fbpx

ପଶ୍ଚିମା ଝଡ଼ ପ୍ରଭାବ: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କେତେକ ଅଞ୍ଚଳରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ରାଜ୍ୟରେ ପଶ୍ଚିମା-ଝଡ଼ର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବିଜୁଳି, ଘଡ଼ଘଡ଼ି, କୁଆପଥର ସହ ପ୍ରବଳ ବର୍ଷା ଏବଂ ଘଂଟା ପ୍ରତି ୪୦ ରୁ ୫୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ୯ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହି ଜିଲ୍ଲାଗୁଡିକ ହେଲା କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର ଏବଂ ପୁରୀ । ୩ଟି ଜିଲ୍ଲା କଟକ, ଯାଜପୁର ଏବଂ ଢ଼େଙ୍କାନାଳରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (୭ ରୁ ୧୧ ସେମି) ସମ୍ଭାବନା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ପୂର୍ବାହ୍ନରେ ମୟୁରଭଞ୍ଜ ଜିଲ୍ଲାର କିଛି ଅଂଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି ରହିଥିବା ନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ୱିଟ୍‌ରୁ ସୂଚନା ମିଳିଛି ।

ତେବେ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ବର୍ଷା ଯୋଗୁଁ ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ଅନେକାଂଶରେ ପ୍ରଶମିତ ହୋଇଛି । ଗତକାଲି ସନ୍ଧ୍ୟା ସୁଦ୍ଧା ରାଜ୍ୟର କୌଣସି ସ୍ଥାନରେ ବଡ଼ଧରଣର ଜଙ୍ଗଲ ନିଆଁ ଲାଗିନଥିବା ଫରେଷ୍ଟ ସର୍ଭେ ଅଫ୍‍ ଇଣ୍ଡିଆ ପକ୍ଷରୁ କୁହାଯାଇଛି ।

 

Get real time updates directly on you device, subscribe now.