fbpx

ଭୁଲ୍ ପ୍ରମାଣିତ ହେଲା ପାଣିପାଗ ବିଭାଗ ! ମୌସୁମୀ ବିଦାୟର ଘୋଷଣା ପରେ ହୋଇଛି ୭୦୦%ରୁ ଅଧିକ ବର୍ଷା

ନୂଆଦିଲ୍ଲୀ: ସେପ୍ଟେମ୍ବର ୩୦ରେ ଦେଶରୁ ମୌସୁମୀ ବିଦାୟ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ମାତ୍ର ଅକ୍ଟୋବର ମାସର ପ୍ରଥମ ୧୦ ଦିନରେ ଉତ୍ତର ଭାରତର ଅନେକ ରାଜ୍ୟରେ ଭୀଷଣ ବର୍ଷା ହୋଇଛି। ଏହାକୁ ମୌସୁମୀ ପରବର୍ତ୍ତୀ ବର୍ଷା ବୋଲି ପାଣିପାଗ ବିଭାଗ କହୁଥିଲେ ମଧ୍ୟ ଅଧିକାରୀଙ୍କ କଥାରେ ଦମ୍ଭ ନାହିଁ। ବିଶେଷଜ୍ଞଙ୍କ ଅନୁଯାୟୀ, ପାଣିପାଗ ବିଭାଗ ତରବରିଆ ଭାବେ ଦେଶରୁ ମୌସୁମୀ ବିଦାୟ ନେଇଥିବା ଘୋଷଣା କରିଥିଲେ। ହେଲେ ଏହାର ଓଲଟା ଉତ୍ତର ପଶ୍ଚିମ ଭାରତରେ ଅକ୍ଟୋବର ମାସର ୧୦ ଦିନରେ ହାରାହାରି ୪୦୫ ପ୍ରତିଶତ ବର୍ଷା ହୋଇଛି। ରାଜଧାନୀ ଦିଲ୍ଲୀରେ ୬୨୫ ପ୍ରତିଶତରୁ ଅଧିକ ବର୍ଷା ହୋଇଛି। ହରିୟାଣାରେ ୫୭୭ ଏବଂ ଉତ୍ତରାଖଣ୍ଡରେ ହାରାହାରି ୫୩୮ ପ୍ରତିଶତରୁ ଅଧିକ ବର୍ଷା ହୋଇଛି।

ଉତ୍ତର ପ୍ରଦେଶର ପୂର୍ବ ଏବଂ ପଶ୍ଚିମ ଭାଗ ସମେତ ସମସ୍ତ ଜିଲ୍ଲାଗୁଡିକରେ ୬୯୮ ପ୍ରତିଶତ ଅଧିକ ବର୍ଷା ହୋଇଛି। କିନ୍ତୁ ପାଣିପାଗ ବିଭାଗ ଘୋଷଣା କରିଥିଲା ଯେ, ସେପ୍ଟେମ୍ବର ୩୦ରୁ ପଞ୍ଜାବ, ଚଣ୍ଡିଗଡ, ଦିଲ୍ଲୀ, ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ, ହରିୟାଣା ଏବଂ ରାଜସ୍ଥାନରୁ ମୌସୁମୀ ବିଦାୟ ନେଇ ସାରିଛି। ଏହା ପରେ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ପାଣିପାଗ ବିଭାଗର ପୂର୍ବାନୁମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଣି ମଙ୍ଗଳବାର ବିଭାଗ ଅନୁସାରେ, ମୌସୁମୀ ଏବେ ଫେରିବାରେ ଲାଗିଛି।

ପାଣିପାଗ ବିଭାଗର ନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଅକ୍ଟୋବର ମାସର ପ୍ରାରମ୍ଭରେ ଅଧିକରୁ ଅଧିକ ପ୍ରତିଶତ ବର୍ଷା ହୋଇଛି। ସାଧାରଣତଃ ଏହି ସିଜିନରେ କମ ବର୍ଷା ହୋଇଥାଏ। କିନ୍ତୁ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶ ପରି ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ଏହା ସତ୍ୟ ଯେ, ଆମେ ଦିଲ୍ଲୀରୁ ମୌସୁମୀ ବିଦାୟ ନେଇଛି ବୋଲି ଘୋଷଣା କରିଥିଲୁ। ହେଲେ ଏବେ ମୌସୁମୀ ବିଦାୟ ନେଉ ନେଉ ବର୍ଷି ଦେଇ ଯାଇଛି। ଆମେ ବର୍ଷାକୁ ନେଇ ସଠିକ୍ ଅନୁମାନ କରିଥିଲୁ ଏବଂ ପ୍ରଥମ ସାତ ଦିନର ପୂର୍ବାନୁମାନ ଜାରି କରିଥିଲୁ ବୋଲି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

Get real time updates directly on you device, subscribe now.