fbpx

ଡାକ୍ତରଙ୍କ ପାଇଁ ଲାଗୁହେଲା DACP ରୁଲ୍: କ୍ୟାରିୟରରେ ହେବ ୪ ଥର ପଦୋନ୍ନତି, ସ୍ୱାସ୍ଥ୍ୟ ବିଭାଗ ଜାରି କଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସ୍ୱାସ୍ଥ୍ୟକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ରାଜ୍ୟର ଗରିବ ଶ୍ରେଣୀର ଲୋକଙ୍କୁ ମାଗଣାରେ ଚିକିତ୍ସା ସେବା ଯେଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଲାଗୁ କରିଛନ୍ତି । ଅନେକ ସମୟରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ନୂଆ ଯୋଜନା ମଧ୍ୟ ଲାଗୁ କରିଥାନ୍ତି । ତେବେ ଏହା ମଧ୍ୟରେ ରାଜ୍ୟର ଡାକ୍ତରଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି ।

ସୂଚନା ମୁତାବକ, ଡାକ୍ତରଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଏଣିକି ରାଜ୍ୟର ମେଡିକାଲ ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତରମାନେ ବେଶ୍ ଉପକୃତ ହୋଇପାରିବେ । ଏବେ ଡାକ୍ତରଙ୍କୁ ସେମାନଙ୍କର କ୍ୟାରିୟରରେ ୪ ଥର ପ୍ରମୋସନ ମିଳିବ । ପୂର୍ବରୁ ଡାକ୍ତରମାନେ ସେମାନଙ୍କର କ୍ୟାରିୟରରେ ୩ ଥର ପ୍ରମୋସନ ପାଉଥିବା ବେଳେ ଏବେ ତାହା ବୃଦ୍ଧି କରାଯାଇଛି । ଏ ବାବଦରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଡାକ୍ତରଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତିଶୀଳ ନିଶ୍ଚିତ କ୍ୟାରିୟର ପ୍ରଗତି (ଡିଏସିପି) ରୁଲ୍ ଲାଗୁ କରାଯାଇଛି । ଏହି ଡିଏସିପି ନିୟମ ଲାଗୁ ହେବା ଫଳରେ ଡାକ୍ତରମାନେ ପୂର୍ବାପେକ୍ଷା ଅଧିକ କାର୍ଯ୍ୟକ୍ଷମ ହୋଇ ପାରିବେ । ପୂର୍ବରୁ ଡାକ୍ତରମାନେ କ୍ୟାରିୟରରେ ୭, ୧୪, ୨୧ ବର୍ଷରେ ତିନିଥର ପ୍ରମୋସନ ପାଉଥିବା ବେଳେ ଏବେ ୬, ୧୨, ୧୮, ୨୪ ବର୍ଷରେ ପଦୋନ୍ନତି ପାଇବେ । ଚାକିରି ନିୟମିତ ହେବା ପରେ ଧାର୍ଯ୍ୟ ସମୟ ଅନୁସାରେ ଡାକ୍ତରଙ୍କ ପାଇଁ ବିଭିନ୍ନ ଲେବୁଲର ଆର୍ଥିକ ସୁବିଧା ରହିଛି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ନିଯୁକ୍ତି ପାଉଥିବା ଡାକ୍ତରମାନେ ଏହିସବୁ ସୁବିଧା ପାଇବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.