fbpx

ପ୍ଲାଷ୍ଟିକ୍ ବର୍ଜ୍ୟମୁକ୍ତ ବାଲିଯାତ୍ରା ପାଇଁ ସଚେତନତା ଶୋଭାଯାତ୍ରା, ‘ମୋ ପ୍ଲାଷ୍ଟିକ ମୋ ଦାୟିତ୍ୱ’ କାର୍ଯ୍ୟକ୍ରମର ଶୁଭାରମ୍ଭ

କଟକ(ଭାସ୍କର ନ୍ୟୁଜ୍‌): ଐତିହାସିକ ବାଲିଯାତ୍ରାକୁ ପ୍ଲାଷ୍ଟିକ୍ ବର୍ଜ୍ୟମୁକ୍ତ କରିବା ପାଇଁ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ଶନିବାର ପୂର୍ବାହ୍ନରେ ଚୈାଧୁରୀ ବଜାରସ୍ଥିତ ସିଏମ୍‌ସି କାର୍ଯ୍ୟାଳୟରୁ ଏକ ସଚେତନତା ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା । ଚୈାଧୁରୀ ବଜାର ପୌର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ପ୍ଲାଷ୍ଟିକ ବର୍ଜ୍ୟମୁକ୍ତ ବାଲିଯାତ୍ରା ଉପରେ ଲୋକମାନଙ୍କୁ ବୁଝାଇବା ସହ ଏହାର ବ୍ୟବହାର ସଂପର୍କରେ ସେମାନେ ସଚେତନ କରାଇଥିଲେ । ଛାତ୍ରଛାତ୍ରୀମାନେ ସିଏମ୍‌ସି ଡେପୁଟି କମିଶନର ସଂଜୀବିତା ରାୟଙ୍କ ନେତୃତ୍ୱରେ ଚୌଧୁରୀ ବଜାରରୁ ବାହାରି ନିମଚୌଡି ରାସ୍ତା ଦେଇ ଫେରିଥିଲେ ।

ବିଶେଷକରି ବାଲିଯାତ୍ରାକୁ ପ୍ଲାଷ୍ଟିକମୁକ୍ତ କରିବା ସକାଶେ କାର୍ଯ୍ୟକାରୀ କରାଯାଇଥିବା ‘ମୋ ପ୍ଲାଷ୍ଟିକ ମୋ ଦାୟିତ୍ୱ’ କାର୍ଯ୍ୟକ୍ରମର ଏହା ଏକ ଅଂଶ ବିଶେଷ ବୋଲି ଡେପୁଟି କମିଶନର କହିଛନ୍ତି । ପ୍ଲାଷ୍ଟିକ ପ୍ରତି ଦାୟିତ୍ୱ ବଢାଇବା ଆମର ଲକ୍ଷ୍ୟ ବୋଲି ସେ କହିବା ସହ କୁନିକୁନି ଛାତ୍ରଛାତ୍ରୀମାନେ ହିଁ ପରିବର୍ତ୍ତନ ଆଣିପାରିବେ ବୋଲି ସେ ମତବ୍ୟକ୍ତକରିଥିଲେ । ଚଳିତବର୍ଷ ବାଲିଯାତ୍ରାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରଥମ ଥର ଲାଗି ଡିଜିଟାଲ ‘ଡିପୋଜିଟ୍ ରିଫଣ୍ଡ ସିଷ୍ଟମ (ଡିଆରଏସ୍‌) ବ୍ୟବସ୍ଥା ପ୍ରଚଳନ କରାଯାଇଛି ।

ଏହି ବ୍ୟବସ୍ଥାରେ ଗ୍ରାହକମାନେ କ୍ୟୁଆର କୋଡ୍ ଥିବା ପ୍ଲାଷ୍ଟିକ ପାନୀୟ କିମ୍ବା ଜରି ଖାଦ୍ୟକୁ ଅଧିକ ୫ ଟଙ୍କା ଦେଇ କ୍ରୟ କରିବେ ଏବଂ ପରେ ବ୍ୟବହୃତ ଖାଲି ବୋତଲ ବା ଜରିକୁ ସିଏମସିର ସଂଗ୍ରହ କେନ୍ଦ୍ରରେ ଜମା କରି ଦେଇଥିବା ଅଧିକ ୫ ଟଙ୍କା ଫେରସ୍ତ ନେବେ । ଫଳରେ ବର୍ଜ୍ୟ ପ୍ଲାଷ୍ଟିକ ଏଣେ ତେଣେ ନ ପଡ଼ି ଏକ ସଂଗଠିତ ବ୍ୟବସ୍ଥାମାଧ୍ୟମରେ ପୁନଃ ନବୀକରଣ ପାଇଁ ସଂଗ୍ରହ କରାଯାଇପାରିବ । ତା’ଛଡ଼ା ମହାନଦୀ କୂଳ ଓ ବାଲିଯାତ୍ରା ପଡିଆ ପ୍ରଦୂଷଣ ମୁକ୍ତ ରହିବ ବୋଲି ସିଏମ୍‌ସି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୈାର ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ, ସିଏମସି ଡେପୁଟି କମିଶନର, ପରିମଳ ସଂଯୋଜକ ଓ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ ।

Get real time updates directly on you device, subscribe now.