fbpx

ମା’ ବିରଜାଙ୍କ ପାଇଁ ଶ୍ରୀମନ୍ଦିରରୁ ମିଳିଲା ବାରପାଟିଆ: ହେବ ମା’ଙ୍କ ରଥଯାତ୍ରା

ଯାଜପୁର: ଶାରଦୀୟ ଦୂର୍ଗାପୂଜା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ଆଜି ପାଳନ ହେଉଛି ମା ବିରଜାଙ୍କ ମହନବମୀ ପୂଜା ସହ ରଥଯାତ୍ରା । ଆଜି ହେଉଛି ପୂଜାର ଶେଷ ଦିନ ଏବଂ ଶେଷ ରଥଯାତ୍ରା । ପରମ୍ପରା ଅନୁସାରେ ମା’ଙ୍କ ରଥଯାତ୍ରା ସମୟରେ ଶ୍ରୀମନ୍ଦିରରୁ ଶ୍ରୀଜୀଉଙ୍କ ପ୍ରଦତ୍ତ ବସ୍ତ୍ର ମା ବିରଜାଙ୍କ ଉଦ୍ଦେଶ୍ୟରେ ଆସିଥାଏ । ପ୍ରତ୍ୟେକ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହା ବିରଜା ମନ୍ଦିରକୁ ଦିଆଯାଇଥାଏ ବୋଲି କଥିତ ଅଛି ।

ଆଜି ଅର୍ଥାତ ମହା ନବମୀ ଦିନ ଏହି ବାରପାଟିଆ ନାମକ ବସ୍ତ୍ର ଓ ମହାପ୍ରସାଦକୁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଉପସ୍ଥିତିରେ ବିରଜା ମନ୍ଦିରର ମୁଖ୍ୟ ସେବାୟତ ଦେବୀ ପ୍ରସାଦ ପାଣି, ଅନ୍ୟାନ୍ୟ ସେବାୟତ, ମନ୍ଦିର ପ୍ରଶାସନର କର୍ମକମର୍ତ୍ତାଙ୍କୁ ପୁରୀରୁ ଯାଇଥିବା ଶ୍ରୀ ସିଦ୍ଧାର୍ଥ ରାୟ ହସ୍ତାନ୍ତର କରିଛନ୍ତି । ମା ବିରଜାଙ୍କ ସହ ପ୍ରଭୁ ଜଗନ୍ନାଥଙ୍କ ଆଧ୍ୟାତ୍ମିକ ସମ୍ପର୍କ ରହିଛି । ଅନେକ ରୀତିନୀତିରେ ସାମଞ୍ଜସ୍ୟ ମଧ୍ୟ ପରିଲକ୍ଷିତ ହୁଏ । ପ୍ରବାଦ ଅଛି ଯେ ଛତିଆ ନିକଟସ୍ଥ ଗଲଗଲି କ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥ ଓ ମା ବିରଜାଙ୍କ ସାକ୍ଷାତ ହୁଏ ।

ପ୍ରଭୁ ଜଗନ୍ନାଥ ଶ୍ରୀକ୍ଷେତ୍ରରୁ ଓ ମା ବିରଜା ବିରଜା କ୍ଷେତ୍ରରୁ ଆସି ଗଲଗଲି କ୍ଷେତ୍ରରେ ପରସ୍ପର କଥା ହୋଇ ଶେଷରେ ଜଣେ ଅପରକୁ ଗଲ ବୋଲି ପଚାରନ୍ତି ଓ ଉତ୍ତରରେ ଗଲି ବୋଲି ସୂଚନା ପାଆନ୍ତି । ଏହି ଗଲ ଓ ଗଲିର ବାର୍ତ୍ତାଳାପକୁ ନେଇ ଗଲଗଲି ଭାବେ ଏଠାକାର ନାମକରଣ ହୋଇଛି ବୋଲି ପ୍ରବାଦ ରହିଛି । ଶ୍ରୀ ଜଗନ୍ନାଥଙ୍କ ବସ୍ତ୍ର ପ୍ରାପ୍ତି ପରେ ବିରଜା ମନ୍ଦିରର ସେବାୟତ, ଜିଲ୍ଲା ପ୍ରଶାସନ ଓ ଜନସାଧାରଣ ଶ୍ରୀମନ୍ଦିର ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.