fbpx

କଂଗ୍ରେସ ମୁଖପାତ୍ର ବହିଷ୍କୃତ: PCCର ବଡ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୩ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା । ବିଜେଡି ପ୍ରାର୍ଥୀ ଦିପାଳୀ ଦାସ ୪୮,୭୨୧ଟି ଭୋଟରେ ବିଜୟ ହାସଲ କରିଥିଲେ । ସେ ମୋଟ ୧,୦୭,୧୯୮ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୫୮,୪୭୭ଟି ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ୪,୪୯୬ଟି ଭୋଟ ପାଇଥିଲେ । ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଏହି ନିର୍ବାଚନ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥିବାରୁ ତିନି ଦଳ ଏଥିପାଇଁ ବହୁ ପରିଶ୍ରମ କରିଥିଲେ ।

ତେବେ ଫଳ ପ୍ରକାଶ ପାଇବାର ୩ ଦିନ ନ ପୂରୁଣୁ ଏହା ମଧ୍ୟରେ ରାଜ୍ୟ ରାଜନୈତିକ ମହଲରୁ ଏକ ବଡ଼ ଖବର ଆସିଛି । ଜଣେ କଂଗ୍ରେସ ନେତାଙ୍କୁ ପଦରୁ ବହିଷ୍କାର କରାଯାଇଛି । ଦଳ ବିରୋଧୀ ମନ୍ତବ୍ୟ ପାଇଁ କଂଗ୍ରେସ ମୁଖପାତ୍ର ପଦରୁ ଷ୍ଟାଲିନ ମିଶ୍ରକୁ ବିଦା କରାଯାଇଛି । ଝାରସୁଗୁଡ଼ା ଉପନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଷ୍ଟାଲିନ୍ ସୋସିଆଲ ମିଡ଼ିଆରେ କରିଥିବା ପୋଷ୍ଟ କାରଣରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଷ୍ଟାଲିନ୍ ଲେଖିଥିଲେ, ଦଳର ୪୦ ଜଣ ଷ୍ଟାର ପ୍ରଚାରକ ଥାଇ ଦଳ ୪,୪୦୦ ଭୋଟ ପାଇଥିଲା । ଅର୍ଥାତ ମୁଣ୍ଡପିଛା ୧୧୦ ଖଣ୍ଡ ଭୋଟ ପଡ଼ୁଛି । ତେଣୁ ଆମେ ଅଧିକ ଷ୍ଟାର ପ୍ରଚାରକ ନେଇଥିଲେ ହୁଏତ ଦଳର ଅମାନତ ବଞ୍ଚିଯାଇ ପାରିଥାନ୍ତା । ତେବେ ଏହି ପୋଷ୍ଟ ପରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ତାଙ୍କୁ ଚେତାବନୀ ଦିଆଯାଇଥିଲେ ହେଁ ସେ ପୁନର୍ବାର ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି କ୍ଷମାପ୍ରାର୍ଥନା କରିବେ ନାହିଁ ବୋଲି କହିଥିଲେ । ଏହାପରେ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷଙ୍କ ସୁପାରିଶ କ୍ରମେ ପିସିସି ସଭାପତି ଶରତ ପଟ୍ଟନାୟକ ଷ୍ଟାଲିନଙ୍କୁ ମୁଖପାତ୍ର ପଦରୁ ବହିଷ୍କାର କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.