fbpx

ଚଳିତ ରବିଋତୁ ପାଇଁ ସରକାର ଚାଷୀମାନଙ୍କଠାରୁ କ୍ରୟ କରିବେ ବଳକା ଧାନ

ଭୁବନେଶ୍ୱର: ଚଳିତ ରବିଋତୁ ପାଇଁ ୨୦୨୨-୨୩ ଧାନ ସଂଗ୍ରହ ବର୍ଷ ନିମନ୍ତେ, ରାଜ୍ୟ ସରକାର ପୂର୍ବ ବର୍ଷ ଭଳି, ଚାଷୀମାନଙ୍କଠାରୁ ସେମାନଙ୍କର ବଳକା ଧାନ କ୍ରୟ କରିବେ। ସେଥିପାଇଁ ଚାଷୀମାନେ ସେମାନଙ୍କର ଅଧିକୃତ ପ୍ରାଥମିକ କୃଷି ସମବାୟ ସମିତି ବା ପେକ୍ସ/ଲ୍ୟାମ୍ପସ/ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ପାଣି ପଞ୍ଚାୟତ ସମିତିରେ ଆଗୁଆ ପଞ୍ଜୀକରଣ କରିବା ଆବଶ୍ୟକ। ମଇ ମାସ ପହିଲାରୁ ଜୁନ୍‍ ୩୦ ମଧ୍ୟରେ ରବି ଧାନ ସଂଗ୍ରହ କରାଯିବ।

ଚାଷୀମାନେ ସେମାନଙ୍କର ସମିତିରୁ ନବୀକରଣ ଫର୍ମ ମାର୍ଚ୍ଚ ପହିଲାରୁ ୧୫ ତାରିଖ ମଧ୍ୟରେ ସଂଗ୍ରହ କରିପାରିବେ। ସମିତି ସମ୍ପାଦକମାନେ www.foododisha.in ପୋର୍ଟାଲରେ ଲଗ୍‍ଅନ୍‍ କରି କୃଷକ ପଞ୍ଜୀକରଣ ଲିଙ୍କ୍‍ରେ ଥିବା ରିନୁଆଲ ଫର୍ମ ଡାଉନ୍‍ଲୋଡ କରି ପ୍ରିଣ୍ଟ କରିବେ। ଯେଉଁ ଚାଷୀମାନେ ଗତ ରବି ଋତୁରେ ପଞ୍ଜୀକରଣ କରି ନଥିଲେ ସେମାନେ ସେମାନଙ୍କର ସମିତିରୁ ଗୋଟିଏ ନୂତନ ପଞ୍ଜୀକରଣ ଫର୍ମ ନେଇ ପୂରଣ କରିବେ।

ବିଭାଗୀୟ ୱେବସାଇଟ foododisha.in ରେ ମଧ୍ୟ ଏହି ଫର୍ମ ଉପଲବ୍ଧ ରହିଛି। ନୂଆ ଫର୍ମରେ ବ୍ୟକ୍ତିଗତ ତଥ୍ୟ ସହ ଜଳସେଚିତ ଜମି ସଂକ୍ରାନ୍ତୀୟ ଖାତା ଓ ପ୍ଲଟର ବିବରଣୀ ଦେବାକୁ ପଡିବ। ପଞ୍ଜୀକରଣ ପରେ ନିର୍ଭୁଲ ଚାଷୀ ତାଲିକା ଏପ୍ରିଲ ୩୦ ତାରିଖ ସୁଦ୍ଧା ପ୍ରସ୍ତୁତ କରାଯିବ। ଯଦି କିଛି ଅଭିଯୋଗ ଥାଏ ତେବେ ଦେୟମୁକ୍ତ ହେଲ୍ପଲାଇନ୍‍ ୧୯୬୭ ନମ୍ବରକୁ ଯୋଗାଯୋଗ କରିବା ପାଇଁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

Get real time updates directly on you device, subscribe now.