fbpx

ଗୁଜରାଟ ବିଧାନସଭା ନିର୍ବାଚନରେ ପାକିସ୍ତାନରୁ ଆସିଥିବା ହିନ୍ଦୁ ପ୍ରଥମ ଥର କରିବେ ମତଦାନ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନରେ ଏଥର ଏକ ହଜାରରୁ ଅଧିକ ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀ ମତଦାନ କରିବେ। ୧୦୩୨ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିଳି ସାରିଛି। ଅହମ୍ମଦାବାଦ ଜିଲ୍ଲାପାଳଙ୍କ ପକ୍ଷରୁ ଗତ ପାଞ୍ଚ ବର୍ଷରେ ଏହି ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇଛି। ଚଳିତ ବର୍ଷ ଏମାନେ ପ୍ରଥମ ଥର ରାଜ୍ୟର ନୂତନ ସରକାର ଚୟନରେ ନିଜର ଭୂମିକା ନିର୍ବାହ କରିବେ। ଏହାକୁ ନେଇ ବିତର୍କ ଆରମ୍ଭ ହୋଇ ଯାଇଛି ଯେ, ସେମାନଙ୍କ ମତଦାନରେ ଅହମ୍ମଦାବାଦର ଆସନର ଫଳାଫଳ ଉପରେ କେତେ ପ୍ରଭାବ ପଡିବ?

୨୦୧୬ରୁ ଏ ପର୍ଯ୍ୟନ୍ତ ଅହମ୍ମଦାବାଦ ଜିଲ୍ଲାପାଳ କାର୍ଯ୍ୟାଳୟ ପାକିସ୍ତାନରୁ ଆସିଥିବା ୧୦୩୨ ହିନ୍ଦୁ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିଛନ୍ତି। ସଂଖ୍ୟାଲଘୁ ହୋଇଥିବା କାରଣରୁ ପାକିସ୍ତାନରେ ଏହି ଲୋକଙ୍କୁ ବହୁତ ଅତ୍ୟାଚାର ସହିବାକୁ ପଡୁଥିଲା। ବାଧ୍ୟ ହୋଇ ହିନ୍ଦୁ ଶରଣାର୍ଥୀ ପାକିସ୍ତାନ ଛାଡି କୌଣସି ପ୍ରକାରରେ ଭାରତ ଚାଲି ଆସିବାରେ ସକ୍ଷମ ହୋଇଥିଲେ।

୨୦୧୫ ଏବଂ ୨୦୧୮ର ଗ୍ୟାଜେଟ୍ ଅନୁସାରେ ଅହମ୍ମଦାବାଦ, ଗାନ୍ଧିନଗର ଏବଂ ଭୁଜର ଜିଲ୍ଲାପାଳଙ୍କୁ ଭାରତୀୟ ନାଗରିକତାର କାଗଜପତ୍ର ଦେବାର ଅଧିକାର ରହିଛି। ଏହି ଦସ୍ତାବିଜ ସେହି ହିନ୍ଦୁ, ଶିଖ, ଖ୍ରୀଷ୍ଟିୟାନ ଏବଂ ପାରସୀଙ୍କୁ ଦିଆଯାଏ, ଯେଉଁମାନେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଛନ୍ତି। ହେଲେ ଏଥିପାଇଁ କେନ୍ଦ୍ର ଏବଂ ରାଜ୍ୟ ଗୁଇନ୍ଦା ବିଭାଗରୁ ମଞ୍ଜୁରୀ ନେବାକୁ ପଡିଥାଏ। ରାଜ୍ୟର ଗୃହ ମନ୍ତ୍ରୀ ହର୍ଷ ସାଙ୍ଘଭି ପାକିସ୍ତାନରୁ ଆସିଥିବା ୪୦ ହିନ୍ଦୁ ଶରଣାର୍ଥୀଙ୍କୁ ଅଗଷ୍ଟ ୨୨ରେ ଭାରତୀୟ ନାଗରିକତା ସାର୍ଟିଫିକେଟ୍ ଦିଆଯାଇଥିଲା।

ସୂଚନାଯୋଗ୍ୟ, ଡିସେମ୍ବର ୧ ଏବଂ ଡିସେମ୍ବର ୫ରେ ଦୁଇଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭାର ମତଦାନ ହେବ। ଏଥର ରାଜ୍ୟରେ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି। ଆଉ ମଇଦାନରେ ବିଜେପି, କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି। ତେବେ ନିକଟରେ ଆସିଥିବା ଓପିନିୟନ ପୋଲରେ ବିଜେପି ପୁଣି ଥରେ ସରକାର ଗଢୁଥିବା ପୂର୍ବାନୁମାନ କରାଯାଇଛି।

Get real time updates directly on you device, subscribe now.