fbpx

ହାଇକମାଣ୍ଡଙ୍କ ଇଚ୍ଛା ଏବଂ ମୁଖ୍ୟମନ୍ତ୍ରୀ ପଦର ମୋହରେ ଫସିଲେ ଗେହଲଟ୍, ଦେଲେ ଏହି ନେତାଙ୍କ ନାମରେ ପ୍ରସ୍ତାବ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ସବୁଠୁ ଅଧିକ ହଲଚଲ ରାଜସ୍ଥାନରେ ଦେଖିବାକୁ ମିଳିଛି। କାରଣ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନରେ ଲଢିବାକୁ ଯାଉଛନ୍ତି। ଅନ୍ୟପକ୍ଷେ ଗେହଲଟ ମୁଖ୍ୟମନ୍ତ୍ରୀ ପଦର ମୋହ ଛାଡି ପାରୁ ନାହାନ୍ତି। କଂଗ୍ରେସ ସୂତ୍ର ଅନୁଯାୟୀ, ଅଶୋକ ଗେହଲଟ ବୁଧବାର ସୋନିଆ ଗାନ୍ଧୀଙ୍କୁ ଭେଟିବା ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ନିଜର ଚିନ୍ତା ପ୍ରକାଶ କରିଥିଲେ। ଗେହଲଟ୍ କହିଛନ୍ତି ଯେ, ସେ ଚାହାନ୍ତି ଆଗାମୀ ଫେବୃଆରୀ ପର‌୍ୟ୍ୟନ୍ତ ପରବର୍ତ୍ତୀ ବଜେଟ୍ ଉପସ୍ଥାପନ ହେବା ଯାଏଁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଦିଆଯାଉ। ଅନ୍ୟଥା ତାଙ୍କର କୌଣସି ଭରସାଯୋଗ୍ୟ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଯାଉ।

ଏହି କାରଣରୁ ଅଶୋକ ଗେହଲଟ ବୁଧବାର ସକାଳେ କହିଥିଲେ, ମୁଁ ପାର୍ଟି ପାଇଁ ଗୋଟିଏ କି ଦୁଇଟି କିମ୍ଵା ତିନୋଟି ପଦ ସମ୍ଭାଳି ପାରିବି ଏବଂ କିଛି ବି ଛାଡି ପାରିବି। ତାଙ୍କର ଏହି ଟିପ୍ପଣୀକୁ ମୁଖ୍ୟମନ୍ତ୍ରୀ ପଦରେ ରହିବା ନେଇ ଯୋଡା ଯାଉଛି। ଏହାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି ଯେ, ଅଶୋକ ଗେହଲଟଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯିବା ପରିବର୍ତ୍ତେ କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ଵ ଦିଆଯାଉ ଏବଂ ମୁଖ୍ୟମନ୍ତ୍ରୀ ପଦରେ ରୁହନ୍ତୁ। ଏମିତି ହେଲେ ଅଶୋକ ଗେହଲଟଙ୍କ ଇଚ୍ଛା ବି ପୂରଣ ହୋଇ ପାରିବ। ହେଲେ ହାଇକମାଣ୍ଡ ଏମିତି ଚାହୁଁନଥିବା ଜଣା ପଡିଛି। ଏଥିପାଇଁ ଅଶୋକ ଗେହଲଟ ନିଜ ସ୍ଥାନରେ ସିପି ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ପ୍ରସ୍ତାବ ଦେଇଛନ୍ତି।

ସିପି ଯୋଶୀ ହେଉଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ବର୍ତ୍ତମାନ ରାଜସ୍ଥାନର ବିଧାନସଭାର ବାଚସ୍ପତି। ସେ ରାଜ୍ୟର ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣେ। ତାଙ୍କୁ ରାଜ୍ୟର ଦାୟିତ୍ଵ ମିଳିଲେ ପାର୍ଟିରେ ବିଦ୍ରୋହ କମ ହେବ। ଯୋଶୀଙ୍କ ପ୍ରତି ଗେହଲଟ ଗୋଷ୍ଠୀଙ୍କ ପୁରା ସମର୍ଥନ ରହିଛି। ଆଉ କିଛି ବିଧାୟକ ମଧ୍ୟ ଯୋଶୀଙ୍କୁ ସମର୍ଥନ କରି ପାରନ୍ତି। ଏହି ପରି କଂଗ୍ରେସ ଗେହଲଟଙ୍କୁ ଅଧ୍ୟକ୍ଷ କରିବା ସହିତ ରାଜସ୍ଥାନରେ ଆଭ୍ୟନ୍ତରୀଣ କଳହକୁ ପ୍ରଶମିତ କରି ପାରିବ।

କଣ ପାଇଲଟ ପୁଣି ଥରେ ହାରି ଯିବେ ବାଜି ?
ସଚିନ ପାଇଲଟଙ୍କ ସମର୍ଥକ ମଝିରେ ମଝିରେ ଦାବି କରୁଛନ୍ତି ଯେ, ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ। ଅଶୋକ ଗେହଲଟଙ୍କୁ ଅଧ୍ୟକ୍ଷ କରାଯିବା ଚର୍ଚ୍ଚା ମଧ୍ୟରେ ପୁଣି ଥରେ ପାଇଲଟ୍ ଗୋଷ୍ଠୀ ସକ୍ରିୟ ହୋଇ ଉଠିଛନ୍ତି। କିନ୍ତୁ ଏହି ପ୍ରସଙ୍ଗରେ ସଚିନ ପାଇଲଟ୍ ପଦୁଟିଏ ବି ମୁହଁ ଖୋଲି ନାହାନ୍ତି। ୨୦୨୦ରେ ଅଶୋକ ଗେହଲଟଙ୍କ ବିରୋଧରେ ସଚିନ ପାଇଲଟ ମୋର୍ଚ୍ଚା ଖୋଲିଥିଲେ ଏବଂ ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ଶାନ୍ତ ହୋଇଥିଲେ। ଗତ ଦିନରେ ରାହୁଲ ଗାନ୍ଧୀ ଏକ କାର‌୍ୟ୍ୟକ୍ରମରେ ସଚିନ ପାଇଲଟଙ୍କ ଉଲ୍ଲେଖ କରି କହିଥିଲେ ଯେ, ଏହି କଂଗ୍ରେସ ପାର୍ଟି ଆମକୁ ଲଗାତାର କାମ କରିବାକୁ ଉର୍ଜା ଦେଇଥାଏ। ଆମକୁ ଥକିବାକୁ ଦିଏ ନାହିଁ ଏବଂ ପ୍ରତି ଦିନ ଧୈର୍ଯ୍ୟ ରଖିବାକୁ ଶିଖାଇଥାଏ।

Get real time updates directly on you device, subscribe now.