ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ: ୨୧ ଯାଏଁ ପ୍ରବଳ ବର୍ଷିବ, ୧୦ ଜିଲ୍ଲାକୁ ଅରେଞ୍ଜ ତ’୧୪ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ, ଉତ୍ତର ବଙ୍ଗୋପସାଗର ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।

ଘୂର୍ଣ୍ଣିବଳୟ ପ୍ରଭାବରେ ଗତ ରବିବାର ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ ଲଘୁଚାପ ପରେ ରାଜ୍ୟର ସବୁ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ଏପରିକି କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘୂର୍ଣ୍ଣିବଳୟ ବାୟୁ ମଣ୍ଡଳର ୫.୮ କି.ମି. ଯାଏଁ ବ୍ୟାପ୍ତ ରହିଛି । ମଙ୍ଗଳବାର ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ଦେଖାଦେଇଛି । ମଙ୍ଗଳବାର ଠାରୁ ସାରା ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୂଆପଡ଼ା, ବରଗଡ଼, କଳାହାଣ୍ଡି, କଟକ ଓ ଖୋର୍ଦ୍ଧାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ଏହିସବୁ ଜିଲ୍ଲାଗୁଡ଼ିକରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି । ବର୍ଷାକୁ ଦୃଷ୍ଟିରେ ରଖି ୧୦ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ୧୪ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ତେବେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ବିଭାଗ ସୂଚନା ଦେବା ପରେ ରାଜ୍ୟବାସୀ ଆତଙ୍କିତ ହୋଇପଡ଼ିଛନ୍ତି ।

ଅନ୍ୟପକ୍ଷରେ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ୨୧ ତାରିଖ ଯାଏଁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ବାରମ୍ବାର ଲଘୁଚାପଜନିତ ବର୍ଷା ଲାଗି ରହୁଥିବାରୁ ଚାଷକାର୍ଯ୍ୟ ବ୍ୟାହତ ହୋଇଛି । ପ୍ରବଳ ବର୍ଷା ସହ ବନ୍ୟା ପୂର୍ବରୁ ଚାଷୀଙ୍କ ଫସଲକୁ ନଷ୍ଟ କରିଦେଇଥିବାବେଳେ ପୁଣି ଥରେ ବର୍ଷା ଚାଷୀଙ୍କ ପାଇଁ କାଳ ପାଲଟିଛି ବୋଲି କୁହାଯାଇପାରେ ।