fbpx

ଦର୍ଶକଙ୍କୁ ଆକୃଷ୍ଟ କରିବ ପଠାଣି ସାମନ୍ତ ପ୍ଲାନେଟାରିୟମ୍: ପ୍ରୟୋଗ ହେବ ନୂଆ ଜ୍ଞାନକୌଶଳ, ୬ ମାସରେ ସରିବ କାମ, ନକ୍ସା ପ୍ରସ୍ତୁତ କଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି । ତେବେ ଏହି କ୍ରମରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମରେ ନୂଆ ଜ୍ଞାନକୌଶଳର ପ୍ରୟୋଗ କରି ନୂଆ ରୂପ ଦେବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ୮କେ ରିଜୋଲ୍ୟୁସନ ପ୍ରୋଜେକ୍ଟର ଅଣାଯାଇ କ୍ୟାମ୍ପସ ପରିସରକୁ ନୂଆ ରୂପ ଦିଆଯିବ । ଏଥିପାଇଁ ପାଖାପାଖି ୪୫ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଏଥିପାଇଁ ନକ୍ସ ପ୍ରସ୍ତୁତି ସରିଥିବା କୁହାଯାଉଛି ।

କରୋନା ମହାମାରୀ ପୂର୍ବରୁ ପ୍ଲାନେଟାରିୟମ ଭଗ୍ନ ଅବସ୍ଥାରେ ପଡ଼ିରହିଥିବା ବେଳେ ଏହା ପରିସରରେ ଥିବା ନବଗ୍ରହ, ଲାଇଟ ଆଣ୍ଡ ସାଉଣ୍ଡ ପଡ଼ି ଖତ ଖାଉଛି । ସମସ୍ତ ଉପକରଣଗୁଡ଼ିକ ଖରାପ ହୋଇ ଗଲାଣି । ତେଣୁ ପ୍ଲାନେଟାରିୟମର ନବକଳେବର କରିବାକୁ ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ଲାନେଟାରିୟମରେ ପୂର୍ବରୁ ଥିବା ୩ଡି ୪କେ ପ୍ରୋଜେକ୍ଟରକୁ ପରିବର୍ତ୍ତନ କରାଯାଇ ୮କେ ରିଜୋଲ୍ୟୁସନ ପ୍ରୋଜେକ୍ଟର ଲଗାଯିବ ।

ଏଥିସହିତ ପ୍ରେକ୍ଷାଳୟ ଡୋମ୍ ୧୨ ମିଟର ଥିବା ବେଳେ ଏହାକୁ ୧୪ ମିଟର କରାଯିବ । ପରିସରରେ ରହିଥିବା ସମସ୍ତ ଚେୟାରକୁ ହଟାଯାଇ ଉନ୍ନତମାନର ଚେୟାର ଅଣାଯିବ । ସେଥିପାଇଁ ୨୦ କୋଟି ଖର୍ଚ୍ଚ ହେବ । ସେହିପରି ସ୍ପେସ ସିମ୍ୟୁଲେଟର ସ୍ଥାପନ କରାଯିବା ସହ ଫ୍ଲାଟ ସ୍କ୍ରିନିଂ ୩ଟି ପ୍ରେକ୍ଷାଳୟ ବାବଦରେ ୫୦ ଲକ୍ଷ ଖର୍ଚ୍ଚ ହେବ । ୫ ଏକର ଜମିରେ ନିର୍ମିତ ହୋଇଥିବା ପ୍ଲାନେଟାରିୟମର ଉନ୍ନତିକରଣ କରାଯିବ । ପାଖାପାଖି ୬.୫ ବର୍ଗ ଫୁଟ ସ୍ଥାନରେ ପାର୍କିଂ ନିର୍ମାଣ କରାଯିବ । ବର୍ଷା ଦିନ ସମୟରେ ଦର୍ଶକଙ୍କ ସଂଖ୍ୟା କମ୍ ରହୁଥିବାରୁ ପ୍ରେକ୍ଷାଳୟର କାର୍ଯ୍ୟ କରାଯିବ । ନବୀକରଣ ପରେ ଜଣେ ଦର୍ଶକ ପ୍ଲାନେଟାରିୟମ ବୁଲିବାକୁ ଆସି ସାରା ଦିନ ତା’ ପରିସର ମଧ୍ୟରେ ବିତାଇ ପାରିବ । ଏନେି ନିକଟରେ ମୁମ୍ବାଇ, ଆହ୍ଲାବାଦର ବୈଷୟିକ, ଇନଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସର ଡାଇରେକ୍ଟର, ବିଜ୍ଞାନ ଓ ଦକ୍ଷତା ବିଭାଗର ଅଧିକାରୀଙ୍କୁ ନେଇ ଏକ ବୈଠକ ବସିଥିଲା । ପ୍ଲାନେଟାରିୟମର ଉନ୍ନତିକରଣ ହେବା ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏହା ଆଗାମୀ ଦିନରେ ପର୍ଯ୍ୟଟକ ସଂଖ୍ୟାକୁ ବୃଦ୍ଧି କରାଇବାରେ ସହାୟକ ହେବ ।

Get real time updates directly on you device, subscribe now.