fbpx

ଅନ୍ଲାଇନ୍ ଗେମିଂ କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ ବାଜି ଲଗାଇବା ବେଆଇନ: ନିର୍ଦ୍ଦିଷ୍ଟ ନିୟମାବଳୀ ପ୍ରସ୍ତୁତ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସଂଶୋଧିତ ସୂଚନା ଓ ପ୍ରଯୁକ୍ତି ଆଇନ ଅନୁସାରେ ଇଣ୍ଟରନେଟ୍‍ ଯୋଗେ କ୍ରୀଡ଼ା ବା ଅନ୍ୟ କୌଣସି ଆନୁଷ୍ଠାନିକ ବିଜୟ କ୍ଷେତ୍ରରେ ବାଜି ଲଗାଇବାକୁ ବେଆଇନ ଘୋଷଣା କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ସଂଶୋଧିତ ଆଇଟି ରୁଲ୍‍ ଅନୁସାରେ କୌଣସି କ୍ଷେତ୍ରରେ ବିଜୟ ସମ୍ଭାବନା ନେଇ ଇଣ୍ଟରନେଟ୍‍ ଯୋଗେ ବାଜି ଲଗାଇବା କ୍ଷତିକାରକ ଅଟେ।

ଇଣ୍ଟରନେଟ୍‍ ବ୍ୟବହାରକାରୀଙ୍କ କ୍ଷତିଲାଘବ କରିବା ଏବଂ ଇଣ୍ଟରନେଟ୍‍ ବ୍ୟବହାରକୁ ସୁରକ୍ଷିତ ଓ ବିଶ୍ୱାସଯୋଗ୍ୟ କରିବା ପାଇଁ କେନ୍ଦ୍ର ସରକାର ଏକ ନିର୍ଦ୍ଦିଷ୍ଟ ନିୟମାବଳୀ ପ୍ରସ୍ତୁତ କରିଛନ୍ତି । ଗତକାଲି ଟୁଇଟର୍‍ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଉପଦେଷ୍ଟା କାଞ୍ଚନ ଗୁପ୍ତାଙ୍କ ସହ ସଂଶୋଧିତ ଆଇଟ୍‍ ରୁଲ୍‍-୨୦୨୧ ସମ୍ବନ୍ଧରେ ବିଶେଷ ଆଲୋଚନା କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର କହିଛନ୍ତି ଅନ୍‍ଲାଇନରେ ଖେଳିବା ଆକର୍ଷଣୀୟ ଏବଂ ଇଣ୍ଟରନେଟ୍‍ରେ ଏହାର ପ୍ରଚାର ପ୍ରସାର ଦ୍ରୁତଗତିରେ ହୋଇପାରୁଥିବାରୁ ଏହାକୁ ଅନୁମତି ଦିଆଯାଇଛି । ତେବେ ଏହି ବ୍ୟବସ୍ଥାକୁ ଉପଯୋଗ କରି ଅର୍ଥ ରୋଜଗାର କରିବା ଏବଂ ବାଜି ଲଗାଇବା ଦ୍ୱାରା ଏହା କୋମଳମତି ଛାତ୍ରଛାତ୍ରୀ ଏବଂ ଯୁବଗୋଷ୍ଠୀଙ୍କ ଉପରେ କୁପ୍ରଭାବ ପକାଉଛି । ସେଥିପାଇଁ ଇଣ୍ଟରନେଟ୍‍ ମାଧ୍ୟମରେ ଖେଳ କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ ବାଜି ଲଗାଇବାକୁ ଏହି ସଂଶୋଧିତ ଆଇନ୍‍ ବଳରେ ନିଷିଦ୍ଧ ଘୋଷଣା କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.