fbpx

ସମୁଦ୍ର ଯାତ୍ରା ବେଳେ ଡାକିଦେଲା ଯମ: ବୁଡ଼ିଗଲା ଡଙ୍ଗା, ଅକାଳରେ ଚାଲିଗଲେ ୨୨ ଜଣ ପ୍ରବାସୀ

ନୂଆଦିଲ୍ଲୀ: ମୃତ୍ୟୁ କେତେବେଳେ ଆଉ କେଉଁ ରୂପରେ ଆସିବ ତାହା କେହି କହିପାରିବେ ନାହିଁ । ବର୍ତ୍ତମାନ ହସଖୁସିରେ ସମୟ ବିତାଉଥିବା ମଣିଷର ସହ ୧ ମିନିଟ ପରେ କ’ଣ ଘଟିବ ତାହା କଳ୍ପନା ବାହାରେ । ଅନୁରୂପ ଭାବେ ସମୁଦ୍ର ଜଳରେ ଯାତ୍ରା କରୁଥିବା ବେଳେ ଅଚାନକ ୨୨ ଜଣ ଯାତ୍ରୀଙ୍କ ଜୀବନର ଦୀପ ଲିଭି ଯାଇଛି । ମୋଟ ୪୭ ଜଣ ଯାତ୍ରୀ ଯାତ୍ରା କରୁଥିବା ସମୟରେ ଡଙ୍ଗା ବୁଡ଼ିଯିବାରୁ ଏହି ସମସ୍ତ ପ୍ରବାସୀମାନେ ପ୍ରାଣ ହରାଇଥିଲେ ।

ସୂଚନା ମୁତାବକ, ପୂର୍ବ ଆଫ୍ରିକାର ମାଡାଗାସ୍କାରର ଦକ୍ଷିଣ ଦିଗରେ ଥିବା ଆଙ୍କାଜୋମ୍ବୋରୋନା ସମୁଦ୍ରରେ ଏହି ଅଘଟଣ ଘଟିଯାଇଛି । ମୋଟ ୪୭ ଜଣ ଯାତ୍ରୀଙ୍କୁ ନେଇ ଏକ ଡଙ୍ଗା ଯାତ୍ରା କରୁଥିଲା । ତେବେ ଦୁର୍ଭାଗ୍ୟବଶତଃ ଡଙ୍ଗାଟି ବୁଡ଼ିଯିବାରୁ ୨୨ ଜଣ ପ୍ରବାସୀ ପ୍ରାଣ ହରାଇଥିଲେ । ଡଙ୍ଗା ବୁଡ଼ିବା ପରେ ୨୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୨୨ଟି ଶବ ଉଦ୍ଧାର କରାଯାଇଥିବା ସାମୁଦ୍ରିକ ଓ ନଦୀ ବନ୍ଦର ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ବର୍ତ୍ତମାନ ସୁଦ୍ଧା ଆଉ ଦୁଇଜଣ ଯାତ୍ରୀ ନିଖୋଜ ରହିଥିବା ବେଳେ ସେମାନଙ୍କ ବିଷୟରେ କୌଣସି ସୂଚନା ମିଳିପାରିନାହିଁ । ସେମାନଙ୍କର ସନ୍ଧାନ ପାଇଁ ବର୍ତ୍ତମାନ ବି ତଲାସୀ ଅଭିଯାନ ଜାରି ରହିଛି । ଡଙ୍ଗାଟି ଫ୍ରାନ୍ସର ମୟୋଟେ ଦ୍ୱୀପକୁ ଯାଉଥିବା କୁହାଯାଇଛି । ଶବଗୁଡ଼ିକୁ ଚିହ୍ନଟ କରାଯାଇ ସେମାନଙ୍କର ପରିବାରବର୍ଗଙ୍କୁ ହସ୍ତାନ୍ତର ନେଇ ଯଥାସମ୍ଭବ ପ୍ରୟାସ କରାଯାଉଛି । ଅସମୟରେ କିଛି ନିରୀହ ପରିବାର ସେମାନଙ୍କର ଜଣେ ଜଣେ ସଦସ୍ୟଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।

Get real time updates directly on you device, subscribe now.