ରାଜ୍ୟରେ ଦେବଦେବ ମହାଦେବଙ୍କର ଅନେକ ରହସ୍ୟରେ ଭରା ଶୈବପୀଠ ମାନ ରହିଛି । ପ୍ରଭୁ ଭୋଳାନାଥ ନିଜ ଭକ୍ତଙ୍କ ନିମନ୍ତେ ଅନେକ ରୂପରେ ଅନେକ ବେଶରେ ଆର୍ବିଭୁତ ହୋଇଛନ୍ତି । ବାବାଙ୍କ ଏକ ଅନନ୍ୟ ପୀଠ ରହିଛି ଉପାନ୍ତ ଅଞ୍ଚଳ ନବରଙ୍ଗପୁର ଜିଲ୍ଲାରେ । ସଦରର ଉତ୍ତର ଦିଗରେ ଅବସ୍ଥିତ ଏମିତି ଏକ ସ୍ଥାନ ହେଉଛି ପାପଡାହାଣ୍ଡି । ଯେଉଁଠି ରହିଛି ବାବା ନୀଳକଣ୍ଠେଶ୍ୱର ଙ୍କର ଐତିହାସିକ ମନ୍ଦିର । ମହାଦେବଙ୍କର ଏହି ଶୈବପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମଧ୍ୟ ମିଳିଛି । ଏହି ସର୍ବ ପୁରାତନ ଶୈବପୀଠର କାରୁକାର୍ଯ୍ୟ କିଭଳି ହୋଇଥିଲା ଏବଂ ଏହାକୁ କିଏ ନିର୍ମାଣ କରିଥିଲା ସେନେଇ କୌଣସି ସଠିକ ତଥ୍ୟ କାହା ପାଖରେ ନାହିଁ ।
ସ୍ଥାନୀୟ ଲୋକଙ୍କ କହିବା ଆନୁସାରେ, ସୋମବଂଶ ରାଜୁତି ସମୟରେ ଏହି ଶୈବପୀଠର ନିର୍ମାଣ ହୋଇଥିଲା ଏବଂ ଏହି ମନ୍ଦିରକୁ ସ୍ୱୟଂ ବିଶ୍ୱକର୍ମା ହିଁ ନିର୍ମାଣ କରିଥିଲେ । ଖ୍ରୀଷ୍ଟାବ୍ଦ ୯୦୦ ପୂର୍ବରୁ ଏଠାରେ ନୀଳକଣ୍ଠେଶ୍ୱର ଦେବ ରୂପରେ ପୂଜା ପାଉଥିବା ଅନୁମାନ କରାଯାଏ । ଏହି ମନ୍ଦିରର ନିର୍ମାଣ ଖଡି ପଥରରେ ନିର୍ମାଣ କରାଯାଇଛି ଏବଂ ଏହାର କାରୁକାର୍ଯ୍ୟ ଅତି ସୂକ୍ଷ୍ମ । କିମ୍ବଦନ୍ତୀ କୁହେ ଯେତେବେଳେ କଳା ପାହାଡ଼ ଆକ୍ରମଣ କରିବାକୁ ଆସିଲା ସେତେବେଳେ କୌଣସି ଏକ ଧାର୍ମିକ ରାଜା ଏହି ଜଙ୍ଗଲ ଅଞ୍ଚଳକୁ ଆତ୍ମଗୋପନ ପାଇଁ ଆସି ରହିଥିଲେ । ସେଠାରେ ଏକ ଶିବ ଲିଙ୍ଗକୁ ପାଇଥିଲେ, ଯେଉଁଥିପାଇଁ ନିଜ ସୈନ୍ୟ ସାମନ୍ତକୁ ଲଗାଇ ମନ୍ଦିର ନିର୍ମାଣ କରିଥିଲେ । ତେବେ ଏଠାରେ ଥିବା ଚମ୍ପା ବଣ ସମସ୍ତଙ୍କୁ ଆକର୍ଷିତ କରି ରଖିଥାଏ ।
ବାବା ନୀଳକଣ୍ଠେଶ୍ୱରଙ୍କ ପାଖରୁ କିଏ ବି ନିରାଶ ହୋଇ ଫେରିନଥାନ୍ତି । ଜୟପୁରର ରାଜା ସନ୍ତାନ ପ୍ରାପ୍ତି ପାଇଁ ଏଠାରେ ପୁତ୍ତ୍ରେଷ୍ଟି ଯଜ୍ଞର ଆୟୋଜନ କରିଥିଲେ । ତେଣୁ ବିଶେଷ କରି ସନ୍ତାନ ପ୍ରାପ୍ତି ପାଇଁ ବାବା ନୀଳକଣ୍ଠେଶ୍ୱରଙ୍କ ପାଖରେ ପୂଜାର୍ଚ୍ଚନା କଲେ ତାହା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଜୟପୁରର ରାଜା ବାବାଙ୍କ ପୂଜାର୍ଚ୍ଚନା ପାଇଁ ମଞ୍ଜୁଘୋଷ ତ୍ରିପାଠୀଙ୍କୁ ରାଜ ପୁରୋହିତ ଭାବେ ନିଯୁକ୍ତି କରିଥିଲେ । ଏହାପରେ ତାଙ୍କ ବଂଶଜ ମାନେ ଏହି ଶୈବପୀଠରେ ପୂଜା କରି ଆସୁଛନ୍ତି । ତେବେ ଓଡ଼ିଶା ସରକାର ୧୯୫୬ ମସିହାରେ ନୀଳକଣ୍ଠେଶ୍ୱର ଶୈବପୀଠରେ ରକ୍ଷଣାବେକ୍ଷଣ ଦାୟିତ୍ୱ ଦେବୋତ୍ତର ବିଭାଗକୁ ହସ୍ତାନ୍ତର କରିଥଲେ ।
ଏହି ଶୈବପୀଠରେ ପ୍ରତ୍ୟେକ ପର୍ବ ମହାହ ଆଡମ୍ବରରେ ପାଳନ କରାଯାଇଥାଏ । ଏହି ଶୈବପୀଠରେ ଶ୍ରାବଣ ମାସରେ ଦୂର ଦୁରାନ୍ତରୁ ଆସିଥିବା କାଉଡ଼ିଆଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ । ମନ୍ଦିର ପ୍ରାଙ୍ଗଣରେ ପାର୍ଶ୍ୱ ଦେବତା ଭାବେ ଦକ୍ଷିଣରେ ଗଣେଶ , ପଶ୍ଚିମରେ କାର୍ତ୍ତିକ ଏବଂ ଉତ୍ତରରେ ପାର୍ବତୀ ଏବଂ ବିଭିନ୍ନ ମୁଦ୍ରାରେ ଥିବା ୨୭ ଜଣ ପାର୍ଶ୍ୱ ଦେବତାଙ୍କୁ ସ୍ଥାପନ କରାଯାଇଛି । ଏହି ଶୈବପୀଠକୁ ସ୍ଥାନୀୟ ଅଞ୍ଚଳ ସମେତ ପଡୋଶୀ ରାଜ୍ୟରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ ।