ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ଘଟଣା ମଣିଷ ପାଇଁ କୌଣସି କାଳଠାରୁ କମ୍ ନୁହେଁ । ଦୁର୍ଘଟଣା କାହାକୁ ଜଣାଇ ଆସିନଥାଏ । ଅଚାନକ ଆସିଥାଏ ଓ ଅନେକଙ୍କର ଜୀବନର ଦୀପକୁ ଲିଭାଇ ଦେଇ ଚାଲିଯାଇଥାଏ । ତେବେ ଏହା ମଧ୍ୟରେ ଆଜି ଏକ ଭୟଙ୍କର ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଗଛ ସହ ଗୋଟିଏ କାର ପିଟିହେବା ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି ।
ସୂଚନା ମୁତାବକ, ମଧ୍ୟପ୍ରଦେଶରୁ ଆସିଛି ଏଭଳି ଏକ ଦୁଃଖଦ ତଥା ଲୋମହର୍ଷଣକାରୀ ଘଟଣା । ଆଜି ସକାଳୁ ହରଦା ଜିଲ୍ଲାର ଟିମରନୀ ଥାନା ଅଞ୍ଚଳରେ ନିୟନ୍ତ୍ରଣ ହରାଇବା କାରଣରୁ ଗୋଟିଏ କାର ଗୋଟିଏ ଗଛ ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଫଳରେ ତତକ୍ଷଣାତ ଉକ୍ତ କାରରେ ନିଆଁ ଲାଗିଯାଇଥିଲା । ଫଳରେ କାର ଭିତରେ ଥିବା ୪ ଜଣ ଯାତ୍ରୀ ଜୀଅନ୍ତା ଜଳି ଯାଇଥିଲେ । ତେବେ ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ସଦସ୍ୟ ରହିଥିଲେ । ମୃତକଙ୍କ ମଧ୍ୟରେ ଶିଶୁ ଓ ମହିଳା ଥିବା ଜଣାପଡ଼ିଛି ।
ତେବେ କାରଟିର ଗତି ଦ୍ରୁତ ରହିଥିବା ଜଣାପଡ଼ିଛି । ଫଳରେ ଚାଳକ ନିୟନ୍ତ୍ରଣ ହରାଇଥିଲେ । ଏହି କାରଣରୁ ଭାରସାମ୍ୟ ରକ୍ଷା କରି ନପାରି କାରଟି ଗଛ ସହିତ ଧକ୍କା ହୋଇଥିଲା । ଧକ୍କା ହେବା ପରେ ପରେ କାରରେ ନିଆଁ ଲାଗିଯାଇଥିଲା । ଏହି ଘଟଣା ଏତେଶୀଘ୍ର ହୋଇଥିଲା ଯେ ସେଠାରେ ଉପସ୍ଥିତ ଲୋକମାନେ କିଛି ବୁଝିବା ପୂର୍ବରୁ ସବୁକିଛି ସରିଯାଇଥିଲା । ତେବେ ସମସ୍ତ ମୃତକଙ୍କ ବୟସ ୨୫-୩୦ ବର୍ଷ ମଧ୍ୟରେ ହେବ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା । ତେବେ ମୃତକଙ୍କୁ ବର୍ତ୍ତମାନ ସୁଦ୍ଧା ଚିହ୍ନଟ କରିବା ସମ୍ଭବ ହୋଇନାହିଁ ।