fbpx

‘ଅଧିକାରୀଙ୍କୁ ବଦଳି କରିବାକୁ ଦେଉ ନାହାନ୍ତି କେନ୍ଦ୍ର ସରକାର…’: ପୁଣି ସୁପ୍ରିମକୋର୍ଟରେ ପହଞ୍ଚିଲେ କେଜ୍ରିୱାଲ ସରକାର

ନୂଆଦିଲ୍ଲୀ: ଉପରାଜ୍ୟପାଳ ନା ଦିଲ୍ଲୀ ସରକାର ? ରାଜଧାନୀ ଦିଲ୍ଲୀରେ ଅଧିକାରୀଙ୍କ ଉପରେ କାହାର ନିୟନ୍ତ୍ରଣ ରହିବ, ସେ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ବିବାଦ ଶାନ୍ତ ପଡ଼ିବାର ନାଁ ନେଉ ନାହିଁ। ସମ୍ବିଧାନ ପୀଠଙ୍କ ନିଷ୍ପତିର ଗୋଟିଏ ଦିନ ପରେ ଦିଲ୍ଲୀ ସରକାର ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଁଛନ୍ତି। କେଜ୍ରିୱାଲ ସରକାର ଅଭିଯୋଗ ଲଗାଇଛନ୍ତି ଯେ, କେନ୍ଦ୍ର ସରକାର ଅଧିକାରୀଙ୍କ ବଦଳି କରିବାକୁ ଦେଉନାହାନ୍ତି। ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଆଗାମୀ ସପ୍ତାହରେ ଏହି ମାମଲାର ଶୁଣାଣି କରିବା ପାଇଁ ଖଣ୍ଡପୀଠ ଗଠନ କରିବାକୁ ପ୍ରଧାନବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼ କହିଛନ୍ତି।

କେନ୍ଦ୍ରର GNCTD ଆକ୍ଟ 2021 (ସଂଶୋଧନ) ବିରୋଧରେ ଦିଲ୍ଲୀ ସରକାରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଗୁରୁବାର ଗୁର୍ତ୍ତୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ପୀଠ ତାଙ୍କ ନିଷ୍ପତ୍ତିରେ କହିଛି ଯେ ଦିଲ୍ଲୀର (ନ୍ୟାସନାଲ କ୍ୟାପିଟାଲ୍ ଟେରିଟୋରୀ) ବିଧାନସଭା କ୍ଷମତା ବାହାରେ ଥିବା କ୍ଷେତ୍ର ବ୍ୟତୀତ ସେବା ତଥା ପ୍ରଶାସନ ସହ ଜଡିତ ସମସ୍ତ ଅଧିକାର ନିର୍ବାଚିତ ସରକାରଙ୍କ ପାଖରେ ରହିବ। ତେବେ ପୋଲିସ, ସାମାଜିକ ବ୍ୟବସ୍ଥା ଏବଂ ଜମି କେନ୍ଦ୍ରରେ ରହିବ।

କେନ୍ଦ୍ର ସରକାର କେବେ ହେଲେ ରାଜ୍ୟର ଶାସନ ଅଧିକାର ହଡ଼ପ କରିପାରିବେ ନାହିଁ। ପ୍ରକୃତ କ୍ଷମତା ନିର୍ବାଚିତ ସରକାରଙ୍କ ପାଖରେ ରହିବ। ଗଣତାନ୍ତ୍ରିକ ଉପାୟରେ ଗଠନ ହୋଇଥିବା ସରକାର ପାଖରେ ପ୍ରକୃତ ପ୍ରଶାସନିକ କ୍ଷମତା ରହିବ। କେନ୍ଦ୍ର କେବଳ ଜମି, ଆଇନ ଶୃଙ୍ଖଳା ଓ ପୁଲିସ୍‌ ଉପରେ ନିଜର ନିୟନ୍ତ୍ରଣ ରଖିପାରିବେ ବୋଲି ଆଜି ସର୍ବୋଚ୍ଚ ଅଦାଲତ କହିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ସର୍ବସମ୍ମତିକ୍ରମେ ଦିଲ୍ଲୀର ପ୍ରଶାସନିକ କ୍ଷମତା ନିର୍ବାଚିତ ସରକାରଙ୍କ ହାତରେ ରହିବ ବୋଲି କହିଥିଲେ।

ତେବେ ଗୁରୁବାର ସୁପ୍ରିମକୋର୍ଟଙ୍କ ନିଷ୍ପତି ପରେ ଅରବିନ୍ଦ କେଜ୍ରିୱାଲ ଅଧିକାରୀଙ୍କ ବଦଳି ବିଷୟରେ କହିଥିଲେ। ଏହାପରେ ମନ୍ତ୍ରୀ ସୌରଭ ଭରଦ୍ୱାଜ ତାଙ୍କର ସଚିବ ବଦଳାଇ ଦେଇଥିଲେ। ଦିଲ୍ଲୀ ସରକାରଙ୍କ ଦ୍ୱାରା ପ୍ରଥମ ବଦଳିରୁ ହିଁ ବିବାଦ ହୋଇଛି। ଆଶିଷ ମୋରେଙ୍କ ବଦଳିକୁ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାକୁ ଅବୈଧ ବୋଲି କୁହାଯାଇଥିଲା।

ଦିଲ୍ଲୀ ଉପରାଜ୍ୟପାଳ ଏବଂ ସେବା ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ସଚିବ ସେବା ସ୍ଥାନାନ୍ତର ବେଆଇନ, ଅବାଧ୍ୟ ଏବଂ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ଅନୁସରଣ ନକରି ଏହା କରାଯାଇଛି।ସୂଚନାନୁସାରେ, ଜଣେ ସିଭିଲ ସର୍ଭିସ ବୋର୍ଡ ଦ୍ୱାରା କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଜଣେ ଅଧିକାରୀଙ୍କୁ ସ୍ଥାନାନ୍ତର କରାଯାଇପାରିବ, ଯାହାକି ମୁଖ୍ୟ ସଚିବ ଏବଂ ଅନ୍ୟ ଦୁଇ ବରିଷ୍ଠ ବ୍ୟୁରୋକ୍ରାଟଙ୍କ ଦ୍ୱାରା ସଦସ୍ୟ ଭାବରେ ପରିଚାଳିତ ହୁଏ, କିନ୍ତୁ ସଚିବ ସେବା ହସ୍ତାନ୍ତରରେ ଆଜି ଏହି ପ୍ରକ୍ରିୟା ପାଳନ କରାଯାଉ ନାହିଁ। ସେହିପରି ଗୁରୁବାର ସୁପ୍ରିମକୋର୍ଟଙ୍କ ନିଷ୍ପତି ଆସିବା ପୂର୍ବରୁ ମନ୍ତ୍ରୀଙ୍କ ଆଦେଶ ଆସିଥିବା ଦାବି କରାଯାଇଛି।

Get real time updates directly on you device, subscribe now.