ନୂଆଦିଲ୍ଲୀ: ନକ୍ସଲବାଦ ସଂପ୍ରତି ଦେଶର ସବୁଠୁ ବଡ ସମସ୍ୟା ମଧ୍ୟରୁ ଏକ। ପୋଲିସ ଏବଂ ନକ୍ସଲବାଦ ବା ମାଓବାଦୀଙ୍କ ମଧ୍ୟରେ ଏବେ ବି ଲଢେଇ ଚାଲିଛି। ମାତ୍ର ଏହା ଜାଣିବାକୁ ସେତେଟା ଚେଷ୍ଟା କରାଯାଇ ନାହିଁ ଯେ, ବାସ୍ତବରେ ନକ୍ସଲବାଦ କଣ ଏବଂ ଏହାର ଜନ୍ମ କେମିତି ହେଲା। ନକ୍ସଲବାଦ ଏବଂ ଏହା ପଛର ମର୍ମ କଣ। ଆସନ୍ତୁ ଜାଣିବା ବିସ୍ତୃତରେ…
ନକ୍ସଲବାଦ କଣ:
କ୍ଷମତା ବିରୋଧରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ନେତା ଚାରୁ ମଜୁମଦାର ଏବଂ କାନୁ ସାନ୍ୟାଲଙ୍କ ସଶସ୍ତ୍ର ଆନ୍ଦୋଳନର ନାମ ହେଉଛି ନକ୍ସଲବାଦ। ଏହି ଆନ୍ଦୋଳନ ୧୯୬୭ରେ ଉତ୍ତର ପଶ୍ଚିମବଙ୍ଗର ଏକ ଗାଁ ନକ୍ସସବାଡିରୁ ଆରମ୍ଭ ହୋଇଥିଲା। ମଜୁମଦାର ଚୀନର କମ୍ୟୁନିଷ୍ଟ ନେତା ମାଓସେତୁଗଙ୍ଗଙ୍କ ବଡ ପ୍ରଶଂସକ ଥିଲେ। ସେ ଭାବୁଥିଲେ ଯେ, ଭାରତୀୟ ଶ୍ରମିକ ଏବଂ କୃଷକଙ୍କ ଦୁର୍ଦ୍ଦଶା ପାଇଁ ସରକାରୀ ନୀତି ହିଁ ଦାୟୀ।
ଏମିତି ଆରମ୍ଭ ହୋଇଥିଲା ନକ୍ସଲଙ୍କ ପତିଆରା:ଭାରତରେ ନକ୍ସଲବାଦୀଙ୍କ ହିଂସାର ଆରମ୍ଭ ୧୯୫୭ରେ ପଶ୍ଚିମବଙ୍ଗର ଏହି ନକ୍ସଲବାଡି ଗାଁରୁ ଆରମ୍ଭ ହୋଇଥିଲା। ଆରମ୍ଭରେ ପୋଲିସ ଏହି ବିଦ୍ରୋହକୁ ଦମନ କରିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏହି ଆନ୍ଦୋଳନ ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା, ବିହାର, ଛତିଶଗଡ, ଆନ୍ଧ୍ର ପ୍ରଦେଶ ଏବଂ ମହାରାଷ୍ଟ୍ର ପରି ରାଜ୍ୟକୁ ବ୍ୟାପିଥିଲା। ଏସବୁ ରାଜ୍ୟରେ ନକ୍ସଲଙ୍କ ଗତିବିଧି ସକ୍ରିୟ ହୋଇ ଉଠିଥିଲା। ଖାସ୍ କରି ଜଙ୍ଗଲରେ ରହି ଏମାନେ ଆଦିବାସୀ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିଲେ। ସରକାରଙ୍କ ନୀତିର ସମାଲୋଚନା କରି ଜଙ୍ଗଲରେ ବସବାସ କରୁଥିବା ଲୋକଙ୍କ ବିଶ୍ଵାସଭାଜନ ହେବାରେ ସଫଳ ହୋଇଥିଲେ। ଏହା ପରେ ଗୋଟିଏ ପରେ ଗୋଟିଏ ହିଂସା ଭିଆଇ ଚାଲିଥିଲେ।
ନକ୍ସଲବାଦ ପଛର ମର୍ମ କଣ:ସାଧାରଣତଃ ନକ୍ସଲ ପ୍ରଭାବିତ ଜିଲ୍ଲାଗୁଡିକୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ଵାରା ଏତେ ପରିମାଣରେ ଅର୍ଥ ଯୋଗାଇ ଦିଆଯାଇଥାଏ ଯେ, ଯଦି ଏହି ପୁରା ଅର୍ଥକୁ ସଠିକ୍ ଭାବରେ ଖର୍ଚ୍ଚ କରାଯାଏ ତେବେ ଜିଲ୍ଲା ଏବଂ ରାଜ୍ୟର ଛବି ବଦଳି ପାରିବ। ମାତ୍ର ଏମିତି ହୋଇନଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏବେ ମଧ୍ୟ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଅଧିକାଂଶ ଜନସଂଖ୍ୟା ବିନା ବିଜୁଳି ଏବଂ ଶୌଚାଳୟରେ ଜୀବନ କାଟୁଛନ୍ତି। ଯଦି କେହି ଅସୁସ୍ଥ ହୋଇପଡେ ତେବେ ସେମାନଙ୍କ ପାଖରେ ସ୍ଵାସ୍ଥ୍ୟସେବାର ମୌଳିକ ସୁବିଧା ବି ନାହିଁ। ଯଦି ହସ୍ପିଟାଲ ରହୁଛି ତେବେ ରୋଗୀଙ୍କୁ ଅନେକ କିଲୋମିଟର ଦୂର ଚାଲିବାକୁ ପଡିଥାଏ। ଏହି ଦୁର୍ଗମ ଅଞ୍ଚଳ ପାଇଁ ଆବଣ୍ଟିତ ହେଉଥିବା ଅର୍ଥ କୁଆଡେ ଯାଏ, କିଛି ଜଣା ପଡେ ନାହିଁ। ସ୍ପଷ୍ଟ ଶବ୍ଦରେ କହିବାକୁ ଗଲେ ଏହି ଅର୍ଥ ନେତା, ଅଫିସର ଏବଂ ଠିକାଦାର ପରସ୍ପର ମଧ୍ୟରେ ଚଳୁ କରି ନିଅନ୍ତୁ। କେବଳ ଏତିକି ନୁହେଁ, ଏହି ଅର୍ଥ କିଛି ଭାଗ ନକ୍ସଲଙ୍କ ନିକଟରେ ମଧ୍ୟ ପହଞ୍ଚିଥାଏ। ଏବେ ମଧ୍ୟ ନକ୍ସଲବାଦୀ ସରକାରୀ ନୀତି ସହ ସହମତ ନୁହନ୍ତି। ଜଙ୍ଗଲ ଜମି, ଖଣି ପରି ସରକାରୀ ନୀତି ବିରୋଧରେ ସେମାନଙ୍କର ଖୁବ୍ ଆକ୍ରୋଶ ରହିଛି। ଏହା ହିଁ ନକ୍ସଲବାଦ ସୃଷ୍ଟିର କାରଣ।
ନକ୍ସଲବାଦ ବିସ୍ତାରର କାରଣ
– ଆଦିବାସୀ/ଜନଜାତି ଦ୍ଵାରା ପରମ୍ପରାଗତ ଭାବେ ଉପଯୋଗ ଜମିରୁ ସେମାନଙ୍କୁ ବେଦଖଲ କରିବା।
– ଥଇଥାନର ସୁବନ୍ଦୋବସ୍ତ ବିନା ସେମାନଙ୍କୁ ଭିଟାମାଟିରୁ ହଟାଇବା। ମୌଳିକ ସୁବିଧାରୁ ବଞ୍ଚିତ କରିବା।
– ଉଚିତ୍ କ୍ଷତିପୂରଣ ବିନା ସାର୍ବଜନୀନ ଉଦ୍ଦେଶ୍ୟ ପାଇଁ ବ୍ୟାପକ ମାତ୍ରାରେ ଜମି ଅଧିଗ୍ରହଣ କରିବା।
– ସମାଜର ଶକ୍ତିଶାଳୀ ବର୍ଗ ଦ୍ଵାରା ସରକାର ଏବଂ କିଛି ବର୍ଗ ସେମାନଙ୍କ ଉପରେ କବଜା କରିବା।
ନକ୍ସଲବାଦ ନାମର ଉତ୍ପତ୍ତି: ମାକ୍ସ ଏବଂ ଲେନିନଙ୍କ ବିଚାରଧାରାର ଅନୁସରଣ କରୁଥିବା ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାକ୍ସବାଦୀ-ଲେନିନବାଦୀ)ର ସ୍ଥାପନା ୧୯୬୯ରେ ଚାରୁ ମଜୁମଦାରଙ୍କ ଦ୍ଵାରା ହୋଇଥିଲା।
ଚାରୁ ମଜୁମଦାରଙ୍କ ମୃତ୍ୟୂ ପରେ ସିପିଆଇ(ଏମ-ଏଲ) ସିପିଆଇ(ଏଲ-ଏମ)ରେ ପରିଣତ ହୋଇଥିଲା। ତେବେ ଦଳ ଗୋଟିଏ ବିଚାରଧାରାରେ ପରିଚାଳିତ ହେଉଛି।
ନକ୍ସଲବାଦର ଜନ୍ମ ୧୯୬୭ରେ ବସନ୍ତ ଋତୁରେ ନକ୍ସଲବାଡି ବିଦ୍ରୋହ କାରଣରୁ ହୋଇଥିଲା।
ନକ୍ସଲବାଦି ହେଉଛି ସେହି ଗାଁ ଯିଏ ଆନ୍ଦୋଳନକୁ ନିଜର ନାମ ଦେଇଥିଲା। ଏହା ଏକ କୃଷକ ଆନ୍ଦୋଳନର ସ୍ଥଳ ଥିଲା। ଆନ୍ଦୋଳନକାରୀଙ୍କୁ କମ୍ୟୁନିଷ୍ଟ ନେତାମାନେ ରାଜ୍ୟର ଜମିଦାରଙ୍କ ବିରୋଧରେ ଉସୁକାଇଥିଲେ।
ବିଦ୍ରୋହ ଚାରୁ ମଜୁମଦାର ଏବଂ ତାଙ୍କ ନିକଟତର ସହଯୋଗୀଙ୍କ ନେତୃତ୍ଵରେ ନକ୍ସଲୀ ଆନ୍ଦୋଳନର ଜନ୍ମ ନେଇଥିଲା।
ବିଦ୍ରୋହୀ କେବଳ ଆଖପାଖର ଗାଁରେ ନୁହେଁ ବରଂ ପିପୁଲ୍ସ ଲିବେରେସନ ଅଫ ଚାଇନାରୁ ମଧ୍ୟ ସମର୍ଥନ ପ୍ରାପ୍ତ ହୋଇଥିଲା।
ମଜୁମଦାର ଏବଂ ସାନ୍ୟାଲ ଚୀନର ପ୍ରତିଷ୍ଠାତା ମାଓସେତୁଗଙ୍ଗ ଏବଂ ରାଜନୈତିକ କ୍ଷମତା ଉପରେ କବଜା କରିବାର ରଣନୀତି ଆପଣେଇଥିଲେ। ଫଳରେ ନକ୍ସଲି ଆନ୍ଦୋଳନର ଧାରଣା ନିଜର ମୌଳକିତାଠୁ ଅଲଗା ହୋଇ ଯାଇଥିଲା।
ପରିଦୃଶ୍ୟରେ ପରିବର୍ତ୍ତନ:
ତେବେ ପ୍ରଥମେ ପ୍ରଥମେ ନକ୍ସଲବାଦୀ ବା ମାଓବାଦୀଙ୍କ ଆନ୍ଦୋଳନକୁ ଅନେକ ଉଚିତ୍ ବୋଲି ଭାବୁଥିଲେ। ପରବର୍ତ୍ତୀ ସମୟରେ ନକ୍ସଲବାଦୀଙ୍କ ପ୍ରତି ଲୋକଙ୍କ ଧାରଣାରେ ପରିବର୍ତ୍ତନ ଆସିଥିଲା। କାରଣ ନକ୍ସଲବାଦୀ ନିଜ ଆଭିମୁଖ୍ୟ ଏବଂ ଉଦ୍ଦେଶ୍ୟରୁ ଓହରି ହିଂସା ମାର୍ଗକୁ ଆଦରି ନେଇଥିଲେ। ନକ୍ସଲ ପ୍ରଭାବିତ ଅଞ୍ଚଳରେ ସେମାନେ ରାସ୍ତା, ପୋଲ, ଟାଓ୍ଵାର ଉଡାଇବା ସହ ଜଙ୍ଗଲରେ ବସବାସ କରୁଥିବା ଲୋକଙ୍କୁ ହଇରାଣ କରିବାରେ ଲାଗିଲେ। ପୋଲିସକୁ ସୂଚନା ଦେଉଥିବା ସନ୍ଦେହରେ ଆଦିବାସୀଙ୍କ ହତ୍ୟା କଲେ। ବିକାଶ ସଂପର୍କିତ କାର୍ଯ୍ୟରେ ବାଧକ ସାଜିଲେ। ଏହି ସବୁ କାରଣରୁ ଆଜି ନକ୍ସଲବାଦୀ ଜଙ୍ଗଲରେ ରହୁଥିବା ଲୋକଙ୍କ ବିଶ୍ଵାସ ହରାଇ ବସିଲେ। ଏବେ ନକ୍ସଲବାଦୀ ସମଗ୍ର ଦେଶରେ ଲୋପ ପାଇବାକୁ ବସିଛି। ଛତିଶଗଡ, ତେଲଙ୍ଗାନା ଏବଂ ଝାଡଖଣ୍ଡ ରାଜ୍ୟର କିଛି ଜିଲ୍ଲାରେ ସୀମିତ ରହି ଯାଇଛି ନକ୍ସଲବାଦୀ। ସରକାରଙ୍କ ନକ୍ସଲ ବିରୋଧୀ ଅଭିଯାନ ଏବଂ ପ୍ରଭାବିତ ଅଞ୍ଚଳ ପ୍ରତି ଗୁରୁତ୍ଵ ଦେବା ଏବଂ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାର ପ୍ରୟାସ ନକ୍ସଲବାଦୀଙ୍କ ସମସ୍ତ ଯୋଜନାକୁ ଭଣ୍ଡୁର କରି ଦେଇଛି।