ସୁବର୍ଣ୍ଣପୁର: ଟ୍ରେନ୍ ମାଡ଼ିଯିବାରୁ ପୂର୍ବତନ ବଲାଙ୍ଗିର ସାଂସଦ ବାଳଗୋପାଳ ମିଶ୍ରଙ୍କ ପୁଅଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକଙ୍କ ନାଁ ଅବିନାଶ ମିଶ୍ର ହୋଇଥିବା ବେଳେ ତାଙ୍କ ବୟସ ୫୦ ବର୍ଷ ବୋଲି ଜଣାପଡିଛି । ରେଳ ଲାଇନ୍ ପାର୍ ହେଉଥିବା ବେଳେ ଅବିନାଶଙ୍କୁ ଟ୍ରେନଟି ଧକ୍କା ଦେଇଥିଲା । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରେଲୱେ ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ଅନୁସାରେ, ଆଜି ଭୋରରୁ ଅବିନାଶ ଘରୁ ମର୍ଣ୍ଣିଂ ୱାର୍କରେ ବାହାରିଥିଲେ । ଡୁଙ୍ଗୁରିପାଲି ରାମପୁର ରାସ୍ତାର ଡୁଙ୍ଗୁରିପାଲି ରେଲୱେ କ୍ରସିଂ ଫାଟକ ଟ୍ରେନ ଆସିବା ପାଇଁ ବନ୍ଦ ଥିଲା । ହେଲେ ଅବିନାଶ ଫାଟକ ଭିତରକୁ ପଶି ଏପଟରୁ ସେପଟକୁ ଯାଉଥିବା ବେଳେ ବରପାଲି ପଟରୁ ଆସୁଥିବା ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା ଓ ସେ ଟ୍ରାକ୍ ବାହାରକୁ ଛିଟିକି ପଡ଼ିଥିଲେ । ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପୁରୀ ଦୁର୍ଗ ଟ୍ରେନ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛିଓ ଅବିନାଶଙ୍କ ଘର ବଲାଙ୍ଗିର ଜିଲ୍ଲା ସାଲେଭଟାରେ ହୋଇଥିବା ବେଳେ ସେ ଡୁଙ୍ଗୁରିପାଲିରେ ଏକ ଭଡ଼ା ଘରେ ତାଙ୍କ ସ୍ତ୍ରୀଙ୍କ ସହିତ ରହୁଥିଲେ ଓ ଜିଆରପି ଘଟଣାର ତଦନ୍ତ କରୁଛି ।