fbpx

ବଢ଼ୁଛି ନାଲିପାଣି ପ୍ରେମ: ରାଜ୍ୟବାସୀ ଦିନକୁ ୧୧୫ କୋଟି ଟଙ୍କାର ମଦ ପିଇ ଦେଉଛନ୍ତି, ଗୋଟିଏ ଜିଲ୍ଲାରେ ୧୫ କୋଟି

ନୂଆଦିଲ୍ଲୀ: ପରିବା, ତେଲର ଦାମ୍ ଏକ ଟଙ୍କା ବଢ଼ିଗଲେ ଲୋକମାନେ ବହୁତ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ମଦ କିନ୍ତୁ ଉଚ୍ଚଦରରେ ସର୍ବଦା କିଣିଥାନ୍ତି । ଅତ୍ୟଧିକ ମଦ୍ୟପାନ କାରଣରୁ ଅନେକ ଦୁର୍ଘଟଣା ଘଟିବା ସହ ଆମ ଶରୀରରେ ବହୁତ ଗମ୍ଭୀର ରୋଗ ସୃଷ୍ଟି ହୋଇଥାଏ । ଏପରିକି ଅନେକ ସମୟରେ ବହୁ ଲୋକ ଅକାଳରେ ମୃତ୍ୟୁବରଣ କରୁଥିବାର ମଧ୍ୟ ଦେଖାଯାଉଛି । ସରକାରଙ୍କ ପକ୍ଷରୁ ମଦପାନ ନେଇ ଯେତେ ସଚେତନତା ଜାରି କରାଗଲେ ମଧ୍ୟ ଲୋକମାନେ ଶୁଣିବାକୁ ନାରାଜ ।

ତେବେ ଏହା ମଧ୍ୟରେ ମଦ୍ୟପାନକୁ ନେଇ ଉତ୍ତରପ୍ରଦେଶରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟର ମଦପ୍ରେମୀମାନେ ଦିନକୁ ୧୧୫ କୋଟିର ମଦ ପିଇ ଯାଉଥିବା ଜଣାପଡ଼ିଛି । ରାଜ୍ୟରେ ଏପରି କିଛି ଜିଲ୍ଲା ରହିଛି ଯେଉଁଠାରେ ଦୈନିକ ପାଖାପାଖି ୩ କୋଟି ଟଙ୍କାର ମଦ ଓ ବିୟର ବିକ୍ରି ହୋଇଥାଏ । ଆଉ କିଛି ଜିଲ୍ଲାରେ ଦୈନିକ ୧୦ କୋଟି ଟଙ୍କାର ବେପାର ମଧ୍ୟ ହୋଇଥାଏ । ଦୁଇବର୍ଷ ପୂର୍ବରୁ ରାଜ୍ୟରେ ଦୈନିକ ୮୫ କୋଟିର ମଦ ବିକ୍ରି ହେଉଥିବା ବେଳେ ଏବେ ତାହା ବହୁମାତ୍ରାରେ ବଢ଼ିଯାଇଥିବା ଜଣାପଡ଼ିଛି ।

ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏଭଳି ରିପୋର୍ଟ ସାମ୍ନାକୁ ଆସିଛି । ରାଜ୍ୟର କିଛି ଜିଲ୍ଲାରେ ଏତେ ମଦ ବିକ୍ରି ହୁଏ ଯେ ସେଠାରେ ଦୈନିକ ୧୨-୧୫ କୋଟି ଟଙ୍କାର କାରବାର ହୋଇଥାଏ । ନୋଏଡ଼ା ଓ ଗାଜିଆବାଦ ଜିଲ୍ଲାରେ ସବୁଠାରୁ ଅଧିକ ମଦବିକ୍ରି ହେଉଥିବାର ଦେଖାଯାଇଛି । ଏହି ଦୁଇ ଜିଲ୍ଲାରେ ଦିନକୁ ୧୩-୧୪ କୋଟି ଟଙ୍କାର ମଦ ଆଉ ବିୟର ବିକ୍ରି ହେଉଛି । ତେବେ ପର୍ଯ୍ୟଟନ ସ୍ଥଳୀ ଆଗ୍ରା ଜିଲ୍ଲା ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ି ନାହିଁ । ସେଠାରେ ଦିନକୁ ଆଭରେଜ ୧୨-୧୩ କୋଟି ଟଙ୍କାର ମଦ ବିକ୍ର ହେଉଛି । ସେହିପରି ମେରଠରେ ଦୈନିକ ୧୦ କୋଟି, କାନପୁରରେ ଦୈନିକ ୮-୧୦ କୋଟି ଏବଂ ବାରାଣାସୀରେ ଦୈନିକ ୬-୮ କୋଟି ଟଙ୍କାର ମଦ ବିକ୍ରି ହେଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.