IAS ସ୍ତରରେ ଅଦଳବଦଳ: ୪୯ ଆଇଏଏସ ସମେତ ୫୨ ଅଧିକାରୀଙ୍କୁ ଟ୍ରାନ୍ସଫର

ନୂଆଦିଲ୍ଲୀ: ସୋମବାର ପ୍ରଶାସନିକ ସ୍ତରରେ ଏକ ବଡ ଅଦଳବଦଳ କରିଛନ୍ତି ହରିୟାଣା ସରକାର । ଏଥିରେ ରାଜ୍ୟ ସରକାରଙ୍କ ତରଫରୁ ୪୯ ଜଣ ଆଇଏଏସ ଅଧିକାରୀଙ୍କ ଟ୍ରାନ୍ସଫର କରାଯାଇଛି । ସେହିପରି ଜଣେ ଆଇଏସଏଫ, ଜଣେ ଆଇଆରଏସ ଏବଂ ଜଣେ ଏଚସିଏଚ ଅଧିକାରୀଙ୍କ ପଦ ପରିବର୍ତ୍ତନ ହୋଇଛି । ଆଇଏଏସ ଅଧିକାରୀ ରିପୁଦମନ ସିଂହ ଢିଲ୍ଲୋଙ୍କୁ ହରିୟାଣାର ଅନୁସୂଚିତ ଜାତି ଆୟୋଗର ସଚିବ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି ।

ଆଇଏଏସ ପଙ୍କଜଙ୍କୁ ଅର୍ଥ ବିଭାଗର ବିଶେଷ ସଚିବ ଏବଂ ପରିବାର ସୁରକ୍ଷା ନ୍ୟାସର ସିଇଓ ପଦରେ ମଧ୍ୟ ସେ ନିଯୁକ୍ତି ପାଇଛନ୍ତି । ମାନି ରାମ ଶର୍ମାଙ୍କୁ ଶ୍ରମ ଆୟୁକ୍ତ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ଶ୍ରମ ବିଭାଗର ବିଶେଷ ସଚିବ ଦାୟିତ୍ୱ ମଧ୍ୟ ଦିଆଯାଇଛି । ସୁଜାନ ସିଂହଙ୍କୁ ଏଚଏସଭିପିର ପଞ୍ଚକୁଳାରେ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି । ଅମ୍ବାଲା ଡିସି ପ୍ରିୟଙ୍କା ସୋନିଙ୍କୁ ବର୍ତ୍ତମାନ ପଞ୍ଚକୁଳାର ଦାୟିତ୍ୱ ମିଳିଛି । ଅଜୟ କୁମାର ରୋହତକର ନୂଆ ଡିସି ଭାବରେ ଦାୟିତ୍ୱ ହାସଲ କରିଛନ୍ତି । ତେବେ ନୁହଁର ନୁଆ ଡିସି ଭାବରେ ନିଯୁକ୍ତି ପାଇଛନ୍ତି ଦହିୟା ।

ଅନ୍ୟ ପକ୍ଷରେ ଫରିଦାବାଦରେ ମଧ୍ୟ ନୂଆ ଡିସି ଭାବେ ମନଦୀପ କୌର ଦାୟିତ୍ୱ ନେବାକୁ ଯାଉଛନ୍ତି । ବିରେନ୍ଦର କୁମାର ଦହିୟାଙ୍କୁ ପାନୀପତର ନୂଆ ଡିସି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ମୋନିକା ଗୁପ୍ତାଙ୍କୁ ମହେନ୍ଦ୍ରଗଡ଼ର ନୂଆ ଡିସି ଭାବରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏହାବ୍ୟତୀତ ଜଗଦୀଶ ଶର୍ମାଙ୍କୁ କେଥଳ, ମହମ୍ମଦ ଇମ୍ରାନଙ୍କୁ ରଜା ରେୱାଡି ଏବଂ ପ୍ରଶାନ୍ତ ପୱାଁରଙ୍କ ଅମ୍ବାଲାର ନୂଆ ଡିସି ଭାବରେ ସରକାର ଦାୟିତ୍ୱ ପ୍ରଦାନ କରିଛନ୍ତି ।