fbpx

୨୪ ଘଣ୍ଟା ନଯାଉଣୁ ବଦଳିଲା ନିଷ୍ପତ୍ତି, ଶସ୍ତା ହେବନି ପେଟ୍ରୋଲ-ଡିଜେଲ୍ ଦାମ

ନୂଆଦିଲ୍ଲୀ: ସୋମବାର ନିଷ୍ପତ୍ତି ହୋଇଥିଲା ଯେ, ମଙ୍ଗଳବାର ଠୁ ପେଟ୍ରୋଲ ଏବଂ ଡିଜେଲ୍ ଦାମ କମିବ। ସେ ପୁଣି ଲିଟର ପିଛା ୪୦ ପଇସା କମିବ ପାଞ୍ଚ ଦିନ ପର୍ଯ୍ୟନ୍ତ। ଜନତାଙ୍କ ପାଇଁ ନିଶ୍ଚିତ ଭାବେ ଏହା ଆଶ୍ଵସ୍ତିକର ଖବର ଥିଲା। ହେଲେ ଜନତାଙ୍କ ଏହି ଖୁସି ଅଧିକ ସମୟ ରହିନାହିଁ। ମଙ୍ଗଳବାର ନିଷ୍ପତ୍ତିରେ ପରିବର୍ତ୍ତନ ଘଟିଛି। ଇଣ୍ଡିଆନ ଓଏଲ କର୍ପୋରେସନ(ଆଇଓସି) ଅନୁଯାୟୀ, ସୋମବାର ପେଟ୍ରୋଲ ଏବଂ ଡିଜେଲ୍ ଲିଟର ପିଛା ୪୦ ଟଙ୍କା ହ୍ରାସ ନେଇ ଯେଉଁ ଘୋଷଣା ହୋଇଥିଲା ତାହା ଲାଗୁ ହେବ ନାହିଁ।
ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପ୍ରତି ୪୦ ପଇସା କମିବ ବୋଲି ସୋମବାର ଘୋଷଣା କରିଥିଲେ ତୈଳ ବିପଣନକାରୀ କମ୍ପାନି। ମଙ୍ଗଳବାର ସକାଳ ୬ଟା ଠାରୁ ନୂଆ ଦର ଲାଗୁ ହେବ ବୋଲି ସୂଚନା ମିଳିଥିଲା। ଏପରିକି ପେଟ୍ରୋଲ ଓ ଡିଜେଲ ଦରର ୪୦-୪୦ ପଇସା ପାଞ୍ଚ ଦିନ ଯାଏଁ ହ୍ରାସ କରିବା ପାଇଁ ତୈଳ କମ୍ପାନୀଗୁଡ଼ିକ ନିଷ୍ପତ୍ତି ନେଇଥିଲେ। ହେଲେ ମଙ୍ଗଳବାର ସକାଳେ ନିଷ୍ପତ୍ତିରେ ପରିବର୍ତ୍ତନ ଘଟିଛି।

ଫଳରେ ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୯୬.୭୨ ଟଙ୍କାରେ ସ୍ଥିର ରହିଛି। ସେହିପରି ମୁମ୍ବାଇରେ ୧୦୬.୩୧ ଟଙ୍କା, କୋଲକାତାରେ ୧୦୬.୦୩ ଟଙ୍କା ଏବଂ ଚେନ୍ନାଇରେ ୧୦୩.୬୩ ଟଙ୍କା ସ୍ଥିର ରହିଛି। ଓଡିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟ ୧୦୩.୧୧ ପଇସା ରହିଛି। ଏହା ପୂର୍ବରୁ ଏପ୍ରିଲ ମାସରେ ଶେଷ ଥର ତେଲ ଦରରେ ହ୍ରାସ ଘଟିଥିଲା। ମେ ୨୨ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ କେନ୍ଦ୍ରୀୟ ଶୁଳ୍କ ହ୍ରାସ କରିଥିଲେ।

ଦେଶରେ ତେଲ୍ ଦର ବୃଦ୍ଧି ଏବଂ ହ୍ରାସ ଅନ୍ତରାଷ୍ଟ୍ରୀୟ ଅଶୋଧିତ ତୈଳ ବଜାର ଉପରେ ନିର୍ଭରଶୀଳ। ବର୍ତ୍ତମାନ ଅଶୋଧିତ ତୈଳ ଦର ସ୍ଥିର ରହିଛି। ସୂଚନାଯୋଗ୍ୟ, ଦେଶରେ ଆବଶ୍ୟକତାର ୮୦ ପ୍ରତିଶତ ତୈଳ ବିଦେଶରୁ ଆମଦାନୀ ହୋଇଥାଏ।

Get real time updates directly on you device, subscribe now.