fbpx

ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଆସିପାରେ କରୋନାର ଚତୁର୍ଥ ଲହର; କରୋନାସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ସୂଚନା

ଭୁବନେଶ୍ୱର: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ କରୋନାର ଚତୁର୍ଥ ଲହର ଆସିପାରେ ବୋଲି ସୂଚନା ମିଳିଛି । ଆକଳନ ଅନୁସାରେ ମାର୍ଚ୍ଚ ମାସରେ ଚତୁର୍ଥ ଲହର ଆସିବାର ସମ୍ଭାବନା ଅଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି ସୂଚନା ଦେଇଛନ୍ତି । ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୨ଟି ପଜିଟିଭ୍ କେସ୍ ଚିହ୍ନଟ ହୋଇଛି । କୋରାପୁଟରୁ ଗୋଟିଏ ମାମଲା ଆସିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ଗୋଟିଏ ପଜିଟିଭ୍ ମାମଲା ଚିହ୍ନଟ ହୋଇଛି ।

ତେବେ ସର୍ଭେ ଅନୁସାରେ ଚୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ପିକ୍ ଆସିନାହିଁ । ଚୀନରେ ଜାନୁଆରୀ ୧୩ରୁ ୧୫ ମଧ୍ୟରେ ପିକ୍ ଛୁଇଁବ । ସେହିପରି ଦୈନିକ ୭ରୁ ୧୦ ଲକ୍ଷ ଲୋକ ସଂକ୍ରମିତ ହେବେ । ପିକ୍ ବେଳେ ଚୀନରେ ଦୈନିକ ୨୫ ହଜାର ପର୍ଯ୍ୟନ୍ତ ମୃତ୍ୟୁ ଘଟିପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ଆକଳନ କରି ଭାରତରେ ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଚତୁର୍ଥ ଲହର ଆସିପାରେ ବୋଲି ଆଶଙ୍କା କରାଯାଇଛି । ଭାରତରେ ୯୦ ପ୍ରତିଶତ ଲୋକ ଡବଲ ଡୋଜ ଟିକା ନେଇଛନ୍ତି । ୪୦ ପ୍ରତିଶତ ଲୋକ ବୁଷ୍ଟର ଡୋଜ ନେଇଛନ୍ତି । ଯେଉଁମାନେ ଡବଲ ଡୋଜ ନେଇଥିବେ ସେମାନେ ନାଜାଲ ଭ୍ୟାକ୍ସିନ ମଧ୍ୟ ନେଇ ପାରିବେ ।

ବିଦେଶ ଫେରନ୍ତାଙ୍କ ଉପରେ ବିଶେଷ ନଜର ଦିଆଯିବ ବୋଲି ସୂଚନା ମିଳିଛି । ସମସ୍ତ ବିମାନ ବନ୍ଦରରେ ବିଦେଶରୁ ଫେରୁଥିବା ଯାତ୍ରୀଙ୍କର ଆରଟିପିସିଆର ଟେଷ୍ଟ କରାଯିବାକୁ ବାଧ୍ୟତାମୂଳକ କରାଯାଇଛି । ଚୀନ, ଜାପାନ, ମାଲେସିଆ ଭଳି ଦେଶରୁ ଆସିଲେ ଆରଟିପିସିଆର ଟେଷ୍ଟ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ରିପୋର୍ଟ ପଜିଟିଭ୍ ଆସିଲେ ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଉଛି ।

ତେବେ ହକି ବିଶ୍ୱକପ୍ ପାଇଁ ଆରଟିପିସିଆର ଟେଷ୍ଟକୁ ଅଧିକ ଗୁରୁତ୍ତ୍ୱ ଦିଆଯାଉଛି । ଖେଳାଳି ଓ ଦର୍ଶକ ଆସିବାକୁ ଥିବାରୁ ଏଥିପ୍ରତି ଅଧିକ ଧ୍ୟାନ ଦିଆଯିବ । କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ଝାରସୁଗୁଡ଼ା, ଖୋର୍ଦ୍ଧା, କଟକରେ ନିୟମ କଡ଼ାକଡ଼ି ଭାବେ ପାଳନ ହେବ । ଅଧିକ ଜନଗହଳି ସ୍ଥାନ ମାନଙ୍କରେ ମାସ୍କ ପରିଧାନ କରିବାକୁ ବାଧ୍ୟତାମୂଳକ କରାଯାଇଛି ।

Get real time updates directly on you device, subscribe now.