fbpx

ବିଚାରପତିଙ୍କୁ ନିର୍ବାଚନ ସାମ୍ନା କରିବାକୁ ପଡୁନାହିଁ କିମ୍ବା ଲୋକଙ୍କୁ ଉତ୍ତର ଦେବାକୁ ପଡୁନାହିଁ- ଆଇନ୍ ମନ୍ତ୍ରୀ କିରନ ରିଜିଜୁ

ନୁଆଦିଲ୍ଲୀ: କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟ ମଧ୍ୟରେ କଲେଜିୟମ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ଆଇନ୍ ମନ୍ତ୍ରୀ କିରନ ରିଜୁଜୁ ପୁଣି ଥରେ ସୁପ୍ରିମକୋର୍ଟ ବିଚାରପତିଙ୍କ ଉପରେ ବଡ଼ ବୟାନ ଦେଇଛନ୍ତି। ସୋମବାର ରିଜିଜୁ କହିଛନ୍ତି ଯେ, ବିଚାରପତିମାନେ ଥରେ ଏହି ପଦବୀକୁ ଆସିବା ପରେ ସେମାନଙ୍କୁ ଆଉ ନିର୍ବାଚନର ସାମ୍ନା କରିବାକୁ ପଡି ନଥାଏ। ଏଭଳି ସ୍ଥିତିରେ ସେମାନଙ୍କୁ ସାଧାରଣ ଜନତାଙ୍କୁ ଜବାବ ମଧ୍ୟ ଦେବାକୁ ପଡି ନଥାଏ। ଏହାର କାରଣ ହେଉଛି ଜନତା ବିଚାରପତିଙ୍କୁ ବଦଳାଇ ପାରିବ ନାହିଁ।

ତେବେ ବର୍ତ୍ତମାନ କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟ ମଧ୍ୟରେ କୌଣସି ସମସ୍ୟା ନଥିବା ସେ କହିଛନ୍ତି। ଏହି କଥା କିରନ ରିଜିଜୁ ଦିଲ୍ଲୀ ବାର୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି। କିରନ ରିଜିଜୁ କହିଛନ୍ତି ଯେ ଆଜି ଚାଲୁଥିବା ବ୍ୟବସ୍ଥାରେ କେହି ପ୍ରଶ୍ନ କରିବେ ନାହିଁ କିମ୍ବା ପ୍ରଶ୍ନ ଉଠାଇବେ ନାହିଁ ବୋଲି ଭାବିବା ଭୁଲ ଅଟେ। ବେଳେବେଳେ ସିଷ୍ଟମରେ ଏକ ପରିବର୍ତ୍ତନ ମଧ୍ୟ ଆବଶ୍ୟକ ହୋଇଥାଏ। ଆମ ସରକାର ଏବଂ ପୂର୍ବ ସରକାର ମଧ୍ୟ ଆବଶ୍ୟକ ସମୟରେ ସମ୍ବିଧାନର ଅନେକ ଧାରା ପରିବର୍ତ୍ତନ କରିଛନ୍ତି। ସେଥିପାଇଁ ପରିବର୍ତ୍ତନକୁ ନକାରାତ୍ମକ ଢଙ୍ଗରେ କେବେବି ଦେଖାଯିବା ଉଚିତ୍ ନୁହେଁ। ସେ କହିଛନ୍ତି ଯେ ଆଜି କଲେଜିୟମ ସମ୍ବନ୍ଧରେ ଯାହା ଘଟୁଛି ତାହା ଭିତ୍ତିହୀନ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ନ୍ୟାୟପାଳିକାର କେବଳ ଗୋଟିଏ ଉଦ୍ଦେଶ୍ୟ ରହିବା ଉଚିତ ଯେ ସାଧାରଣ ଲୋକ ଏବଂ ନ୍ୟାୟ ମଧ୍ୟରେ କୌଣସି ଦୂରତା ରହିବା ଉଚିତ ନୁହେଁ। ତେବେ ଏହି ସମୟରେ ଆଇନ ମନ୍ତ୍ରୀ ଗଣମାଧ୍ୟମ ଉପରେ ମଧ୍ୟ ଅନେକ ଆରୋପ ଲଗାଇଛନ୍ତି। ସେ କହିଛନ୍ତି ଯେ ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟାରେ ସରକାର ଏବଂ ନ୍ୟାୟପାଳିକା ମଧ୍ୟରେ ଥିବା ପାର୍ଥକ୍ୟ ଅତ୍ୟଧିକ ମାତ୍ରାରେ ରହିଛି ବୋଲି ଗଣମାଧ୍ୟମରେ ବଢାଇ ଚଢାଇ ଦେଖାଯାଉଛି।

Get real time updates directly on you device, subscribe now.