NTAର ଗୁରୁତ୍ୱପୂର୍ଣ୍ଣ ନିୟମ: ଯୁକ୍ତଦୁଇରେ ୭୫ ପ୍ରତିଶତ ମାର୍କ ବାଧ୍ୟତାମୂଳକ, ନଚେତ୍ IIT, NITରେ ମିଳିବନି ଆଡମିସନ ଅନୁମତି

ନୂଆଦିଲ୍ଲୀ: ଯୁଗ୍ମ ପ୍ରବେଶିକ ପରୀକ୍ଷା (ଜେଇଇ) ମେନ୍ସ ୨୦୨୩ ପାଇଁ ନୋଟିଫିକେସନ ଜାରି କରାଯାଇଥିବା ବେଳେ ଆଜିଠାରୁ ଆସନ୍ତା ମାସ ୧୨ ତାରିଖ ପର୍ଯ୍ୟନ୍ତ ଏହାର ଆବେଦନ ପ୍ରକ୍ରିୟା ଜାରି ରହିବ । ଓଡ଼ିଆ ସମେତ ମୋଟ ୧୩ଟି ଭାଷାରେ ଜେଇଇ ମେନ୍ସ ପରୀକ୍ଷା ୨୦୨୩ ଅନୁଷ୍ଠିତ ହେବ । ଜେଇଇ ମେନ୍ସ ୨୦୨୩ ପରୀକ୍ଷାରେ ଯୁକ୍ତଦୁଇରେ ଛାତ୍ରଛାତ୍ରୀମାନେ ୭୫ ପ୍ରତିଶତ ମାର୍କ ରଖିବା ବାଧ୍ୟତାମୂଳକ କରାଯାଇଛି । ଏହା ବିନା ଛାତ୍ରଛାତ୍ରୀଙ୍କୁ ଆଇଆଇଟି, ଏନଆଇଟି ସମେତ ଅନ୍ୟ କଲେଜମାନେ ନାମଲେଖା ଅନୁମତି ମିଳିବ ନାହିଁ ।

ଜେଇଇ ମେନ୍ସ ପରୀକ୍ଷା ୨୦୨୩ରେ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ ଆଇଆଇଟି, ଏନଆଇଟି, ଟ୍ରିପଲଆଇଟି ପରି ଦେଶର ଟପ୍ ଇଞ୍ଜିନିୟରିଂ କଲେଜରେ ନାମଲେଖାଇବାର ସୁଯୋଗ ପାଇବେ । ଚଳିତ ବର୍ଷ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଜେଇଇ ମେନ୍ସ ପରୀକ୍ଷାର ଯୋଗ୍ୟତା ମାନଦଣ୍ଡରେ ଏକ ବଡ଼ଧରଣର ପରିବର୍ତ୍ତନ କରାଯାଇଛି । ଏହିସବୁ କଲେଜମାନଙ୍କରେ ପ୍ରବେଶ ପାଇଁ କେବଳ ଜେଇଇ ମେନ୍ସ ୨୦୨୩ ପରୀକ୍ଷା ଓ ଯୁକ୍ତଦୁଇ ବୋର୍ଡ ପରୀକ୍ଷାରେ ପାସ କରିଦେଲେ ଚଳିବ ନାହିଁ । ଛାତ୍ରଛାତ୍ରୀଙ୍କୁ ଯୁକ୍ତଦୁଇ ବୋର୍ଡ ପରୀକ୍ଷାରେ ୭୫ ପ୍ରତିଶତ ମାର୍କ ଆଣିବା ବାଧ୍ୟତାମୂଳକ ବୋଲି କୁହାଯାଇଛି ।

କୋଭିଡ-୧୯ କାରଣରୁ ଗତ ୨୦୨୦ ଓ ୨୦୨୧ ଦୁଇବର୍ଷ ପାଇଁ ଜେଇଇ ମେନ ପରୀକ୍ଷାରେ ଦ୍ୱାଦଶ ଶ୍ରେଣୀରେ ୭୫ ପ୍ରତିଶତ ମାର୍କ ବାଧ୍ୟତାମୂଳକତାକୁ ହଟାଇ ଦିଆଯାଇଥିଲା । କରୋନା ଭାଇରସ କାରଣରୁ ଲମ୍ବା ସମୟ ଧରି ସ୍କୁଲ, କଲେଜ ବନ୍ଦ ରହିବା କାରଣରୁ ଅନଲାଇନ୍ କ୍ଲାସରେ ସମସ୍ୟା ଦେଖାଦେଇଥିଲା । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିଲା । ସେତେବେଳେ ଛାତ୍ରଛାତ୍ରୀଙ୍କ ପାଇଁ କେବଳ ଯୁକ୍ତଦୁଇ ପାସ୍ କରିବା ଜରୁରୀ ଥିଲା, ମାତ୍ର ଏବେ ତାହା ପୁଣି ଥରେ ଲାଗୁ କରାଯାଇଛି ।