fbpx

୧୪୬ ବର୍ଷ ଟେଷ୍ଟ ଇତିହାସରେ ପ୍ରଥମ: ବେନ ଷ୍ଟୋକ୍ସ କରିଦେଲେ ବଡ କିର୍ତ୍ତୀମାନ

ନୂଆଦିଲ୍ଲୀ: ଇଂଲଣ୍ଡ ଟେଷ୍ଟ କ୍ରିକେଟକୁ ବର୍ତ୍ତମାନ ଏକ ନୂଆ ରାସ୍ତାରେ ଆଗେଇ ନେଉଛନ୍ତି ଅଧିନାୟକ ବେନ୍ ଷ୍ଟୋକ୍ସ । ଗତବର୍ଷ ନେତୃତ୍ୱ ପଦ ନେବା ପରଠୁ ଇଂଲଣ୍ଡ ମୋଟ ୧୩ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ସେଥିରୁ ଦଳ ୧୧ ଟି ମ୍ୟାଚରେ ବିଜୟ ହାସଲ କରିଛି । ଏହା ମଧ୍ୟରେ ବେନ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ମଧ୍ୟ ଅବସର ନେଇ ସାରିଛନ୍ତି । କିନ୍ତୁ ବର୍ତ୍ତମାନ ଆୟଲାଣ୍ଡ ବିପକ୍ଷ ଟେଷ୍ଟରେ ଏକ ବିରଳ ରେକର୍ଡ ନିଜ ନାମରେ କରିଛନ୍ତି ଅଧିନାୟକ ବେନ ଷ୍ଟୋକ୍ସ । ତାଙ୍କ ନାମରେ ହୋଇଥିବା ଏହି ରେକର୍ଡ ୧୪୬ ବର୍ଷର ଟେଷ୍ଟ କ୍ରିକେଟରେ କେବେ ଦେଖିବାକୁ ମିଳି ନଥିଲା ।

ଆୟରଲାଣ୍ଡ ବିପକ୍ଷ ଏକମାତ୍ର ୪ ଦିନିଆ ଟେଷ୍ଟ ମ୍ୟାଚକୁ ତୃତୀୟ ଦିନରେ୧୦ ୱିକେଟରେ ବିଜୟ ହାସଲ କରିଛି ଇଂଲଣ୍ଡ । ତେବେ ବେନ ଡକେଟ, ଓଲି ପୋପ୍, ଷ୍ଟୁଆର୍ଟ ବ୍ରଡଙ୍କ ଭଳି ଦଳର ଷ୍ଟାର ଖେଳାଳି ଏହି ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ । କିନ୍ତୁ ଅଧିନାୟକ ବେନ୍ ଷ୍ଟୋକ୍ସ ଏହି ମ୍ୟାଚରେ ସମ୍ପୂର୍ଣ୍ଣ ଶାନ୍ତ ରହିଥିଲେ । ଆୟରଲାଣ୍ଡ ବିପକ୍ଷ ଏହି ମ୍ୟାଚରେ ସେ କେବଳ ନେତୃତ୍ୱ ନେଉଥିବା ଦେଖିବାକୁ ମିଳିଥିଲା । ବ୍ୟାଟିଂ କିମ୍ବା ବୋଲିଂ ନ କରି ମଧ୍ୟ କେବଳ ନେତୃତ୍ୱରେ ଏହି ମ୍ୟାଚକୁ ଜିତି ନେଇଛନ୍ତି । ଟେଷ୍ଟ କ୍ରିକେଟ ଇତିହାସରେ ଏମିତି ଘଟଣା ପ୍ରଥମ ଥର ଦେଖିବାକୁ ମିଳିଛି । କୌଣସି ଟେଷ୍ଟ ମ୍ୟାଚରେ ଜଣେ ଅଧିନାୟକ ବିନା ବ୍ୟାଟିଂ, ବୋଲିଂ ଏବଂ ୱିକେଟ କିପିଙ୍ଗ ନ କରି ମଧ୍ୟ ବିଜୟ ହାସଲ କରିଛନ୍ତି । ଉଭୟ ଇନିଂସରେ ବେନ୍ ଷ୍ଟୋକ୍ସଙ୍କ ବ୍ୟାଟିଂ ପାଳି ଆସି ନଥିଲା ଏବଂ ସେ ମ୍ୟାଚରେ ବୋଲିଂ କରି ନଥିଲେ । ତେଣୁ ମ୍ୟାଚରେ ବିଜୟ ପରେ ତାଙ୍କ ନାମରେ ଏଭଳି ଏକ ଅଜବ ଏବଂ ବିରଳ ରେକର୍ଡ ଯୋଡି ହୋଇଛି ।

ଏହି ମ୍ୟାଚରେ ଓଲି ପୋପଙ୍କ ଦମଦାର ଦ୍ୱିଶତକ ଏବଂ ବେନ୍ ଡକେଟଙ୍କ ବିସ୍ପୋରକ ଶତକ ଇଂଲଣ୍ଡକୁ ଏକ ବଡ ବିଜୟ ଭେଟି ଦେଇଛି । ପୋପ୍ ଏହି ମ୍ୟାଚରେ ୨୦୮ ବଳରୁ ୨୨ଟି ଚୌକା ଏବଂ ୩ଟି ଛକା ସହ ୨୦୫ ରନ କରିଥିବା ବେଳେ ଡକେଟ ୧୭୮ ବଲରୁ ୨୪ ଚେଯକା ଏବଂ ଗୋଟିଏ ଛକା ସହ ୧୮୨ ରନର ଇନିଂସ ଖେଳିଥିଲେ । ଏହାର ଜବାବରେ ଆୟରଲାଣ୍ଡ ୩୬୨ ରନରେ ଅଟକି ଯାଇଥିଲା ଏବଂ ଇଂଲଣ୍ଡକୁ ମାତ୍ର ୧୧ ରନର ଲକ୍ଷ୍ୟ ଦେଇଥିଲା । ଯାହାକୁ ମାତ୍ର ୪ଟି ବଳରେ ୩ଟି ଚୌକା ମାରି ବିଜୟ ହାସଲ କରି ନେଇଥିଲା ଇଂଲଣ୍ଡ ଟିମ୍ ।

Get real time updates directly on you device, subscribe now.