fbpx

ମାତୃଭାଷାରେ ଶିକ୍ଷାଦାନ ଛାତ୍ରଛାତ୍ରୀଙ୍କ ସୃଜନଶୀଳତାକୁ ବିକଶିତ କରିଥାଏ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ମାତୃଭାଷାରେ ଶିକ୍ଷା ଛାତ୍ରଛାତ୍ରୀଙ୍କର ସୃଜନଶୀଳତାକୁ ବିକଶିତ କରିଥାଏ। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ଶିକ୍ଷାନୀତିରେ ମାତୃଭାଷାରେ ଶିକ୍ଷାଦାନକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ନବରଙ୍ଗପୁର ମହାବିଦ୍ୟାଳୟ ସୁବର୍ଣ୍ଣଜୟନ୍ତୀ ସମାରୋହରେ ଯୋଗଦେଇ ପ୍ରଧାନ କହିଛନ୍ତି, ୫୨ ବର୍ଷରେ ପଦାର୍ପଣ କରିଥିବା ଏହି ମହାବିଦ୍ୟାଳୟକୁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ। ଭିତ୍ତିଭୂମି ଅଧିକ ସୁଦୃଢ଼ କରିବା ସହିତ ବିଦ୍ୟାର୍ଥୀଙ୍କ ପ୍ରତିଭାକୁ ଆହୁରି ବିକଶିତ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।

ଦେଶ ଯେତେବେଳେ ସ୍ୱାଧୀନତାର ୭୫ ବର୍ଷ ତଥା ଅମୃତ ମହୋତ୍ସବ ପାଳନ କରୁଛି ସେହି ସମୟରେ ଏହି ମହାବିଦ୍ୟାଳୟ ତାର ସୁବର୍ଣ୍ଣଜୟନ୍ତୀ ପାଳନ କରିବା ଆମ ପାଇଁ ଏକ ଗୌରବର ବିଷୟ । ଜିଲ୍ଲାବାସୀଙ୍କ ଜୀବନ, ଆକାଂକ୍ଷା ଓ ସ୍ପନ୍ଦନ ଏହି ମହାବିଦ୍ୟାଳୟ ସହ ଯୋଡ଼ିହୋଇ ରହିଛି । ବିଗତ ୫୦ ବର୍ଷ ଧରି ଏହି ଶିକ୍ଷାନୁଷ୍ଠାନ ବହୁ ଜନଜାତି ବିଦ୍ୟାର୍ଥୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସଫଳ ହୋଇଛି । ଏହି କଲେଜକୁ ସରକାର ସମ୍ପୂର୍ଣ୍ଣଭାବେ ହାତକୁ ନେବାକୁ ସେ ଦାବି କରିଛନ୍ତି ।

ଏହି ଅବସରରେ ସେ ମହାବିଦ୍ୟାଳୟର ସ୍ମରଣିକାକୁ ଉନ୍ମୋଚନ କରିଥିଲେ । ଆମ ନବରଙ୍ଗପୁର ସମ୍ବାଦଦାତା ଜଣାଇଛନ୍ତି, ପ୍ରଧାନ କୋରାପୁଟ ଗସ୍ତ ସାରି ନବରଙ୍ଗପୁର ପହଞ୍ଚିବା ପରେ ଇନ୍ଦ୍ରାବତୀ ଛକ ନିକଟରେ ତାଙ୍କୁ ଦଳୀୟ କର୍ମୀ ଓ ନେତା ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସୁବର୍ଣ୍ଣଜୟନ୍ତୀ ସମାରୋହ ପରେ ପ୍ରଧାନ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସ୍ଥିତି ନେଇ ସମୀକ୍ଷା କରିଥିଲେ

Get real time updates directly on you device, subscribe now.