁ ପରାମର୍ଶ ଦିଆଯାଇଛି। ଯାହାଙ୍କ ଦେହରେ ରୋଗ ଚିହ୍ନଟ ହେଉଛି ତାଙ୍କୁ ପୃଥକ ବାସରେ ରଖିବାକୁ ନିର୍ଦେଶ ଥିବା ବେଳେ ନମୂନା ସଂଗ୍ରହ କରି ପରୀକ୍ଷା କରାଇ ନେବାକୁ ପରାମର୍ଶ ଦିଆଯାଇଛି।

Get real time updates directly on you device, subscribe now.