ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ଝାରସୁଗୁଡ଼ା ବିଧାନସଭା ଆସନର ଉପନିର୍ବାଚନ ରେଜଲ୍ଟ ଘୋଷିତ ହୋଇଥିବା ବେଳେ ଆଜି ରାଜ୍ୟ ରାଜନୈତିକ ମହଲରୁ ଆସିଛି ଏକ ବଡ଼ ଖବର । ବିଜେଡିର ଜଣେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଆସିଛି ଏକ ଅଭିଯୋଗ । କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରାଙ୍କ ବିରୋଧରେ ତାଙ୍କ ବୋହୂ ଏହି ଅଭିଯୋଗ ଆଣିଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ବିଧାୟକଙ୍କ ବୋହୂ ବାଙ୍କି ଥାନାରେ ଅଭିଯୋଗ କରିଛନ୍ତି । ଶଶିଭୂଷଣ, ତାଙ୍କ ପୁଅ ଓ ପତ୍ନୀଙ୍କ ସମେତ ୫ ଜଣଙ୍କ ନାଁରେ ଏହି ଅଭିଯୋଗ ହୋଇଛି । ଏନେଇ ଦଫା ୪୯୮ (କ), ୨୯୪, ୫୦୬, ୩୪ ଆଇପିସିରେ ମାମଲା ଦାୟର କରାଯାଇଛି । ସେହିପରି ଯୌତୁକ ନିରୋଧ ଆଇନ ୧୯୬୧ର ସେକ୍ସନ ୪ ଅନୁସାରେ ମଧ୍ୟ ମାମଲା ଦାୟର କରାଯାଇଥିବା ଜଣାପଡ଼ିଛି ।
ବିଧାୟକଙ୍କ ବୋହୂ କହିଛନ୍ତି, ତାଙ୍କୁ ବାପଘରୁ ୪୦ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ବାଧ୍ୟ କରାଯାଉଥିଲା । ସେଥିପାଇଁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା । ଏନେଇ ଶ୍ୱଶୁରଙ୍କୁ କହିବା ପରେ ସେ ଗାଲିଗୁଲଜ କରିଥିଲେ । ଅନ୍ୟପକ୍ଷରେ ଏହି ଅଭିଯୋଗ ଭିତ୍ତୀହୀନ ବୋଲି କହିଛନ୍ତି ବିଧାୟକ । ଆଗକୁ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବାକୁ ଥିବାରୁ ତାଙ୍କ ବିରୋଧରେ ଏହା ଏକ ବଡ଼ ଷଡ଼ଯନ୍ତ୍ର ବୋଲି ଶଶୀ କହିଛନ୍ତି ।