fbpx

ଦୁନିଆର ନର୍କ ଏହି ଦ୍ଵୀପ, ଜୀବନ୍ତ ଜାଳି ଦିଆଯାଇଥିଲା ୧.୬୦ ଲକ୍ଷ ଲୋକଙ୍କୁ, ଯିଏ ଯାଇଛି ଆଉ ଫେରିନି

ନୂଆଦିଲ୍ଲୀ: ଦୁନିଆରେ ତ ଏମିତି ଅନେକ ସୌନ୍ଦଯ୍ୟ ଭରା ଦ୍ଵୀପ ରହିଛି, ଯେଉଁଠି ବର୍ଷ ସାରା ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥାଏ। ଲୋକେ ଦୂର ଦୂରନ୍ତାରୁ ଦ୍ଵୀପକୁ ଦେଖିବା ପାଇଁ ଆସୁଛନ୍ତି। ମାତ୍ର ଏମିତି ଏକ ଦ୍ଵୀପ ରହିଛି, ଯେଉଁଠି ଆପଣ ଚାହିଁକି ବି ଯାଇ ପାରିବେ ନାହିଁ। କାରଣ ଉକ୍ତ ଦେଶର ସରକାର ଏହି ଦ୍ଵୀପକୁ ବହୁତ ବିପଦଜ୍ଜନକ ସ୍ଥାନ ଭାବେ ଘୋଷଣା କରିଛନ୍ତି। ଏଠାରେ ଅସ୍ଵାଭାବିକ ଗତିବିଧି ଅନୁଭୂତ ହୋଇଥାଏ। ଏହି ଅଦ୍ଭୁତ ଧରଣର ଦ୍ଵୀପ ଇଟାଲୀରେ ଅବସ୍ଥିତ। ଏହାର ନାମ ପୋଭେଗ୍ଲିଆ ଦ୍ଵୀପ। ଏଠାକୁ ଯିବା ଆସିବା ଉପରେ ଇଟାଲୀ ସରକାର କଟକଣା ଲଗାଇଛନ୍ତି।

ପୋଭେଗ୍ଲିଆ ଦ୍ଵୀପ ଆଇଲାଣ୍ଡ ଅଫ ଡେଥ ନାମରେ ପରିଚିତ। ଏହା ଇଟାଲୀର ଭେନିସ ଏବଂ ଲିଡୋ ସହର ମଧ୍ୟରେ ଭେନେଟିଆନ ଉପକୂଳରେ ଅବସ୍ଥିତ। ଏହାକୁ ଏକ ଛୋଟ ନାଳ ଦୁଇ ଭାଗରେ ବିଭକ୍ତ କରିଛି। କେବେ ସମୟ ଥିଲା, ଏହି ସୁନ୍ଦର ଦ୍ଵୀପରେ ବୁଲିବା ପାଇଁ ପର୍ଯ୍ୟଟକଙ୍କ ଭିଡ ଜମୁଥିଲା।

ଇଟାଲୀରେ ବ୍ୟାପିଥିଲା ପ୍ଲେଗ୍ ରୋଗ:
ମାତ୍ର ଏମିତି କିଛି ଘଟଣା ଘଟିଲା ଫଳରେ ଏହି ଦ୍ଵୀପକୁ ଯିବା ପାଇଁ କାହାକୁ ଅନୁମତି ଦିଆଗଲା ନାହିଁ। କୁହାଯାଏ ପୋଭେଗ୍ଲିଆ ଦ୍ଵୀପର ରହସ୍ୟ ଉପରୁ ପରଦା ହଟାଇବା ପାଇଁ ଯିଏ ବି ସେଠାକୁ ଯାଇଛି, ଆଉ ଫେରି ନାହାନ୍ତି। ୧୬ମ ଶତାବ୍ଦୀରେ ଇଟାଲୀରେ ପ୍ଲେଗ ନାମକ ରୋଗ କ୍ଷୀପ୍ର ଗତିରେ ବ୍ୟାପିଥିଲା। ଏଥିରେ ଅନେକ ଲୋକଙ୍କ ପ୍ରାଣହାନୀ ଘଟିଥିଲା। ଆଉ କିଛି ମୃତ୍ୟୁର ଦ୍ଵାର ଦେଶରେ ପହଞ୍ଚି ଯାଇଥିଲେ। ପୁରା ୟୁରୋପରେ ଏହି ରୋଗର ସର୍ବାଧିକ ପ୍ରଭାବ ଇଟାଲୀ ସହରରେ ଦେଖିବାକୁ ମିଳିଥିଲା।

ପୋଭେଗ୍ଲିଆ ଦ୍ଵୀପକୁ କରାଗଲା କ୍ଵାରେଣ୍ଟାଇନ ଷ୍ଟେସନ:
ପ୍ଲେଗ ରୋଗ ବ୍ୟାପକ ମାତ୍ରାରେ ବ୍ୟାପିବାରେ ଲାଗିଥିଲା। ଏଥିପାଇଁ ଇଟାଲୀ ସରକାର ପ୍ଲେଗ ରୋଗରେ ପୀଡିତ ସମସ୍ତ ରୋଗୀଙ୍କୁ ପୋଭେଗ୍ଲିଆ ଦ୍ଵୀପକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ। ପୁଣି ଏହି ଦ୍ଵୀପକୁ ପ୍ଲେଗ୍ କ୍ଵାରେଣ୍ଟାଇନ ଷ୍ଟେସନ ଭାବେ ବ୍ୟବହାର କରାଗଲା। କେବଳ ଏତିକି ନୁହେଁ ଯେଉଁ ଲୋକଙ୍କ ପ୍ଲେଗ ରୋଗରେ ମୃତ୍ୟୁ ଘଟୁଥିଲା, ସେମାନଙ୍କୁ ଏହି ଦ୍ଵୀପରେ ପୋତି ଦିଆଯାଉଥିଲା।
ଧିରେ ଧିରେ ଦ୍ଵୀପଟି ରୋଗୀରେ ଭର୍ତ୍ତି ହୋଇ ଯାଇଥିଲା। ପୁଣି ଏମିତି ସମୟ ଆସିଲା ଲକ୍ଷାଧିକ ସଂଖ୍ୟାରେ ରୋଗୀ ଏଠାରେ ରହିବାକୁ ଲାଗିଲେ। କ୍ଵାରେଣ୍ଟାଇନ ଷ୍ଟେସନ ହୋଇଥିବାରୁ ଏଠାରେ ରୋଗୀଙ୍କୁ ସର୍ବାଧିକ ୪୦ ଦିନ ରଖାଯାଉଥିଲା। ମାତ୍ର ଅବସ୍ଥା ଏତେ ଶୋଚନୀୟ ଥିଲା ଯେ, ଯେଉଁ ରୋଗୀ ଥରେ ଏଠାକୁ ଆସୁଥିଲା, ସେ ଆଉ ଘରକୁ ଫେରି ପାରୁନଥିଲା।

୧ ଲକ୍ଷ ୬୦ ହଜାର ଲୋକଙ୍କୁ ଜୀବନ୍ତ ଜାଳି ଦିଆଗଲା:
କିଛି ଐତିହାସିକବିତଙ୍କ ମୁତାବକ ଏହି ଦ୍ଵୀପରେ ଏକ ସଙ୍ଗେ ପାଖାପାଖି ଏକ ଲକ୍ଷ ୬୦ ହଜାର ଲୋକଙ୍କୁ ଜୀବନ୍ତ ଜାଳି ଦିଆଯାଇଥିଲା। କାରଣ ବଢୁଥିବା ରୋଗୀଙ୍କ ସଂଖ୍ୟାକୁ କମ କରାଯାଇ ପାରିବ। ପ୍ଲେଗ ରୋଗର ବିନାଶକାରୀ ତାଣ୍ଡବର କିଛି ସମୟ ପରେ ଇଟାଲୀରେ କଳା ଜ୍ଵର ନାମକ ଏକ ଦୁର୍ବିସହ ରୋଗ ଦେଖା ଦେଇଥିଲା। ପ୍ଲେଗ ପରି ଇଟାଲୀରେ କଳା ଜ୍ଵରର କୌଣସି ଚିକିତ୍ସା ନଥିଲା। ଫଳରେ ଏହି ରୋଗରେ ଅନେକ ଲୋକଙ୍କ ପ୍ରାଣହାନୀ ଘଟିଥିଲା। ସ୍ଥିତି ଏତେ ଭୟାବହ ଥିଲା ଯେ, ରୋଗରେ ମରୁଥିବା ଲୋକଙ୍କ ମୃତଦେହକୁ ପୋଭେଗ୍ଲିଆ ଦ୍ଵୀପରେ ଛାଡି ଦିଆଯାଉଥିଲା। ଫଳରେ ଏହି ସ୍ଥାନଟି ପୃଥିବୀରେ ନର୍କ ପାଲଟି ଯାଇଥିଲା।

୧୯୨୨ରେ ନିର୍ମାଣ କରାଗଲା ମେଣ୍ଟାଲ ହସ୍ପିଟାଲ୍:
ଲକ୍ଷାଧିକ ଲୋକଙ୍କ ମୃତ୍ୟୁର ମୂକସାକ୍ଷୀ ପାଲଟିଥିବା ଏହି ଦ୍ଵୀପରେ ୧୯୨୨ରେ ମେଣ୍ଟାଲ ହସ୍ପିଟାଲ୍ ନିର୍ମାଣ କରାଯାଇଥିଲା। ପୁଣି ପୋଭେଗ୍ଲିଆ ଦ୍ଵୀପରେ ଆରମ୍ଭ ହୋଇଯାଇଥିଲା ଭୂତ ପ୍ରେତ ଘଟଣା। ହସ୍ପିଟାଲରେ ରହୁଥିବା ରୋଗୀ ଏବଂ କର୍ମଚାରୀଙ୍କ ମୁତାବକ ସେମାନଙ୍କୁ ଏହି ଦ୍ଵୀପରେ ଅନେକ ଭୂତ ଏବଂ ଆତ୍ମାକୁ ଅନୁଭବ କରିଛନ୍ତି ଏବଂ ନିଜ ଆଖିରେ ବି ଦେଖିଛନ୍ତି। ଦ୍ଵୀପକୁ ପାରାନର୍ମାଲ ଦୃଷ୍ଟିକୋଣରୁ ଏତେ ବିପଦଜ୍ଜନକ ଦର୍ଶାଗଲା ଯେ, ଲୋକେ କହିବା ଆରମ୍ଭ କରି ଦେଇଥିଲେ ଯେ, ରାତିରେ ଏଠାରେ ଜୀବନ୍ତ ଏବଂ ମରିଥିବା ଲୋକଙ୍କ ମଧ୍ୟରେ ପ୍ରଭେଦ କରିବା ବହୁତ ମୁସ୍କିଲ। ଏଠାରେ ରହୁଥିବା ଡାକ୍ତର କହିଛନ୍ତି, ରାତିରେ ଭୟଭୀତ କରିବା ଭଳି ଶବ୍ଦ ଶୁଭାଯିବା ଏକ ସାଧାରଣ କଥାରେ ପରିଣତ ହୋଇ ଯାଇଛି। ଏଠାରେ ଘୁରି ବୁଲୁଥିବା ଆତ୍ମା ରୋଗୀଙ୍କୁ ଗ୍ରାସ କରି ଦିଅନ୍ତି।

ଡାକ୍ତର ଏବଂ ରୋଗୀଙ୍କ ମୃତ୍ୟୁ ଘଟି ଚାଲିଲା:
ଡାକ୍ତରଙ୍କ ପାଇଁ ସେହି ସମୟରେ ଏହା ବୁଝିବା ବହୁତ ମୁସ୍କିଲ ହୋଇ ଯାଇଥିଲା ଯେ, ବାସ୍ତବରେ କୌଣସି ବ୍ୟକ୍ତି ଅସୁସ୍ଥ ଅଛନ୍ତି ନା ତାଙ୍କ ଉପରେ ପ୍ରେତର ପ୍ରଭାବ ରହିଛି। ଏହା ମଧ୍ୟରେ ଅନେକ ଡାକ୍ତରଙ୍କ ରହସ୍ୟମୟ ଭାବେ ମୃତ୍ୟୁ ଘଟିବାରେ ଲାଗିଲା। ଫଳସ୍ଵରୂପ ମେଣ୍ଟାଲ ହସ୍ପିଟାଲକୁ ଶୀଘ୍ର ବନ୍ଦ କରି ଦିଆଗଲା। ପୁଣି ଅନେକ ଲୋକ ଦ୍ଵୀପର ରହସ୍ୟ ଜାଣିବା ପାଇଁ ସେଠାକୁ ଯିବାକୁ ଲାଗିଲେ। ମାତ୍ର ଯିଏ ବି ଏହି ଦ୍ଵୀପକୁ ଯାଇଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ କେବେ ଫେରି ନାହାନ୍ତି। ଆଉ ଯେଉଁ କିଛି ହାତ ଗଣତି ଲୋକ ଫେରିବାରେ ସଫଳ ହୋଇଛନ୍ତି, ସେମାନେ କେବଳ ଏତିକି କହୁଛନ୍ତି ଯେ, ଏ ଦ୍ଵୀପ ଆମ ଦୁନିଆର ଏକ ଜୀବନ ନର୍କ ଅଟେ। ଏଠାକୁ କୌଣସି ବ୍ୟକ୍ତି ନିଜ ଇଚ୍ଛାରେ ଯାଇଥାନ୍ତି, ମାତ୍ର ତାଙ୍କର ଫେରିବା ସେହି ଆତ୍ମାଙ୍କ ଦୟା ଉପରେ ନିର୍ଭର କରେ।

ହଣ୍ଟେଡ୍ ତାଲିକାରେ ତୃତୀୟ ସ୍ଥାନରେ ଦ୍ଵୀପ:
୧୮ ଏକର ଅଞ୍ଚଳରେ ବ୍ୟାପ୍ତ ଏହି ଦ୍ଵୀପକୁ ଭୂତ ପ୍ରେମ ସ୍ଥାନ ତାଲିକାରେ ତୃତୀୟରେ ରଖାଯାଇଛି। କିନ୍ତୁ ବିଶ୍ଵରେ ଏହାକୁ ଏକ ନମ୍ବର ହଣ୍ଟେଡ୍ ଦ୍ଵୀପ କୁହାଯାଏ। ୟୁରୋପରେ ହଣ୍ଟେଡ ପ୍ଲେସ୍ ତାଲିକାରେ ଦ୍ଵୀପକୁ ପ୍ରଥମ ସ୍ଥାନରେ ରଖାଯାଇଛି। ଏହା ରହସ୍ୟମୟ କାରଣରୁ ଇଟାଲୀ ସରକାର ଦ୍ଵୀପରେ ଲୋକଙ୍କ ଯିବା ଆସିବା ଉପରେ ସଂପୂର୍ଣ୍ଣ କଟକଣା ଲଗାଇଛନ୍ତି। ଏଠାକୁ ଯିବା ପାଇଁ କାହାକୁ ଅନୁମତି ଦିଆଯାଉଛି ନା କିଏ ଯିବାକୁ ସାହାସ କରୁଛି। ଦ୍ଵୀପକୁ ଯିବା ତ ଦୂରର କଥା, ଇଟାଲୀର ମତ୍ସ୍ୟଜୀବୀମାନେ ଦ୍ଵୀପର ଆଖପାଖରେ ମାଛ ଧରନ୍ତି ନାହିଁ। କାରଣ ମାଛଧରା ଜାଲରେ କେବଳ ମଣିଷ ହାଡ ମିଳିଥାଏ।

ବ୍ରିଟିଶ ଗବେଷକ ବଖାଣିଲେ ଅନୁଭୂତି:
ଦ ସନରେ ପ୍ରକାଶିତ ଖବର ମୁତାବକ, ସରକାରଙ୍କ ଅନୁମତି ମିଳିବା ପରେ ବ୍ରିଟିଶ ଗବେଷକ ୪୦ ବର୍ଷୀୟ ମ୍ୟାଟ୍ ନାଦନ ଏବଂ ୫୪ ବର୍ଷୀୟ ଆଣ୍ଡି ଥମ୍ପସନ ନିକଟରେ ଏହି ଦ୍ଵୀପକୁ ଯାଇଥିଲେ। ସେମାନେ ଦ୍ଵୀପର କିଛି ଭିଡିଓ ଏବଂ ଫଟୋ ସେୟାର କରିଥିଲେ। ଭିଡିଓ ଜରିଆରେ ମେଣ୍ଟାଲ ହସ୍ପିଟାଲରେ ରଖାଯାଇଥିବା ସେହି ସମସ୍ତ ଉପକରଣ ଦେଖାଇଥିଲେ, ଯାହାକୁ ଡାକ୍ତର ବ୍ୟବହାର କରୁଥିଲେ। ସେହି କଣ୍ଟେନର ବିଷୟରେ ବି ସୂଚିତ କରାଇଥିଲେ, ଯାହାକୁ ଶବ ଜଳାଇବା କାମରେ ବ୍ୟବହାର କରାଯାଉଥିଲା। ମ୍ୟାଟ୍ କହିଛନ୍ତି, ଏହି ଦ୍ଵୀପକୁ ଯିବା ବାସ୍ତବରେ ଏକ ଭୟାବହ ଅନୁଭବ। ଯେବେ ଆମେ ସେଠାକୁ ଯାଇଥିଲୁ, ଆମ ସହିତ ସ୍ଥାନୀୟ ଟ୍ୟାକ୍ସି ଡ୍ରାଇଭ ଥିଲେ। ସେ ଶୁଣି ଡରି ଯାଇଥିଲେ ଯେ, ଆମେ କାହିଁକି ଉକ୍ତ ଦ୍ଵୀପକୁ ଯାଉଛୁ। କେବଳ ପୋଲିସ ନୁହେଁ ସେଠାକାର ସାଧାରଣ ଲୋକ ବି ଏହି ଦ୍ଵୀପ ବିଷୟରେ ଶୁଣିଲେ ଭୟ କରନ୍ତି।

ମ୍ୟାଟ୍ କହିଛନ୍ତି, ଯେତେବେଳେ ସେଠାରେ ବୁଲୁଥିଲୁ ଆମକୁ ବାସ୍ତବରେ ଭୟ ମାହୋଲ ଅନୁଭୂତ ହେଉଥିଲା। ସେଠାରେ ଲୋକଙ୍କୁ ଜାଳି ଦିଆଯାଇଥିଲା। କିଛି ଲୋକଙ୍କୁ ମୃତ ଅବସ୍ଥାରେ ଛାଡି ଦିଆଯାଇଥିଲା। ଉକ୍ତ ସ୍ଥାନକୁ ଦେଖିଲେ ଏମିତି ଲାଗେ, ଯେମିତି ସେଠାରେ ମାଟିଠୁ ଅଧିକ ଶବ ପଡି ରହିଥିଲା। ସେଠାରେ ଲୋକଙ୍କୁ ଜାଳିବା ପରେ ଉକ୍ତ ସ୍ଥାନକୁ ସଫା କରାଯାଇନଥିଲା। ଏହିପରି ଶବକୁ ଛାଡି ଦିଆଯାଇଥିଲା। ଯେତେବେଳେ ଆମେ ସେଠାରେ ଥିଲୁ, ଆମକୁ ଘଣ୍ଟି ବାଜିବାର ଶବ୍ଦ ଶୁଣିବାକୁ ମିଳିଥିଲା ଏବଂ ଆମେ ଡରି ଯାଇଥିଲୁ। ଏଠାକୁ ବହୁ ବର୍ଷ ହେବ କେହି ଯାଇନଥିଲେ। ଏମିତି ଲାଗୁଥିଲା, ଆମେ କୌଣସି ହରର ଫିଲ୍ମର ସୁଟିଂ ଦେଖିବାକୁ ଆସିଛୁ। ନିଶ୍ଚିତ ଭାବେ ମୁଁ ଏହି ଅନୁଭବକୁ ଜୀବନରେ କେବେ ବି ଭୁଲି ପାରିବି ନାହିଁ ବୋଲି ମ୍ୟାଟ୍ କହିଛନ୍ତି।

Get real time updates directly on you device, subscribe now.