fbpx

ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଯାତ୍ରା, ହାତୀବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ଓଡ଼ିଶା ଭାସ୍କର: ପୁରୀ ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରସିଦ୍ଧ ସ୍ନାନଯାତ୍ରା ଉତ୍ସବ ପାଳିତ ହେଉଛି। ରତ୍ନସିଂହାସନ ଛାଡ଼ି ଶ୍ରୀଜୀଉ ସ୍ନାନବେଦୀ ଉପରୁ ଅଗଣିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଏହି ଯାତ୍ରା ଦେଖିବା ପାଇଁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ତେବେ ସ୍ନାନ ମଣ୍ଡପ ନିକଟରେ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟ ହୋଇଯିବାରୁ ପୁଣିଥରେ ମହାପ୍ରଭୁଙ୍କର ମହାସ୍ନାନ ହୋଇଥିଲା। ଏହି କାରଣରୁ ଇଛି ସମୟ ବିଳମ୍ବରେ ଶ୍ରୀଜିଉଙ୍କ ହାତୀବେଶ ଅନୁଷ୍ଠିତ ହେଉଛି। ଆଜି ସକାଳୁ ଠାକୁରମାନଙ୍କର ମଙ୍ଗଳାର୍ପଣ ଓ ଡୋରଲାଗି ଆଦି କେତେକ ନୀତି ଶେଷ ହେବାପରେ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ହରିବୋଲ ଓ ହୁଳହୁଳି ମଧ୍ୟରେ ଦଇତାପତି ଓ ଅନ୍ୟାନ୍ୟ ସେବକମାନେ ମିଶି ରତ୍ନସିଂହାସନରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି ବିଜେରେ ଆଣି ପୂର୍ବାହ୍ନ ପ୍ରାୟ ୮ଟା ସୁଦ୍ଧା ସ୍ନାନମଣ୍ଡପ ଉପରରେ ବିଜେ କରାଇଥିଲେ ।

ଦିନ ପ୍ରାୟ ସାଢେ ଗୋଟାଏ ସୁଦ୍ଧା ସ୍ନାନ ଶେଷ ହେବା ପରେ ମଇଲମ ଓ ଅନ୍ୟାନ୍ୟ ନୀତି କରାଯାଇଥିଲା । ପରେ ପାରମ୍ପରିକ ବିଧି ବ୍ୟବସ୍ଥାମତେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଶ୍ରୀନହରରୁ ଆସି ସ୍ନାନ ମଣ୍ଡପ ଉପରେ ଛେରାପହଁରା କାର୍ଯ୍ୟ ସମାପନ କରିଥିଲେ । ଏହାପରେ ଶ୍ରୀବିଗ୍ରହମାନଙ୍କୁ ହାତୀବେଶରେ ସଜ୍ଜିତ କରାଯାଇଥିଲା । ଏବେ ଅଗଣିତ ଶ୍ରଦ୍ଧାଳୁ ସାହାଣମେଲାରେ ସ୍ନାନ ମଣ୍ଡପ ଉପରକୁ ଯାଇ ମହାପ୍ରଭୁଙ୍କର ଆକର୍ଷଣୀୟ ହାତୀବେଶ ଦର୍ଶନ କରୁଛନ୍ତି । ପୁଲିସ ପ୍ରଶାସନ ପକ୍ଷରୁ ସ୍ନାନଯାତ୍ରା ଲାଗି ସହର ସମେତ ବଡଦେଉଳର ବିଭିନ୍ନ ସ୍ଥାନରେ ପ୍ରାୟ ୬୦ ପ୍ଳାଟୁନ ପୁଲିସ ଫୋର୍ସ ଓ ପ୍ରାୟ ୨୦୦ରୁ ଅଧିକ ସଂଖ୍ୟକ ପୁଲିସ ଅଫିସରମାନଙ୍କୁ ମୁତୟନ କରାଯିବା ସହିତ ଯାନବାହନ ଚଳାଚଳ ଲାଗି ବଡଦାଣ୍ଡରେ ସ୍ୱତନ୍ତ୍ର ଟ୍ରାଫିକ୍‍ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି ।

କେନ୍ଦ୍ରାଞ୍ଚଳ ଆଇ.ଜି ଶ୍ରୀମନ୍ଦିର ପରିସରରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦନ୍ତ କରୁଛନ୍ତି । ଆଜି ରାତି ପ୍ରାୟ ସାଢେ ୧୦ଟା ବେଳକୁ ହାତୀ ବେଶ ଓଲାଗି କରାଯିବା ପରେ ଶ୍ରୀବିଗ୍ରହମାନଙ୍କୁ ବାହୁଡା ପହଣ୍ଡିରେ ସ୍ନାନମଣ୍ଡପ ଉପରୁ ଅଣସର ଘରକୁ ନେବାଲାଗି ନୀତିନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ଠାକୁରମାନେ ଅଣସରଘରେ ୧୪ ଦିନ ପର୍ଯ୍ୟନ୍ତ ରହିବେ । ଏହି ସମୟରେ ସର୍ବସାଧାରଣ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ନାହିଁ । ଠାକୁରମାନେ ଅଣସର ଘରେ ଥିବାବେଳେ ଭକ୍ତମାନେ ବ୍ରହ୍ମଗିରି ଠାରେଥିବା ଅଲାରନାଥ ଦେବଙ୍କୁ ଦର୍ଶନ କରିଥାନ୍ତି ।

Get real time updates directly on you device, subscribe now.