ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରୁ ଉଠିଲା ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା । ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବଡ଼ ଘୋଷଣା କରିଛନ୍ତି । ସବୁ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଚୁକ୍ତି ଭିତ୍ତିକ ଯୁଗ ଶେଷ ହୋଇଛି । ଆସନ୍ତାକାଲି ଏନେଇ ବିଜ୍ଞପ୍ତି ପ୍ରକାଶ କରାଯିବ । ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବ । ଏଥିପାଇଁ ହାରାହାରି ଅଧିକ ୧୩ଶହ କୋଟି ଟଙ୍କା ଖର୍ଚ୍ଚ ହେବ ।’
ଏହା ସହ ଭଲ କାମ କରିବା ପାଇଁ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ୫-ଟି ଅନୁସାରେ କାମ କରିବାକୁ କର୍ମଚାରୀଙ୍କ ଆହ୍ୱାନ ଦେଇଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣରେ କହିଛନ୍ତି ଯେ, ‘୨୦୦୦ ମସିହା ପରଠୁ ମା’ର ସେବା କରିବାର ସୁଯୋଗ ପାଇଲି । ମହାବାତ୍ୟା ଓ ଦୁର୍ବଳ ଅର୍ଥ ବ୍ୟବସ୍ଥା ମୋ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ନୀତିଦିନ ଖର୍ଚ୍ଚ ପାଇଁ ରାଜ୍ୟକୁ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା । ରାଜକୋଷ ସମ୍ପୂର୍ଣ୍ଣ ଖାଲି ଥିଲା, ଅର୍ଥନୀତି ଉପରେ ଚାପ ଥିଲା । ବନ୍ୟା, ବାତ୍ୟା ଓ ମରୁଡ଼ି ଲାଗି ରହୁଥିଲା । ରାଜ୍ୟରେ ଗରିବି ଅଧିକ ମାତ୍ରାରେ ଥିଲା । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଜଳସେଚନରେ ଆମେ ବହୁତ ପଛୁଆ ଥିଲୁ ।’