ନୂଆବର୍ଷ ପୂର୍ବରୁ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ପୁରୀ;ପ୍ରଶାସନ ପକ୍ଷରୁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା

ପୁରୀ: ରାତି ପାହିଲେ ହେବ ନୂଆବର୍ଷ । ୨ ବର୍ଷ ହେବ ମହାମାରୀ କରୋନା ପାଇଁ ନୂଆବର୍ଷ ଫିକା ପଡିଥିବା ବେଳେ ଏଥର ଖୁବ ଧୁମଧାମରେ ନୂଆବର୍ଷ ପାଳନ ହେବ । ଏନେଇ ଚଳଚଞ୍ଚଳ ହୋଇଛି ଗାଁ ଠୁ ସହର । ତେବେ ଏଥର ନୂଆବର୍ଷ ପାଇଁ କୌଣସି କଟକଣା ନଥିବାରୁ ସମସ୍ତେ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଉଥିବା ବେଳେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଫଳରେ ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛନ୍ତି । ଯୋହାଫଳରେ ଭକ୍ତମାନେ ସୁରକ୍ଷିତ ଭାବରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ତେବେ ବର୍ଷର ଶେଷ ଗିନ ଏବଂ ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ପୁରୀରେ ଭକ୍ତମାନଙ୍କ ସମାଗମ ଦେଖିବାକୁ ମିଳିଛି । ପୁରୀ ବେଳାଭୁମୀ ଠାରୁ ଆରମ୍ଭ କରି ବଡଦାଣ୍ଡ ପର୍ଯ୍ୟନ୍ତ ସମସ୍ତ ସ୍ଥାନ ଲୋକାରଣ୍ୟ ହୋଇଛି । ତେବେ ପର୍ଯ୍ୟଟକଙ୍କ ଭିଡକୁ ଦେଖି ପୁରୀ ପ୍ରଶାସନ ପକ୍ଷରୁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିସହିତ ଗାଡି ପାର୍କିଂ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିପରି ଆଜି ଏବଂ ଆସନ୍ତା କାଲି ବଡଦାଣ୍ଡରେ ଉଠା ଦୋକାନୀଙ୍କୁ ବାରଣ କରାଯାଇଛି । ଏତତ୍ ବ୍ୟତୀତ ସ୍କୁଲ ପିଲାମାନଙ୍କ ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।