fbpx

ଯାଞ୍ଚ ହେବ ସରକାରୀ ଓ ଘରୋଇ ସଂସ୍ଥାର ଡାକ୍ତରଙ୍କ ପ୍ରମାଣପତ୍ର: DMET ଓ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଭିନ୍ନ ସମୟରେ ରାଜ୍ୟରୁ ନକଲି ଡାକ୍ତର ଚିହ୍ନଟ ହେଉଛନ୍ତି । ନକଲି ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହେବା ପରେ ରୋଗୀଙ୍କ ଅବସ୍ଥା ବିଗୁଡ଼ୁଥିବା ବେଳେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଥାଏ । ତେଣୁ ଏହି ସମସ୍ୟାର ସମାଧାନ ସହ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ନେଇ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଲୋପାଥିକ ଡାକ୍ତରଙ୍କ ଡାକ୍ତରୀ ସାର୍ଟିଫିକେଟ ଯାଞ୍ଚ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ତେବେ ନିଷ୍ପତ୍ତି ଅନୁଯାୟୀ, ବିଭାଗୀୟ ସଚିବଙ୍କ ପକ୍ଷରୁ ରାଜ୍ୟ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ (ଡିଏମଇଟି), ବିଭାଗୀୟ ନିର୍ଦ୍ଦେଶାଳୟ (ଡିଏଚଏସ), ଓଡ଼ିଶା ଆୟୁର୍ବିଜ୍ଞାନ ପଞ୍ଜିକରଣ ପରିଷଦ (ଓସିଏମଆର) ଓ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖାଯାଇଛି । ତେବେ ଉଭୟ ସରକାରୀ ଓ ପ୍ରାଇଭେଟ ସଂସ୍ଥାରେ କାର୍ଯ୍ୟରତ ଡାକ୍ତରଙ୍କ ଡାକ୍ତରୀ ସାର୍ଟିଫିକେଟ ଯାଞ୍ଚ କରାଯିବ । ଅନ୍ୟପକ୍ଷରେ ଦେଶ, ରାଜ୍ୟ କିମ୍ବା ବିଦେଶରେ ଡାକ୍ତରୀ ଶିକ୍ଷା ସମାପ୍ତ କରି ରାଜ୍ୟରେ ସେବା ଯୋଗାଉଥିବା ଡାକ୍ତରଙ୍କର ମଧ୍ୟ ପ୍ରମାଣପତ୍ର ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି ।

ସରକାରୀ ଓ ପ୍ରାଇଭେଟ ହସ୍ପିଟାଲ, ନର୍ସିଂହୋମ ଓ କ୍ଲିନିକରେ କାର୍ଯ୍ୟରତ ଏଲୋପାଥିକ ଡାକ୍ତରମାନେ ଆସନ୍ତା ମାସ ୧୦ ତାରିଖ ସୁଦ୍ଧା ନିଜ ଦସ୍ତଖତ ସମ୍ବଳିତ ଡାକ୍ତରୀ ପଞ୍ଜିକରଣ ପ୍ରମାଣପତ୍ରର ଫଟୋ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବେ । ବିଭାଗୀୟ କର୍ତ୍ତୃପକ୍ଷ ତା’ର ଏକ ତାଲିକା ପ୍ରସ୍ତୁତ ତରି କେଉଁ ଡାକ୍ତରମାନେ ତଥ୍ୟ ଦାଖଲ କରିନାହାନ୍ତି ତା’ର ଏକ ଲିଷ୍ଟ ପ୍ରସ୍ତୁତ କରିବେ । ତେବେ ଏହି ଯାଞ୍ଚରେ କୌଣସି ଡାକ୍ତରଙ୍କ ପ୍ରମାଣପତ୍ର ନକଲି ନେଇ ସନ୍ଦେହ ହେଲେ ତାହାକୁ ଏକ ପୃଥକ ଶ୍ରେଣୀରେ ରଖାଯିବ । ମାର୍ଚ୍ଚ ୩୧ ସୁଦ୍ଧା ପ୍ରାଥମିକ ଯାଞ୍ଚ ରିପୋର୍ଟ ଓସିଏମଆରକୁ ପଠାଯିବ । ମେ ୭ ତାରିଖ ସୁଦ୍ଧା ଓସିଏମଆର ସନ୍ଦେହଜନକ ପ୍ରମାଣପତ୍ରର ଯାଞ୍ଚ ସମାପ୍ତ କରି ମେ ୧୫ ସୁଦ୍ଧା ବିଭାଗ ନିକଟରେ ଦାଖଲ କରିବ । ଏହି ରିପୋର୍ଟକୁ ସାନି ଯାଞ୍ଚ ପାଇଁ ଏକ କମିଟି ଗଠନ ହେବ । ମେ ୨୫ ସୁଦ୍ଧା ଦ୍ୱିତୀୟ ଚୂଡ଼ାନ୍ତ ପ୍ରକ୍ରିୟା ସମାପ୍ତ ହେବ । ମେ ୩୧ ସୁଦ୍ଧା ଚୂଡ଼ାନ୍ତ ସରକାରୀ ସ୍ୱୀକୃତିପ୍ରାପ୍ତ ଡାକ୍ତରଙ୍କ ଲିଷ୍ଟ ବିଭାଗୀୟ ୱେବସାଇଟରେ ଅପଲୋଡ୍ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.