ଖୁସି ଖବର; ଗ୍ରାମବାସୀଙ୍କ ପାଇଁ ୨୦୦୦ ଟଙ୍ଗିଆ ନୋଟ ବଦଳାଇବା ପାଇଁ ଖାସ୍ ସୁବିଧା: ଯିବାକୁ ପଡିବନି ବ୍ୟାଙ୍କ

ନୂଆଦିଲ୍ଲୀ: ଦେଶରେ ୨୦୦୦ ଟଙ୍କିଆ ନୋଟ ବନ୍ଦ ହେବା ଘୋଷଣା ପରେ ଲୋକଙ୍କ ମୁଣ୍ଡରେ ଚିନ୍ତା ଘାରିଛି । ଏହାକୁ ନେଇ ଅନେକ ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ସବୁଠୁ ବଡ ପ୍ରଶ୍ନ ହେଉଛି ଏହି ନୋଟକୁ କିପରି ଏବଂ କେଉଁଠି ପରିବର୍ତ୍ତନ କରାଯାଇ ପାରିବ? ତେବେ ମେ’ ୨୩ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ୨୦୦୦ ଟଙ୍କିଆ ନୋଟକୁ ବ୍ୟାଙ୍କରେ ପରିବର୍ତ୍ତନ କରାଯାଇପାରିବ । କିନ୍ତୁ କିଛି ଗାଁ-ଗହଳିର ଲୋକଙ୍କ ପାଖରେ ବ୍ୟାଙ୍କର ସୁବିଧା ମଧ୍ୟ ନାହିଁ । ଏମାନଙ୍କ ପାଇଁ ଏକ ବିଶେଷ ସୁବିଧା କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ।

ଆରବିଆଇର ଏହି ବ୍ୟବସ୍ଥା ପରେ ଗ୍ରାମବାସୀଙ୍କୁ ସହରର ବ୍ୟାଙ୍କକୁ ଯିବାକୁ ପଡିବ ନାହିଁ । ଗ୍ରାମରେ ରହି ମଧ୍ୟ ପାଖରେ ଥିବା ୨୦୦୦ ଟଙ୍କିଆ ନୋଟକୁ ପରିବର୍ତ୍ତନ କରିପାରିବେ । କାରଣ ଏହି ନୋଟ ବ୍ୟାଙ୍କ ବ୍ୟତୀତ ଗାଁ-ଗହଳିରେ ଥିବା ବିଜନେସ କରେସପଣ୍ଡେଣ୍ଟ ସେଣ୍ଟରରେ ମଧ୍ୟ ଏକ୍ସଚେଞ୍ଜ କରାଯାଇ ପାରିବ । ଗ୍ରାମରେ ଥିବା ଲୋକମାନେ ଏଠାକୁ ଆସି ସହଜରେ ନିଜ ଟଙ୍କା ପରିବର୍ତ୍ତନ କରିପାରିବେ । ଏ ନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏକ ସୂଚନା ଜାରି କରିଛନ୍ତି । ବ୍ୟାଙ୍କର ସୁବିଧା ଉପଲବ୍ଧ ନଥିବା ଗ୍ରାମ କିମ୍ବା ବସ୍ତି ଇତ୍ୟାଦିରେ ବ୍ରାଞ୍ଚ ଭାବରେ ବିଜନେସ କରେସପଣ୍ଡେଣ୍ଟ ସେଣ୍ଟର ଖୋଲାଯାଇଛି । ଏଠାରେ ଗ୍ରାମବାସୀମାନଙ୍କୁ ବ୍ୟାଙ୍କର ସମସ୍ତ ସୁବିଧା ଯୋଗାଇ ଦିଆଯିବ ।

ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛନ୍ତି ଯେ, ଏହି ସେଣ୍ଟରରେ ଜଣେ ଗ୍ରାହକ ଦିନକୁ ୪୦୦୦ ଟଙ୍କା ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ ପରିବର୍ତ୍ତନ କରିପାରିବ । ତେବେ ଏଥିପାଇଁ ଗ୍ରାହକଙ୍କୁ ବ୍ୟାଙ୍କ ଆକାଉଣ୍ଟର ଆବଶ୍ୟକତା ପଡିବ, କିନ୍ତୁ ବ୍ୟାଙ୍କରେ ଆପଣ ଆକାଉଣ୍ଟ ନଥିଲେ ମଧ୍ୟ ଏକ୍ସଚେଞ୍ଜ କରାଇ ପାରିବେ । ସେହିପରି ବ୍ୟାଙ୍କରେ ଦିନକୁ ଜଣେ ଗ୍ରାହକ ୨୦,୦୦୦ ଟଙ୍କା ରାଶି ପର୍ଯ୍ୟନ୍ତ ନୋଟ ବଦଳାଇ ପାରିବେ । ଏଥିପାଇଁବ୍ୟାଙ୍କ ଆକାଉଣ୍ଟ ରହବିା ଜରୁରୀ ନୁହେଁ ଏବଂ ଏଥିପାଇଁ କୌଣସି ଦେୟ ମଧ୍ୟ ଦେବାକୁ ପଡିବ ନାହିଁ ।