fbpx

ବଡ ଖବର, ଏଣିକି ବିନା ଡ୍ରାଇଭିଙ୍ଗ ଟେଷ୍ଟରେ ମିଳିବ DL : ଏହିପରି ଉଠାଇପାରିବେ ଫାଇଦା

ନୂଆଦିଲ୍ଲୀ: ଗାଡି ଚାଳକମାନଙ୍କ ପାଇଁ ଏକ ବଡ ଖୁସି ଖବର ଦେଇଛନ୍ତି କେନ୍ଦ୍ର ସରକାର । ଏଣିକି ଡ୍ରାଇଭିଙ୍ଗ ଲାଇସେନ୍ସ ପାଇବା ହେବ ଆହୁରି ସହଜ । ଡିଏଲ ପାଇବା ପାଇଁ ଦେବାକୁ ପଡିବନି ଡ୍ରାଇଭିଙ୍ଗ ଟେଷ୍ଟ । ବିନା ଟେଷ୍ଟରେ ଲାଇସେନ୍ସ ପାଇବେ ଗାଡି ଚାଳକ । ଏ ନେଇ ପରିବହନ ନିୟମରେ ଏକ ସଂଶୋଧନ କରାଯାଇଛି । ଏହାପରେ ଡ୍ରାଇଭରଙ୍କୁ ବାରମ୍ବାର ଆରଟିଓକୁ ଯିବାର ଆବଶ୍ୟକତା ପଡିବ ନାହିଁ । ଅତି ସହଜରେ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇପାରିବେ ଚାଳକ ।

ସୂଚନା ଅନୁସାରେ, ପରିବହନ ବିଭାଗରେ ଡ୍ରାଇଭିଙ୍ଗ ଲାଇସେନ୍ସର ନିୟମକୁ ନେଇ ଏକ ବଡ ପରିବର୍ତ୍ତନ କରାଯାଇଛି । ଲାଇସେନ୍ସ ପାଇବା ପାଇଁ ସାଧାରଣ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି ନିୟମରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର । ଲାଇସେନ୍ସ ପାଇବା ପାଇଁ ହେଲେ ଆରଟିଓ ବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ବାରମ୍ବାର ଦୌଡିବାକୁ ପଡିଥାଏ । କିନ୍ତୁ ଏବେ ଆଉ ସେମିତି ହେବନାହିଁ । ଗାଡି ଚାଳକ କିପରି ବିନା ଡ୍ରାଇଭିଂ ଟେଷ୍ଟରେ ଲାଇସେନ୍ସ ପାଇପାରିବେ ଏହାର ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର । ଡ୍ରାଇଭିଂ ସ୍କୁଲ ଗୁଡିକୁ ଲାଇସେନ୍ସ ଦେବାର କ୍ଷମତା ହସ୍ତାନ୍ତର କରାଯାଇଛି । ସ୍ୱୀକୃତିପ୍ରାପ୍ତ ଡ୍ରାଇଭିଂ ସ୍କୁଲରେ ପଢିଥିବା ଏବଂ ଟ୍ରେନିଙ୍ଗ ନେଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବ୍ୟକ୍ତିଙ୍କୁ ବିନା ଟେଷ୍ଟରେ ଲାଇସେନ୍ସ ମିଳିପାରିବ । ଏମାନଙ୍କୁ ଲାଇସେନ୍ସ ପାଇବାର ଯୋଗ୍ୟ ବୋଲି ଘୋଷଣା କରାଯାଇଛି । ତେବେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ସାର୍ଟିଫିକେଟ ଦେଖାଇ ସେମାନେ ଲାଇସେନ୍ସ ପାଇପାରିବେ ।

ଏ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସଡକ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ । ଆରଟିଓ ଅଫିସରେ ଅନେକ ଗୁଡିଏ ଆପ୍ଲିକେସନ ପଡି ରହୁଥିବାରୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା । ତେବେ ଆପ୍ଲିକେସନ ଅନୁସାରେ କମ୍ ସଂଖ୍ୟାରେ ଆରଟିଓ ଥିବା ବେଳେ କର୍ମଚାରୀଙ୍କ ଉପରେ କାର୍ଯ୍ୟଭାର ବୃଦ୍ଧି ହେଉଛି । ଫଳରେ ଲାଇସେନ୍ସ ମିଳିବାରେ ମଧ୍ୟ ବିଳମ୍ବ ହୋଇଥାଏ । ତେଣୁ ସେଥିରୁ ସେମାନଙ୍କୁ ମୁକ୍ତି ଦେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ଖୁବଶୀଘ୍ର ଲାଇସେନ୍ସ ମଧ୍ୟ ପାଇପାରିବେ ଗାଡି ଚାଳକ ।

Get real time updates directly on you device, subscribe now.