fbpx

DJ Azexଙ୍କ ଅକାଳ ବିୟୋଗ: ମୃତ୍ୟୁର କାରଣ ଅସ୍ପଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହଜାର ହଜାର ଦର୍ଶକଙ୍କୁ ନିଜର ସଙ୍ଗୀତ ପ୍ରତିଭା ବଳରେ ମତୁଆଲା କରାଉଥିବା ଡିଜେ ଆଜେକ୍ସ ଆଉ ନାହାନ୍ତି । ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ଅକାଳ ବିୟୋଘ ଘଟିଛି । ତାଙ୍କର ମୃତ୍ୟୁ କିପରି ଘଟିଲା ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପୋଲିସ ଏହି ମାମଲାରେ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ଶବ ବ୍ୟବଚ୍ଛେଦ ପାଇଁ ତାଙ୍କର ମୃତଦେହ ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିବା ଜଣାପଡ଼ିଛି ।

ତେବେ ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ଡିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସେ ଘରର ବେଡ ସିଟରେ ଝୁଲି ପଡ଼ିଥିବା ବେଳେ କବାଟ ଭଙ୍ଗାଯାଇ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଏହାପରେ ତାଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଡିଜେ ରାଜଧାନୀର ଖାରବେଳ ନଗରରେ ରହୁଥିଲେ । ତେବେ କ’ଣ ପାଇଁ ଡିଜେ ଏହି ନିଷ୍ପତ୍ତି ନେଲେ ତାହା ଏବେ ସନ୍ଦେହ ବଢ଼ାଇଛି । ଗତକାଲି ସନ୍ଧ୍ୟା ସମୟରେ ସେ ପରିବାର ଲୋକଙ୍କ ସହିତ କଥା ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସେ ରୁମରେ ଶୋଇଯାଇଥିଲେ । ତେବେ ବହୁ ସମୟ ପର୍ଯ୍ୟନ୍ତ ସେ କାହାର ଡାକ ନ ଶୁଣିବାରୁ ବାଧ୍ୟ ହୋଇ କବାଟ ଭଙ୍ଗା ଯାଇଥିଲା । ମାତ୍ର ସେତେବେଳକୁ ସବୁକିଛି ସରି ଯାଇଥିଲା ।

Get real time updates directly on you device, subscribe now.